ବାରଙ୍ଗ,୧୩/୦୭: ରଘୁନାଥପୁରସ୍ଥିତ କ୍ଲବ ଲିଓର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି  ମୁମ୍ବାଇ କର୍ପୋରେଟ ଆକ୍ସାଞ୍ଚରର ମାନବସମ୍ବଳ ଅଧିକାରୀ ହୀନା ଶେଖ୍‌ ଅସଦାଚରଣର ଶିକାର ହୋଇଛନ୍ତି । କୌଶଳ କ୍ରମେ ଏହି ମହିଳା  ଅଧିକାରୀ ସେଠାରୁ ଖସି ଆସି ଥାନାରେ ଅଭିଯୋଗ  କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ୩  ଅଭିଯୁକ୍ତ ତମାଣ୍ଡୋ ଥାନା କଳିଙ୍ଗ ବିହାରର ରଘୁନାଥ  ସାହୁ (୩୦), ଖାରବେଳ ନଗର ଥାନା ମାଳି  କଲୋନୀର ଆନନ୍ଦ ସେଠୀ (୨୭) ଓ ପୁରୀ ବଳିଆ  ପଣ୍ଡାର ଶ୍ୱେତା ସାଲୋନୀ (୨୧)ଙ୍କୁ ଗିରଫ କରିଛି ।  

ପୁଲିସ ସୂଚନା ଅନୁଯାୟୀ ହୀନା ଗତ ୧୧  ତାରିଖରେ କ୍ଲବ୍‌ ଲିଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ତାଙ୍କ ରାତ୍ରରହଣି ପାଇଁ କ୍ଲବ ସାମ୍ନା ପର୍ଲ ଲିଫ ହୋଟେଲରେ ଏକ ରୁମ ବୁକ କରାଯାଇଥିଲା । ସେହି ରୁମସାମ୍ନାରେ ଆଉ  ଏକ ରୁମ କ୍ଲବ ଲିଓ ମ୍ୟାନେଜରଙ୍କ ନାମରେ ବୁକ୍‌ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ହୀନା ହୋଟେଲ ରୁମରେ ରହିବା ପାଇଁ ଆସିଥିଲେ । କ୍ଲବ ମାଲିକ ରଘୁନାଥ ମଧ୍ୟ ନିଜ ରୁମରେ ରହିଥିଲେ । ତାଙ୍କ ସହିତ ଥିଲେ ଆନନ୍ଦ ସେଠ, ଶ୍ୱେତ ସାଲୋନୀ, ରୋହିତ ଏବଂ ଅନ୍ୟଜଣେ ।  ଆନନ୍ଦଙ୍କ ସହ ଶ୍ୱେତ ସାଲୋନୀ ପାଖ ରୁମରେ  ଥିବା ହୀନାଙ୍କ ରୁମକୁ ଯାଇ କ୍ଲବ ମାଲିକ ରଘୁନାଥ  ରାତ୍ରୀଭୋଜନ ପାଇଁ ଡାକୁଥିବା କହିଥିଲେ । ସେ  ରଘୁନାଥଙ୍କ ରୁମ୍‌କୁ ଆସି ସମସ୍ତେ ମଦ୍ୟପାନ  କରିବା ସହ ସିଗାରେଟ୍‌ ଟାଣୁଥିବା ଦେଖିଥିଲେ । ହୀନା ସେଠାରୁ ପଳାଇ ଆସିବାକୁ ଚେଷ୍ଟା  କଲାବେଳେ ଆନନ୍ଦ ଓ ଅନ୍ୟମାନେ ତାଙ୍କୁ  ଅଟକାଇଥିଲେ । କ୍ଲବ ମାଲିକ ରଘୁନାଥ ସାହୁ ତାଙ୍କୁ ଅସଦାଚରଣ କରିଥିଲେ । ତେବେ ହୀନା କୌଶଳ  କ୍ରମେ ସେଠାରୁ ନିଜ ରୁମକୁ ଆସି ଭିତରପଟୁ  କବାଟ ବନ୍ଦ କରିଦେଇଥିଲେ । ସେ ହୋଟେଲ ରୁମ୍‌  ଭିତରୁ ନନ୍ଦନକାନନ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୁଲିସ ହୋଟେଲରେ ପହଞ୍ଚି  ହୀନାଙ୍କୁ ଉଦ୍ଧାର କରିଥିଲା । ପୁଲିସ ଅନୁସନ୍ଧାନ  କରି ରଘୁନାଥଙ୍କ ସମେତ ଆନନ୍ଦ ସେଠ, ଶ୍ୱେତ  ସାଲୋନୀଙ୍କ ନାମରେ ମାମଲା ରୁଜୁ କରିଛି ।  ନନ୍ଦନକାନନ ଥାନାରେ ହୀନା ଦେଇଥିବା ଏତଲାରେ  ରଘୁନାଥ ସାହୁ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର  କରିଥିବା ଏବଂ ଶ୍ୱେତ ସାଲୋନୀ, ଆନନ୍ଦ, ରୋହିତ  ଓ ମୁନା ନାମକ ବ୍ୟକ୍ତିମାନେ ଜୀବନରୁ ମାରିଦେବାର  ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ।