ଏକ ସନ୍ତୁଳିତ ସମାଜ ହେଉଛି ସମସ୍ତ କର୍ମଜୀବୀଙ୍କ ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ଏବଂ ଦୀର୍ଘକାଳୀନ ସମୃଦ୍ଧି ସୁନିଶ୍ଚିତ କରିବାର ଚାବିକାଠି । ଦୀର୍ଘ କାର୍ଯ୍ୟଘଣ୍ଟାକୁ ପ୍ରୋତ୍ସାହନ ଦେବା  ବଦଳରେ ସ୍ଥାୟୀ ଏବଂ ଦକ୍ଷ କାର୍ଯ୍ୟସୂଚୀ ଉପରେ ଧ୍ୟାନ ଦିଆଯିବା ଉଚିତ, ଯାହା ଉତ୍ପାଦକତା ଏବଂ  କର୍ମଚାରୀଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ଏପରି ଏକ ସମାଜ ଗଠନ ହୋଇପାରିବ,  ଯେଉଁଠାରେ ପୁରୁଷ ଏବଂ ମହିଳାମାନେ ସ୍ୱାସ୍ଥ୍ୟ, ପରିବାର କିମ୍ବା ବ୍ୟକ୍ତିଗତ ସମୟ ସହିତ କୌଣସି  ପ୍ରକାର ସାଲିସ୍‌ ନକରି ବୃତ୍ତିଗତ ସଫଳତା ହାସଲ ସହ ଦେଶ ସମୃଦ୍ଧିରେ ସହାୟକ ହୋଇପାରିବେ ।

ଜଣେ କର୍ମଚାରୀ ଦୈନିକ କେତେ ଘଣ୍ଟା  କାର୍ଯ୍ୟ କରିପାରିବ ବା କରିବା ଉଚିତ ।  ଏ ସମ୍ପର୍କରେ ସମ୍ପ୍ରତି ଗଣମାଧ୍ୟମରେ  ଖୁବ୍‌ ଆଲୋଚନା ଚାଲିଛି । ନିକଟରେ ଏଲଏଣ୍ଡଟି  କର୍ମଚାରୀମାନଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ  ଏହାର ଅଧ୍ୟକ୍ଷ ଶ୍ରୀ ଏସ୍‌.ଏନ୍‌. ସୁବ୍ରମଣ୍ୟମ ସପ୍ତାହରେ  କର୍ମଚାରୀମାନେ ୯୦ଘଣ୍ଟା କାମ କରିବା ସମ୍ପର୍କରେ  ମନ୍ତବ୍ୟ ପ୍ରଦାନ ପରେ ଏହାକୁ ନେଇ ବିତର୍କ ଆରମ୍ଭ  ହୋଇଛି । କର୍ମଚାରୀଙ୍କ ସହିତ ଆଲୋଚନା ସମୟରେ  ତାଙ୍କୁ ପଚରାଯାଇଥିଲା ଯେ, କୋଟି କୋଟି ଡଲାରର ଏହି  କମ୍ପାନୀ କାହିଁକି ଶନିବାର ଦିନ ମଧ୍ୟ ତାର କର୍ମଚାରୀମାନଙ୍କୁ  କାମ କରାଉଛି । ଏହାର ଉତ୍ତରରେ ସୁବ୍ରମଣ୍ୟମ କହିଥିଲେ  ଯେ “ରବିବାର ଦିନ ତୁମକୁ କାମ କରାଇ ପାରିନଥିବାରୁ  ମୁଁ ଦୁଃଖିତ । ଯଦି ମୁଁ ତୁମକୁ ରବିବାର ଦିନ କାମ  କରାଇପାରିବି, ତେବେ ମୁଁ ଅଧିକ ଖୁସି ହେବି, କାରଣ  ମୁଁ ରବିବାର ଦିନ କାମ କରେ” । ଏଲଆଣ୍ଡଟି’ର ଅଧ୍ୟକ୍ଷ  ଏସ୍‌.