ନୂଆଦିଲ୍ଲୀ,୯।୧: ପୁରୁଷ ମତଦାତାଙ୍କୁ ପଛରେ ପକାଇଲେ ମହିଳା। କଲେ ରେକର୍ଡ ସଂଖ୍ୟକ ମତଦାନ। ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁରୁଷଙ୍କଠାରୁ ଆଗରେ ମହିଳା ଭୋଟର। ତେବେ ଜାତୀୟ ସ୍ତରରେ ଏବେ ବି ମହିଳା ଭୋଟରଙ୍କ ତୁଳନାରେ ପୁରୁଷ ଅଛନ୍ତି ଆଗରେ। ଏ ସମ୍ପର୍କରେ ୧ ଜାନୁଆରୀ ୨୦୨୫ରେ ପ୍ରକାଶିତ ଅନ୍ତିମ ମତଦାତା ସୂଚୀରୁ ମିଳିଛି ତଥ୍ୟ।
ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ବଢୁଛି ମହିଳାଙ୍କ ଯୋଗଦାନ। ପୁରୁଷ ଭୋଟରଙ୍କୁ ପକାଇଛନ୍ତି ପଛରେ। ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରେକର୍ଡ ସଂଖ୍ୟକ ମହିଳା ଦେଇଛନ୍ତି ଭୋଟ୍। ୧ ଜାନୁଆରୀ ୨୦୨୫ ରେ ପ୍ରକାଶିତ ଅନ୍ତିମ ମତଦାତା ସୂଚୀରୁ ଏହି ତଥ୍ୟ ମିଳିଛି। ଗତ ବର୍ଷ ୧ ଜାନୁଆରୀ ୨୦୨୪ରେ ଯେତେବେଳେ ସୂଚୀ ଅପଡେଟ୍ କରାଯାଇଥିଲା, ସେତେବେଳେ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ ଥିଲା। ତେବେ ରାଷ୍ଟ୍ରୀୟ ସ୍ତରରେ ଏବେ ବି ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ମତଦାତାଙ୍କଠାରୁ ୨.୩୩ କୋଟି କମ୍। ଭାରତରେ ମୋଟ୍ ୯୯ କୋଟିରୁ ଅଧିକ ମତଦାତାଙ୍କ ଭିତରେ ୫୦.୭ କୋଟି ପୁରୁଷ ଓ ୪୮.୩ କୋଟି ରହିଛନ୍ତି ମହିଳା। ତୃତୀୟ ଲିଙ୍ଗ ମତଦାତାଙ୍କ ସଂଖ୍ୟା ୪୮,୮୭୦ ରହିଛି। ସେଥିରେ ତାମିଲନାଡୁର,ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ଶୀର୍ଷରେ ରହିଛି।

ଚଳିତ ବର୍ଷ ଏହି ଲିଷ୍ଟରେ ଆସାମ, କର୍ଣ୍ଣାଟକ ଓ ନାଗାଲାଣ୍ଡ ସ୍ଥାନ ପାଇଛି। ଏହି ନୂତନ ତିନୋଟି ରାଜ୍ୟରେ ମହିଳା ମତଦାତାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ। ତେବେ ଚଣ୍ଡୀଗଡରେ ସ୍ଥିତି ଓଲଟା ରହିଛି। ସେଠାରେ ମହିଳାଙ୍କ ତୁଳନାରେ ପୁରୁଷ ମତଦାତାଙ୍କ ସଂଖ୍ୟା ଅଧିକ। ଚଣ୍ଡୀଗଡ ଓ ନାଗାଲାଣ୍ଡରେ ସୂଚୀ ଅସ୍ଥାୟୀ ରହିଛି। କାରଣ କିଛି ଦିନ ପରେ ଏଥିରେ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ବର୍ଷ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ରହିଛି ଆନ୍ଧ୍ର, ଅରୁଣାଚଳ, ଆସାମ,ଚଣ୍ଡୀଗଡ, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଣିପୁର, ମେଘାଳୟ, ମିଜୋରାମ,ନାଗାଲାଣ୍ଡ, ପୁଡୁଚେରୀ, ତାମିଲନାଡୁ ଓ ତେଲେଙ୍ଗାନା। ସେଭଳି ଲିଙ୍ଗଗତ ଅନୁପାତରେ ମଧ୍ୟ ସୁଧାର ହୋଇଛି। ଦେଶର ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୨୨ଟିରେ ଜାତୀୟ ହାରାହାରି ଲିଙ୍ଗ ଅନୁପାତ ୯୫୪ରୁ ଅଧିକ ରେକର୍ଡ କରାଯାଇଛି। ୧୪ ରାଜ୍ୟରେ ଏହି ଅନୁପାତ ମହିଳାଙ୍କ ପକ୍ଷରେ ରହିଛି। ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣା ଭଳି ରାଜ୍ୟରେ ଲିଙ୍ଗ ଅନୁପାତ ହ୍ରାସ ପାଇଛି। ୨୦୨୫ ମତଦାତା ସୂଚୀ ଅନୁସାରେ, ପୁଡୁଚେରୀରେ ମହିଳାମାନେ ସର୍ବାଧିକ ୫୩.୨%, ଭୋଟ୍ ଦେଇଛନ୍ତି। କେରଳ ଓ ମଣିପୁରରେ ୫୧,୭%, ମିଜୋରାମରେ ୫୧.୫% ଓ ଆନ୍ଧ୍ର, ଅରୁଣାଚଳ ଓ ତାମିଲନାଡୁରେ ପ୍ରାୟ ୫୧% ଭୋଟିଂ କରିଛନ୍ତି। ୨୦୨୪ ଳୋକସଭା ନିର୍ବାଚନରେ ମହିଳାମାନେ ୬୫.୮% ଓ ପୁରୁଷମାନେ ୬୫.୬% ଦେଇଛନ୍ତି ମତଦାନ। ଏହି ସଂଖ୍ୟା ରାଜନୀତିରେ ମହିଳାଙ୍କ ଭାଗିଦାରୀ ବଢୁଥିବା ନେଇ ଏକ ସକାରତ୍ମକ ସଙ୍କେତ।