କଲମ୍ବୋ,୧୦/୦୫: ଶ୍ରୀଲଙ୍କାରେ ଚାଲିଥିବା ମହିଳା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜରେ ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି । ଆସନ୍ତା ୧୧ ତାରିଖରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଫାଇନାଲ୍‌ ମୁକାବିଲା ଖେଳାଯିବ । ଶୁକ୍ରବାର ଅନୁଷ୍ଠିତ ଅନ୍ତିମ  ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ରନ୍‌ରେ ଶ୍ରୀଲଙ୍କାକୁ ହରାଇଥିଲେ ହେଁ ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନରେ ରହି ବିଦାୟ ନେଇଥିଲା ।  

ଭାରତ ମୋଟ ୬ପଏଣ୍ଟ ସହ ପ୍ରଥମ, ଶ୍ରୀଲଙ୍କା ୪ପଏଣ୍ଟ ସହ ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକା ୨ପଏଣ୍ଟ ସହ ତୃତୀୟରେ ରହିଥିଲା । ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଦକ୍ଷିଣ ଆଫ୍ରିକା ୯/୩୧୫ରନ୍‌  ସଂଗ୍ରହ କରିଥିଲା । ଆନେରି  ଡେରେକସେନ ୧୦୪ (୯ଚୌକା, ୫ଛକା), କ୍ଲୋଏ ଟ୍ରାୟନ ୭୪  (୪ଚୌକା, ୫ଛକା), ତଜମିନ ବ୍ରିଟ୍ସ ୩୮, ଲାଉରା ଉଲଭାର୍ଟ ୩୩  ଏବଂ ନାଦିନ ଡି କ୍ଲାର୍କ ଅପରାଜିତ ୩୨ରନ୍‌ କରିଥିଲେ । ଶ୍ରୀଲଙ୍କାର  ଡ୍ୱିମି ବିହାଙ୍ଗ ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଏହାର ଜବାବରେ  ଶ୍ରୀଲଙ୍କା ୪୨.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୩୯ରନ୍‌ କରିବାକୁ  ସକ୍ଷମ ହୋଇଥିଲା । ଚାମରି ଆଟାପଟୁ ୫୨, ହାସିନି ପେରେରା ୩୦,  ଭିସ୍ମି ଗୁଣରତ୍ନେ ୨୪, ହର୍ଷିତା ସମରବିକ୍ରମା ୩୩, ଅନୁଷ୍କା ସଞ୍ଜିବନୀ  ଅପରାଜିତ ୪୩ରନ୍‌ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଟ୍ରାୟନ  ହ୍ୟାଟ୍ରିକ୍‌ ସହ ୫ଟି ୱିକେଟ୍‌ ନେଇଥିଲେ । ଅଲରାଉଣ୍ଡର ପ୍ରଦର୍ଶନ  ପାଇଁ ସେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।