ଏନ୍‌. ସୁବ୍ରମଣ୍ୟମ ଆହୁରି ପରାମର୍ଶ ଦେଇଥିଲେ  ଯେ, ପ୍ରତିଯୋଗିତାମୂଳକ ବିକାଶରେ ରହିବା ପାଇଁ  କର୍ମଚାରୀମାନେ ରବିବାର ସମେତ ସପ୍ତାହରେ ୯୦ଘଣ୍ଟା  ପର୍ଯ୍ୟନ୍ତ କାମ କରିବା ଉଚିତ । ଅର୍ଥାତ୍‌ ବିନା ସାପ୍ତାହିକ  ଛୁଟିରେ ଦିନକୁ ପ୍ରାୟ ତେରଘଣ୍ଟା ଶ୍ରମଦାନ ସପକ୍ଷରେ  ସେ ମତ ରଖିଥିଲେ । ସପ୍ତାହରେ ଅଧିକ ସମୟ  ଶ୍ରମଦାନ ସପକ୍ଷରେ ଏଲଏଣ୍ଡଟି ଅଧ୍ୟକ୍ଷ ଶ୍ରୀ ଏସ୍‌. ଏନ୍‌. ସୁବ୍ରମଣ୍ୟମଙ୍କ ପୂର୍ବରୁ ଇନ୍‌ଫୋସିସ ସଂସ୍ଥାପକ  ନାରାୟଣ ମୂର୍ତ୍ତି ମଧ୍ୟ ନିଜର ମତାମତ ପ୍ରଦାନ କରିଛନ୍ତି ।  ସେ ସପ୍ତାହକୁ ୭୦ଘଣ୍ଟା ପରିଶ୍ରମ କରିବାକୁ କର୍ମଚାରୀଙ୍କୁ  ପରାମର୍ଶ ଦେଇଛନ୍ତି । ନାରାୟଣ ମୂର୍ତ୍ତିଙ୍କ ଯୁକ୍ତିକୁ  ସମର୍ଥନ ମିଳିଛି କେବଳ ଉଚ୍ଚ ବେତନଧାରୀଙ୍କ ପକ୍ଷରୁ । ନାରାୟଣ ମୂର୍ତ୍ତିଙ୍କ ଟିପ୍ପଣୀକୁ ସମର୍ଥନ କରିଥିବା ଲୋକଙ୍କ  ମଧ୍ୟରେ ଅଧିକାଂଶ ହେଉଛନ୍ତି ସେଇମାନେ, ଯେଉଁମାନଙ୍କର  ରୋଜଗାର ଲକ୍ଷ ଟଙ୍କାରେ ହିସାବକୁ ଆସିଥାଏ । ଯେଉଁମାନଙ୍କର ମାସିକ ରୋଜଗାର ଅନ୍ୟମାନଙ୍କ ବାର୍ଷିକ  ବେତନ ସହ ବି ସମାନ ହୋଇନଥାଏ । 

ନାରାୟଣ ମୂର୍ତ୍ତିଙ୍କ  ଟିପ୍ପଣୀ ହେଉ ବା ସୁବ୍ରମଣ୍ୟମଙ୍କ ଟିପ୍ପଣୀ ହେଉ, ଯଦି ଏହା  ଲାଗୁ ହୁଏ ତେବେ କମ୍‌ ରୋଜଗାର କରୁଥିବା କର୍ମଚାରୀଙ୍କ ପ୍ରତି ଅମାନବୀୟ ହେବ । ଇନ୍‌ଫୋସିସ ସଂସ୍ଥାପକଙ୍କ  ଯୁକ୍ତି ହେଉଛି, ଦେଶର ଯୁବବର୍ଗ ୭୦ଘଣ୍ଟା କାମ କରିବା  ଦରକାର । ଯଦି ପଡ଼ୋଶୀ ଦେଶ ଚୀନ ସହ ମୁକାବିଲା  କରିବାକୁ ଚାହୁଁଚ ତେବେ ସପ୍ତାହକୁ ୭୦ଘଣ୍ଟା ପରିଶ୍ରମ  କର । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ, ନାରାୟଣ ମୂର୍ତ୍ତିଙ୍କ ୭୦ଘଣ୍ଟା ବା ସୁବ୍ରମଣ୍ୟମଙ୍କ ୯୦ଘଣ୍ଟା ପରିଶ୍ରମ ବଦଳରେ  କର୍ମଚାରୀଙ୍କ ବେତନ କେତେ ଗୁଣା ବୃଦ୍ଧିହେବ? ଧରନ୍ତୁ, ଜଣେ କର୍ମଚାରୀ ବର୍ତ୍ତମାନ ୨୫-୩୦ ହଜାର ଟଙ୍କା ବେତନ  ପାଉଛି । ତେବେ ସେ ସେହି ବେତନ ଆଧାରରେ ୭୦ଘଣ୍ଟା  ବା ୯୦ଘଣ୍ଟା ପରିଶ୍ରମ କରିବ କି? କିଛି ଟଙ୍କା ଅଧିକ ପାଇବ  ବୋଲି କୌଣସି କର୍ମଚାରୀ ନିଜର ପାରିବାରିକ ଜୀବନଙ୍କୁ  ଜଳାଞ୍ଜଳି ଦେଇଦେବ କି? ଧରାଯାଉ, ଆପଣଙ୍କ ଦରମା  ବଢ଼ାଇ ଦିଆଗଲା । ତେବେ ଆପଣଙ୍କ ୭୦ଘଣ୍ଟା କାର୍ଯ୍ୟ  ବ୍ୟାବହାରିକ ହୋଇପାରିବ କି? ସପ୍ତାହକୁ ସାତଦିନଯାକ  ଆପଣ ବିନା ଛୁଟିରେ ଦିନକୁ ଦଶଘଣ୍ଟା ହିସାବରେ କାମ  କରିପାରିବେ କି? ଯଦି ରବିବାରକୁ ଛୁଟି ଦିଆଯାଏ ତେବେ  ଅନ୍ୟ ଛଅଦିନ ବାର ଘଣ୍ଟା ଲେଖାଏଁ କାମ କଲେ ସତୁରି  ଘଣ୍ଟା ହେବ । ସେହିପରି ଶନିବାର ଓ ରବିବାରକୁ ଛୁଟି  ଦିଆଗଲେ ଅନ୍ୟ ପାଞ୍ଚଦିନ ଦିନକୁ ୧୪ଘଣ୍ଟା କାମ କରିବାକୁ  ପଡ଼ିବ । କ’ଣ ହେବ ଏହି ସତୁରି ଘଣ୍ଟା କାମ କରିବାର  ଫର୍ମୁଲା । 

ଯେଉଁମାନେ ନାରାୟଣ ମୂର୍ତ୍ତିଙ୍କ ଯୁକ୍ତିକୁ ବା  ସୁବ୍ରମଣ୍ୟମଙ୍କ ଯୁକ୍ତିକୁ ସମର୍ଥନ କରୁଛନ୍ତି ସେମାନେ ଉଚ୍ଚ  ବେତନଧାରୀ । ସେମାନେ ବିମାନରେ ଯିବା ଆସିବା କରନ୍ତି ।  ସେମାନଙ୍କର ନିଜସ୍ୱ କାର୍‌ ଅଛି ଓ କାର୍‌ ଚଳାଇବା ପାଇଁ  ଡ୍ରାଇଭର ବି ଅଛନ୍ତି । ସେମାନେ କେବେ ଦୋକାନରୁ ପରିବା  କିଣନ୍ତିନି କି ନିଜେ ଘରେ ରୋଷେଇ କରନ୍ତିନି । ପରିବାର  ଲୋକଙ୍କର ଆବଶ୍ୟକତା ତୁରନ୍ତ ପୂରଣ କରିବାକୁ କଷ୍ଟ  କରିବାକୁ ପଡିନଥାଏ । ସେମାନେ ମାସକୁ ତିରିଶ ହଜାର  ବା ଚାଳିଶ ହଜାର ଦରମା ନେଇ ସର୍ବସାଧାରଣ ଗାଡ଼ିରେ  ଅଫିସ ଯିବାଆସିବା କରି ଦିନକୁ ୧୪ଘଣ୍ଟା କାମ କରି  ଉଦାହରଣ ଦେଖାନ୍ତୁ । ମହିଳା କର୍ମଚାରୀଙ୍କ କଥା ଯଦି  ବିଚାରକୁ ନିଆଯାଏ, ତେବେ ସେମାନଙ୍କ କ୍ଷେତ୍ରରେ ତ ଏହା ଆହୁରି ଅଧିକ କଷ୍ଟଦାୟକ ହୋଇଯିବ । ନା  ସେମାନେ ଘରକାମ ଠିକ୍‌ରେ କରିପାରିବେ ନା ପିଲା  ଛୁଆଙ୍କ ଯତ୍ନ ଠିକ୍‌ରେ ନେଇପାରିବେ । ସ୍ୱଳ୍ପ ବେତନରେ ସେମାନେ ଘରେ କାମବାଲୀ ବି ରଖିପରିବେନି । ସେମାନଙ୍କ  ପାରିବାରିକ ଜୀବନ ନିଶ୍ଚିତ ଦୁର୍ବିସହ ହୋଇପଡ଼ିବ ।  ଏପରିକି ବିବାହ କରିବା ବା ପିଲାଛୁଆ ଜନ୍ମ କରିବା ପୂର୍ବରୁ  ସେମାନଙ୍କୁ ଅନେକ ଥର ଭାବିବାକୁ ପଡ଼ିବ । କର୍ମକ୍ଷେତ୍ରରେ ସେମାନଙ୍କ ଶ୍ରମଦାନ ସେମାନଙ୍କ ପାରିବାରିକ ଅଶାନ୍ତିର  କାରଣ ହୋଇଯିବ । 

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ନୋବେଲ ବିଜେତା  କ୍ଲାଉଡିଆ ଗୋଲଡିନ୍‌ଙ୍କ ମତରେ, ବୃତ୍ତିଗତ ପ୍ରତିବଦ୍ଧତାକୁ  ପ୍ରାଥମିକତା ଦେଉଥିବା ବା କର୍ମକ୍ଷେତ୍ରରେ ଅଧିକ ସମୟ  ଅତିବାହିତ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ବ୍ୟକ୍ତିଗତ  ଏବଂ ପାରିବାରିକ ଦାୟିତ୍ୱକୁ ହତାଦର କରିଥାନ୍ତି । ସର୍ବୋପରି ଯେଉଁ ପରିବାରରେ ଉଭୟ ପତି ଓ ପତ୍ନୀ  କର୍ମଜୀବୀ ହୋଇଥାନ୍ତି ସେମାନଙ୍କ ପାଇଁ ଚ୍ୟାଲେଞ୍ଜ  ଅଧିକ ହୋଇଥାଏ । ଏଭଳି କ୍ଷେତ୍ରରେ କାର୍ଯ୍ୟାଳୟରେ  ପୂରା ସମୟ ଦେଉଥିବା ଲୋକଙ୍କ ବ୍ୟକ୍ତିଗତ ଜୀବନ  ଦୁର୍ବିସହ ହୋଇପଡ଼େ । ଦୀର୍ଘସମୟ ଧରି କାମ କରୁଥିବା ଉଭୟ ପୁରୁଷ ଏବଂ ମହିଳା ବିଶ୍ରାମ ନେବାପାଇଁ ପର୍ଯ୍ୟାପ୍ତ  ସମୟ ପାଆନ୍ତିନାହିଁ, ଯାହାଫଳରେ ଶାରୀରିକ ଏବଂ  ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଏହା ବ୍ୟକ୍ତି ଏବଂ  ସଂଗଠନ ପାଇଁ ଦୀର୍ଘକାଳୀନ ଭାବରେ ସ୍ଥାୟୀ ନୁହେଁ ।  ସ୍ୱଭାବରେ ଚିଡ଼ିଚିଡ଼ା ପଣ ସାଙ୍ଗକୁ ଆବଶ୍ୟକ ସଂଖ୍ୟକ  କର୍ମଚାରୀ ଅଭାବ ଓ ତା’ ସାଙ୍ଗକୁ ଅଧିକ କାର୍ଯ୍ୟଭାର, ଏହା  ମଣିଷକୁ ମଣିଷ ନୁହେଁ, ଯନ୍ତ୍ରମାନବ କରିଦେବ । ଏହାକୁ ମନସ୍ତତ୍ତ୍ୱବିତ୍‌ଙ୍କ ଭାଷାରେ ମାନବୀୟତାର ହତ୍ୟା କୁହାଯାଏ ।  ଏହା ଅନେକ ରୋଗ ଓ ଶାରୀରିକ ମାନସିକ ଅସନ୍ତୁଳନର  କାରଣ ବି ହୋଇପାରେ । ଦେଶ ଏବେ ବେରୋଜଗାର  ସୀମା ଟପିବାକୁ ପ୍ରସ୍ତୁତ ହେଲାଣି । ନୂତନ ନିଯୁକ୍ତି କରି  ସେମାନଙ୍କୁ କର୍ମକ୍ଷେତ୍ରରେ ସୁଯୋଗ ଦେବା ବଦଳରେ  କର୍ମଚାରୀଙ୍କ କାର୍ଯ୍ୟ ସମୟ ବୃଦ୍ଧି ନିଶ୍ଚିତ ଅମାନବୀୟ ।  

ଏଲଏଣ୍ଡଟି ଅଧ୍ୟକ୍ଷ ଓ ଇନ୍‌ଫୋସିସ ସଂସ୍ଥାପକଙ୍କ ପ୍ରତି  ଜାତୀୟ ସ୍ତରରେ ସମ୍ମାନ ରହିଛି । ସେମାନେ କଠୋର  ପରିଶ୍ରମ ଓ ତ୍ୟାଗ ବଳରେ ସଫଳତାର ଚରମ  ଶିଖରରେ ପହଞ୍ଚିଛନ୍ତି । ସେମାନଙ୍କର ମନ୍ତବ୍ୟ ଓ ବକ୍ତବ୍ୟ  ଭାରତର ବିକାଶ ପାଇଁ ଉଦ୍ଦିଷ୍ଟ । ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ଆମ ଦେଶରେ ପ୍ରାୟ ୫୨କୋଟିରୁ ଅଧିକ  ଶ୍ରମିକ ସଂସାଧନ ରହିଛି । ସବୁଠାରୁ ବଡ଼ କଥା ହେଲା,  ଏହାର ୮୫ଭାଗ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।  ଏଥିରେ ସରକାରୀ ଓ ବେସରକାରୀ କ୍ଷେତ୍ର ମିଶାଇଦେଲେ  କର୍ମଚାରୀ ସଂଖ୍ୟା ୬୦କୋଟି ପାର ହୋଇଯିବ । ଏତେବଡ଼  ବିଶାଳ ମାନବ ସଂସାଧନକୁ ଯଦି ଆମ ଦେଶକୁ ବିକଶିତ  ଭାରତ ରୂପରେ ରୂପାନ୍ତରିତ କରିବା ପାଇଁ ଏକଘଣ୍ଟା  ଅତିରିକ୍ତ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦିଆଯାଏ, ଏହା  ନିଶ୍ଚିତ ଫଳପ୍ରଦ ହେବ ଓ ୬୦କୋଟି ଘଣ୍ଟାର ଯୋଗଦାନ  ସଚ୍ଚା ଦେଶପ୍ରେମର ନିଦର୍ଶନ ହେବ । 

କର୍ମଚାରୀଙ୍କ  କାର୍ଯ୍ୟାଳୟ ସମୟ ପରେ କାମରୁ ବିଚ୍ଛିନ୍ନ ହେବାର  ଅଧିକାରକୁ ସମ୍ମାନ ଦେଉଥିବା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଉ । ଏହାଦ୍ୱାରା କାର୍ଯ୍ୟ- ଜୀବନ ସନ୍ତୁଳନକୁ ଉନ୍ନତ କରାଯିବ । କର୍ମଚାରୀମାନେ  ବିଶ୍ରାମ ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସମୟ  ପାଇପାରିବେ । ସାପ୍ତାହିକ କାର୍ଯ୍ୟଘଣ୍ଟା (୪୮ଘଣ୍ଟା ସୀମା)  ଉପରେ ସୀମା ସ୍ଥିର ହେଉ । ଏକ ସନ୍ତୁଳିତ ସମାଜ ହେଉଛି  ସମସ୍ତ କର୍ମଜୀବୀଙ୍କ ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା  ଏବଂ ଦୀର୍ଘକାଳୀନ ସମୃଦ୍ଧି ସୁନିଶ୍ଚିତ କରିବାର ଚାବିକାଠି ।  ଦୀର୍ଘ କାର୍ଯ୍ୟଘଣ୍ଟାକୁ ପ୍ରୋତ୍ସାହନ ଦେବା ବଦଳରେ ସ୍ଥାୟୀ  ଏବଂ ଦକ୍ଷ କାର୍ଯ୍ୟସୂଚୀ ଉପରେ ଧ୍ୟାନ ଦିଆଯିବା ଉଚିତ,  ଯାହା ଉତ୍ପାଦକତା ଏବଂ କର୍ମଚାରୀଙ୍କ କଲ୍ୟାଣ ଉଭୟକୁ  ପ୍ରୋତ୍ସାହିତ କରିବ । ଏହାଦ୍ୱାରା ଏପରି ଏକ ସମାଜ ଗଠନ  ହୋଇପାରିବ, ଯେଉଁଠାରେ ପୁରୁଷ ଏବଂ ମହିଳାମାନେ  ସ୍ୱାସ୍ଥ୍ୟ, ପରିବାର କିମ୍ବା ବ୍ୟକ୍ତିଗତ ସମୟ ସହିତ କୌଣସି  ପ୍ରକାର ସାଲିସ୍‌ ନକରି ବୃତ୍ତିଗତ ସଫଳତା ହାସଲ ସହ  ଦେଶ ସମୃଦ୍ଧିରେ ସହାୟକ ହୋଇପାରିବେ ।