ନୂଆଦିଲ୍ଲୀ: ଚେସ୍‌ ଦୁନିଆର ନୂଆ ବାଦଶାହ ଭାରତର ଡି. ଗୁକେଶ । ସେ ସର୍ବକନିଷ୍ଠ ବିଶ୍ବ ଚେସ୍‌ ଚାମ୍ପିଅନ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଚୀନ୍‌ର ଚେସ୍‌ ସାମ୍ରାଜ୍ୟକୁ ଧ୍ବସ୍ତ କରି ବିଶ୍ବ ବିଜେତା ହୋଇଛନ୍ତି ୧୮ ବର୍ଷୀୟ ଗୁକେଶ । ଡିଫେଣ୍ଡିଂ ଚାମ୍ପିଅନଙ୍କୁ ହରାଇ ଗୁକେଶ ଇତିହାସ ରଚିଛନ୍ତି ।

ବିଶ୍ବ ଚେସ୍‌ ଚାମ୍ପିଅନସିପ୍‌ ୨୦୨୪ର ଫାଇନାଲ୍‌ ମୁକାବିଲା ସିଙ୍ଗାପୁରରେ ଖେଳାଯାଇଥିଲା । ଏହି ମୁକାବିଲାରେ ଡି.ଗୁକେଶଙ୍କ ଟକ୍କର ଡିଫେଣ୍ଡିଂ ଚାମ୍ପିଅନ୍‌ ଏବଂ ଚୀନ୍‌ର ଚେସ୍‌ ମାଷ୍ଟର ଡିଙ୍ଗ ଲିରେନ୍‌ଙ୍କ ସହ ହୋଇଥିଲା ।  ଫାଇନାଲ୍‌ର ୧୪ ତମ ରାଉଣ୍ଡରେ ଲିରେନଙ୍କୁ ମାତ୍‌ ଦେଇ ୧୮ ତମ ବିଶ୍ବ ଚେସ୍‌ ଚାମ୍ପିଅନ୍‌ ହୋଇପାରିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ।  

କିମ୍ବଦନ୍ତୀ ଚେସ୍‌ ପ୍ଲେୟାର ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବରେ ଏହି ଉପଲବ୍ଧି ହାସଲ କରିଛନ୍ତି ଡୋମାରାଜୁ ଗୁକେଶ । ଫାଇନାଲ୍‌ର ୧୪ ତମ ରାଉଣ୍ଡ ଏବଂ ୫୮ ତମ ମୋଭ୍‌ରେ ଚୀନ୍‌ ଖେଳାଳିଙ୍କ ବଡ଼ ଭୁଲ୍‌ ଗୁକେଶଙ୍କ ପାଇଁ ଆଣିଦେଇଛି ବୃହତ୍ତ ବିଜୟ । ତେବେ ଚୀନ୍‌ର ଡିଙ୍ଗ ଲିରେନ୍‌ ଏବଂ ଗୁକେଶ ଉଭୟ ୬.୫ ପଏଣ୍ଟ ସହ ଫାଇନାଲ୍‌ର ୧୪ ତମ ରାଉଣ୍ଡରେ ପ୍ରବେଶ କରିଥିଲେ ।  




 ଗୁକେଶଙ୍କ ଐତିହାସିକ ବିଜୟ ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଟ୍ବିଟ୍‌ କରି ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ‘ ଐତିହାସିକ ଓ ଅନୁକରଣୀୟ । ଗୁକେଶଙ୍କ ଏହି ବିଶାଳ ଉପଲବ୍ଧି ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା । ଏହା ପ୍ରତିଭା, ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମର ପରିଣାମ । ତାଙ୍କର ଏହି ବିଜୟ କେବଳ ବିଶ୍ବ ଚେସ୍‌ ଇତିହାସରେ ତାଙ୍କର ନାଁ ସାମିଲ କରିଛି ତାନୁହେଁ ବରଂ ଲକ୍ଷ ଲକ୍ଷ ଯୁବକଙ୍କୁ ସ୍ବପ୍ନ ଦେଖିବାକୁ ପ୍ରେରଣା ଦେବ । ଆଗାମୀ ଟୁର୍ଣ୍ଣାମେଣ୍ଟ ଲାଗି ଶୁଭକାମନା ।’