ନୂଆଦିଲ୍ଲୀ,୨୫/୧୧: ଆଜିଠୁ ସିଙ୍ଗାପୁର ବିଶ୍ୱ ଚେସ୍ ଚାମ୍ପିଅନସିପ୍ । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଚୀନର ଡିଙ୍ଗ୍ ଲିରେନ ଓ ଭାରତର ପ୍ରତିଭାବାନ ଖେଳାଳି ଡି. ଗୁକେଶ ବିଶ୍ୱ ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହେବେ । ରିସୋର୍ଟ୍ସ ୱାର୍ଲ୍ଡ ସେଣ୍ଟୋସା ହଲ୍ରେ ଏହି ମୁକାବିଲା ଅନୁଷ୍ଠିତ ହେବ ।
୧୯ ଦିନ, ୧୪ ରାଉଣ୍ଡ୍: ଟୁର୍ଣ୍ଣାମେଣ୍ଟ ସୋମବାରଠୁ ଆରମ୍ଭ ହୋଇ ଡିସେମ୍ବର ୧୩ତାରିଖ ଶେଷ ହେବ । ୧୪ ତାରିଖରେ ଉଦ୍ଯାପନୀ ଉତ୍ସବ ଆୟୋଜିତ ହେବ । ଉଭୟ ଖେଳାଳିଙ୍କ ମଧ୍ୟରେ ମୋଟ ୧୪ଟି ରାଉଣ୍ଡ୍ ଖେଳାଯିବ । ୧୨ ତାରିଖରେ ଅନ୍ତିମ ରାଉଣ୍ଡ୍ ରହିଛି । ଯଦି ମ୍ୟାଚ୍ ଟାଇବ୍ରେକ୍କୁ ଯାଏ, ତା’ହେଲେ ୧୩ତାରିଖରେ ଖେଳାଯିବ । କ୍ଲାସିକାଲ ଫର୍ମାଟରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଉଭୟ ଖେଳାଳିଙ୍କୁ ପ୍ରତି ରାଉଣ୍ଡ୍ରେ ୧୨୦ମିନିଟ୍ ଲେଖାଏଁ ମିଳିବ । ଏଥିରେ ସେମାନେ ପ୍ରଥମ ୪୦ଟି ଗୋଟି ଚାଳନା କରିବେ । ଫଳାଫଳ ନ ବାହାରିଲେ ଅତିରିକ୍ତ ୩୦ମିନିଟ୍ (ପ୍ରତି ଗୋଟି ଚାଳନା ପାଇଁ ୩୦ସେକେଣ୍ଡ ବଢ଼ାଯିବ) ଖେଳ ହେବ ।
ଗୁକେଶ ଟାଇଟଲ ଦାବିଦାର: ଚଳିତ ବର୍ଷ ଗୁକେଶ କ୍ୟାଣ୍ଡିଡେଟ୍ସ ଚାମ୍ପିଅନ୍ ହେବା ସହ ବିଶ୍ୱ ଚାମ୍ପିଅନସିପ୍ ମ୍ୟାଚ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେ ଏବେ ଭଲ ଫର୍ମରେ ରହିଛନ୍ତି । ଫିଡେ ମାନ୍ୟତା ତାଲିକାରେ ଗୁକେଶ ୨୭୮୩ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି । ମାତ୍ର ଡିଫେଣ୍ଡିଂ ଚାମ୍ପିଅନ୍ ଲିରେନ ୨୭୨୮ପଏଣ୍ଟ ସହ ତାଲିକାରେ ୨୩ତମ ସ୍ଥାନରେ ରହିଛନ୍ତି । ଗତ ବର୍ଷ ଲିରେନ ରୁଷିଆର ଇଆନ୍ ନେପୋମନିଆଚିଙ୍କୁ ହରାଇ ବିଶ୍ୱ ଚାମ୍ପିଅନ୍ ହେବାର ଗୌରବ ଲାଭ କରିଥିଲେ । ଚଳିତ ସିଜନରେ ଲିରେନଙ୍କ ପ୍ରଦର୍ଶନ ସେତେଟା ଭଲ ନାହିଁ । ମୋଟ ଉପରେ କହିବାକୁ ଗଲେ ଗୁକେଶ ଟାଇଟଲ୍ ଦାବିଦାର ରହିଛନ୍ତି ।
୨ ଏସୀୟ ଖେଳାଳି: ଟୁର୍ଣ୍ଣାମେଣ୍ଟ ଇତିହାସରେ ଦୀର୍ଘ ୧୩୮ ବର୍ଷ ପରେ ପ୍ରଥମ ଥର ଦୁଇ ଜଣ ଏସୀୟ ଖେଳାଳିଙ୍କ ମଧ୍ୟରେ ବିଶ୍ୱ ଚାମ୍ପିଅନସିପ୍ ଫାଇନାଲ୍ ଖେଳାଯିବ । ଗୁକେଶଙ୍କ ନିକଟରେ ଦ୍ୱିତୀୟ ଭାରତୀୟ ପୁରୁଷ ଖେଳାଳି ଭାବେ ବିଶ୍ୱ ଚାମ୍ପିଅନ୍ ହେବାର ସୁବର୍ଣ୍ଣ ସୁଯୋଗ ରହିଛି । ପୂର୍ବରୁ ବିଶ୍ୱନାଥନ ଆନନ୍ଦ ୫ଥର ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ ।
ପୁରସ୍କାର: ଚାମ୍ପିଅନ୍ଙ୍କୁ ୨.୫ମିଲିୟନ ଡଲାର ତଥା ଭାରତୀୟ ମୁଦ୍ରାରେ ୨୦.୮କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ପ୍ରତି ରାଉଣ୍ଡ୍ରେ ବିଜେତା ଖେଳାଳିଙ୍କୁ ପାଖାପାଖି ୧.୬୭କୋଟି ଟଙ୍କା ମିଳିବ ।