ଭୁବନେଶ୍ୱର, ୩୦।୩: ଏମ୍ସ ଭୁବନେଶ୍ୱର ପକ୍ଷରୁ ଜାତୀୟ ଚିକିତ୍ସା ବିଜ୍ଞାନ ଏକାଡେମୀ (ନାମ୍ସ) ସହଯୋଗରେ ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା(ସିଏମ୍ଇ) ଆୟୋଜିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ର ଅତିରିକ୍ତ ଶାସନ ସଚିବ ସୁଭାଶିଷ ପଣ୍ଡା ଯୋଗ ଦେଇ ଅଙ୍ଗ ପ୍ରତିରୋପଣରେ ଏଆଇର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ବିଶାଳ ଡାଟାବେସ୍କୁ ଏକୀକୃତ କରିବା, ବିଶେଷଜ୍ଞମାନଙ୍କୁ ନିଷ୍ପତ୍ତି ନେବାରେ ସହାୟତା ପୂର୍ବକ ଏଆଇ ଅଙ୍ଗ ପ୍ରତିରୋପଣକୁ ବ୍ୟବସ୍ଥିତ ଏବଂ ତ୍ବରାନ୍ବିତ କରିବା କ୍ଷେତ୍ରରେ ଉତ୍ପ୍ରେରକର ଭୂମିକା ନିର୍ବାହ କରିବ। ଭାରତ ଅଙ୍ଗ ପ୍ରତିରୋପଣରେ ବିଶ୍ୱ ସ୍ତରରେ ତୃତୀୟ ଅଗ୍ରଣୀ ଦେଶ ଭାବରେ ସ୍ଥାନ ପାଇଛି। ଏକ୍ଷେତ୍ରରେ ମହିଳାମାନେ ସବୁଠାରୁ ବଡ଼ ଦାତା ଗୋଷ୍ଠୀ ବୋଲି ସେ କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାରେ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଭୁବନେଶ୍ୱରରେ ଭାରତ ସରକାରଙ୍କ ଦ୍ୱାରା ଏମ୍ସ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ସମୟରେ ଏହା ଏମ୍ସ ଦିଲ୍ଲୀ ସହିତ ଦେଶର ଏକ ପ୍ରସିଦ୍ଧ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ମାନ୍ୟତା ପାଇପାରିଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ, ଦାତା ପୁଲକୁ ବିସ୍ତାର କରିବା, ସଂସ୍ଥାଗତ ପ୍ରସ୍ତୁତିକୁ ମଜବୁତ କରିବା, ଜାତୀୟ ନୀତି ରଣନୀତି ସହିତ ସମନ୍ୱୟ ରଖିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଏମ୍ସ ଭୁବନେଶ୍ୱର ଅଙ୍ଗ ପ୍ରତିରୋପଣ ଏବଂ କୃତ୍ରିମ ବୁଦ୍ଧିମତ୍ତା ପାଇଁ ଏକ ଆଞ୍ଚଳିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ସମ୍ପର୍କରେ ସୂଚନା ଦେଇଥିଲେ।

ନାମ୍ସ ସଭାପତି ଡ. ଦିଗମ୍ବର ବେହେରା ଅଙ୍ଗଦାନ କ୍ଷେତ୍ରରେ ଚାହିଦା ଓ ଯୋଗାଣ ମଧ୍ୟରେ ରହିଥିବା ସ୍ପଷ୍ଟ ପାର୍ଥକ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ସଂଗଠନ ସମ୍ପାଦକ ଡ. ଭାଗୀରଥି ଦ୍ୱିବେଦୀ ଧନ୍ୟବାଦ ଦେଇଥିଲେ।ନୀତି ଆୟୋଗ ସଦସ୍ୟ ପ୍ରଫେସର ଭି କେ ପଲ୍ ଆଭାସି ଜରିଆରେ ସମାବେଶକୁ ସମ୍ବୋଧିତ କରିଥିଲେ।

ଏହି ଦିନିକିଆ ଆଞ୍ଚଳିକ କର୍ମଶାଳାରେ ଆଇଆଇଟି ଭୁବନେଶ୍ୱର, ପିଜିଆଇଏମ୍ଇଆର ଚଣ୍ଡିଗଡ଼, ନାଇସର୍ ଭୁବନେଶ୍ୱର, ଓଟିଟିଇଟି, ଆଇଜର୍ ବ୍ରହ୍ମପୁର, ଆଇଜିଆଇଏମ୍ଏସ ପାଟନା ଭଳି ପ୍ରମୁଖ ପ୍ରତିଷ୍ଠାନ, ରୋଟ୍ଟୋ ଏବଂ ସୋଟ୍ଟୋ ଭଳି ଜାତୀୟ ପ୍ରତିରୋପଣ ସଂଗଠନର ବିଶିଷ୍ଟ ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଥିଲେ। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ ଭଳି ଚାରୋଟି ରାଜ୍ୟରୁ ତିନି ଶହରୁ ଅଧିକ ଚିକିତ୍ସକଙ୍କ ସମେତ ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) କ୍ଷେତ୍ରର ପ୍ରସିଦ୍ଧ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।