ଭୁବନେଶ୍ଵର, ୦୬/୦୫ : ଦର୍ପ ଭାଙ୍ଗିଗଲା ହେଲେ ସୁଧୁରିଲେନି ଦିଦି। ଦୀଘାରେ କେବେ ହଟିବ ଜଗନ୍ନାଥ 'ଧାମ' ଶବ୍ଦ ? ଶାସନରେ ଥିଲା ବେଳେ କାହାକୁ ଖାତିର କରୁନଥିଲେ ମମତା। 'ଧାମ' ଶବ୍ଦକୁ ନେଇ ଅନେକ ରାଜନୀତି ପରେ ବି ଜିଦରେ ଅଟଳ ଥିଲେ ଦିଦି। ରାଜ୍ୟ ସରକାରଙ୍କର ଚିଠିକୁ ବି ତିଳେ ହେଲେ ଖାତିର କରୁନଥିଲେ ମମତା ସରକାର। ହେଲେ ଏବେ ସମୟ ବଦଳିଛି। ପଶ୍ଚିମବଙ୍ଗରେ ଦିଦିଙ୍କ ଗଡ଼ ଭୁଶୁଡ଼ି ପଡିଛି। ଟିଏମସିକୁ ପରାସ୍ତ କରି ବିଜେପି ସରକାର ଗଢୁଛି। ବେଙ୍ଗଲରୁ ମମତା ଗାଦିଚ୍ୟୁତ ହେବା ପରେ ଏବେ ଦୀଘା ମନ୍ଦିରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ସରକାର ବଦଳିବା ପରେ ଦୀଘାରେ ଏବେ 'ଧାମ' ଶବ୍ଦ ରହିବ ନା ଉଠିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୨୫ ମସିହା ଅକ୍ଷୟ ତୃତୀୟା ଦିନ ପଶ୍ଚିମବଙ୍ଗ ଦୀଘାରେ ୨୨ ଏକର ଜାଗାରେ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟ ବରଦାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର ଶୁଭ ଉଦଘାଟନ କରିଥିଲେ ମମତା ବାନାର୍ଜୀ। ଉଦଘାଟନ ପରେ ମନ୍ଦିରର ଚତଃପାର୍ଶ୍ଵରେ ବିଭିନ୍ନ ଜାଗାରେ ହୋର୍ଡିଂ ଓ ସ୍ଥାୟୀ ସେଲ୍ଫି ପଏଣ୍ଟରେ ଲାଗିଥିଲା ଜଗନ୍ନାଥ ଧାମ। କେବଳ ହୋର୍ଡିଂ ନୁହେଁ ପଥର ମୂର୍ତ୍ତି, ସ୍ନାନ ଯାତ୍ରାରେ ଓମ୍ଫେଡ କ୍ଷୀର ବ୍ୟବହାର, ଗ୍ୟାସରେ ପ୍ରସାଦ ତିଆରି, ମନ୍ଦିରରେ ଚଡକ ପଡିବା, ପ୍ରସାଦକୁ ମହାପ୍ରସାଦରେ ନାମକରଣ କରିବା ଆଦି ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଭାବ ସହିତ ଖେଳି ଚାଲିଥିଲେ ମମତା ବାନାର୍ଜୀ । ଏବେ ସରକାର ପରିବର୍ତ୍ତନ ପରେ ଦୀଘା ମନ୍ଦିରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଜଗନ୍ନାଥ ଧାମ ଶବ୍ଦ କେବେ ହଟିବ ତାକୁ ନେଇ ସବୁଠି ଆଲୋଚନା ହେଉଛି।
ଏହି ଖବରଟିକୁ ପଢନ୍ତୁ- West Bengal Result : ମମତାଙ୍କ ଉପରେ ପଡ଼ିଲା କି ମହାପ୍ରଭୁଙ୍କ ଅଭିଶାପ ? ଦୀଘା ପାଇଁ ହାରିଗଲେ ଦିଦି...