ଫିରିଙ୍ଗିଆ, ୩୧।୮ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ କିଛିଦିନ ହେଲା ଚୋରା ବିଦେଶୀ ଓ ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହି ମଦ ପାଇଁ ଅଂଚଳରେ ଅସାମାଜିକ କାରବାର ମଧ୍ୟ ବୃଦ୍ଧି ପାଇଛି I ଏହି ମଦ କାରବାରକୁ ବନ୍ଦ କରିବାରେ ପୋଲିସ ଓ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏବେ ଅଂଚଳରୁ ମଦ କାରବାରକୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ I ଫିରିଙ୍ଗିଆ  ବଜାର୍ ଆରମ୍ଭ ହୋଇଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ I 

ଏହି ପରିପେକ୍ଷୀରେ ରବିବାର  ଫିରିଙ୍ଗିଆ ବଜାର ନାହଣା ଗାଁ ରେ ଥିବା ମା’ ତୁଳସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ଲୀଳାବତୀ ଦିଗାଳଙ୍କ ନେତୃତ୍ବରେ ଅନ୍ୟ ଏକ  ମହିଳା ଗୋଷ୍ଠୀ ଅର୍ଣ୍ଣପୂର୍ଣା ଗୃହର ମହିଳାମାନେ ଗାଁରେ ଦେଶୀ ମଦ ରାନ୍ଧୁ ଥିବା ଓ ବିକ୍ରି କରୁଥିବା ବିଭିନ୍ନ ଘରେ ପଶି ମଦ ରନ୍ଧା ଯାଉଥିବା ସାମଗ୍ରୀକୁ ଭଙ୍ଗାରୁଜା କରିବା ସହ ଏକ କୁଇଣ୍ଟାଲରୁ ଅଧିକ ମହୁଲ ପୋଚ, ପ୍ରାୟ ପଚାଶ ଲିଟର ମହୁଲି ମଦକୁ ନଷ୍ଟ କରି ଦେଇଥିଲେ I ଅନ୍ୟପଟେ ମହିଳାମାନେ ମଦ ରାନ୍ଧୁଥିବା ଲୋକଙ୍କୁ ତାଗିଦ ମଧ୍ୟ କରିଥିଲେ I ଆଗାମୀ ଦିନରେ ଅଞ୍ଚଳରେ ଏଭଳି ମଦ ବିରୋଧୀ ଆନ୍ଦୋଳନ ଜାରି ରହିବ ବୋଲି ମହିଳାମାନେ କହିଥିଲେ I