ଭୁବନେଶ୍ୱର୨୧/ ୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ପଲ୍‌ମୋନାରୀ ମେଡିସନ୍‌ ବିଭାଗ ପକ୍ଷରୁ ବୁଧବାର ଦିନ ହସ୍ପିଟାଲ ପରିସରରେ ବିଶ୍ୱ ସିଓପିଡି ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ଥିମ୍‌ ହେଉଛି ‘ନୋ ୟୋର୍‌ ଲଙ୍ଗସ୍ ଫଙ୍କସନ୍‌’ ଅର୍ଥାତ୍‌ ନିଜର ଫୁସ୍‌ଫୁସ୍‌ର ଯତ୍ନ ବିଷୟରେ ଜାଣିବା ଜରୁରୀ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ମେଡିକାଲ୍‌ର ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କ୍ରୋନିକ୍‌ ଅବଷ୍ଟ୍ରକ୍ଟିଭ୍‌ ପଲ୍‌ମୋନାରୀ ଡିଜିଜ୍‌ (ସିଓପିଡି) ହେଉଛି ଏକ ଫୁସ୍‌ଫୁସ୍‌ ଜନିତ ରୋଗ। ଏହି ରୋଗ ହେଲେ ରୋଗୀଟିର ଫୁସ୍‌ଫୁସ୍‌ ପ୍ରଥମେ ଆକ୍ରାନ୍ତ ହୋଇଥାଏ। ଏହା ମୁଖ୍ୟତଃ ବାୟୁ ପ୍ରଦୂଷଣ ଦ୍ୱାରା ବ୍ୟାପି ଥାଏ। ସୁସ୍ଥ ମଣିଷ ଏହି ପ୍ରଦୂଷିତ ବାୟୁକୁ ନିଃଶ୍ୱାସ ନେବାରେ ଫଳରେ ସେ ଅସୁସ୍ଥ ହୋଇଥାଏ । ଯାହା ଫଳରେ କିଛି ଦିନ ପରେ ତାର ଶ୍ୱାସକ୍ରିୟାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବାକୁ ମିଳିଥାଏ ବୋଲି ପ୍ରଫେସର (ଡାକ୍ତର) ସାମନ୍ତସିଂହାର କହିଥିଲେ । ଯେତେ ଶୀଘ୍ର ଲୋକମାନେ ଏହି ରୋଗ ବିଷୟରେ ସଚେତନ ହେବେ ସେତେ ଶୀଘ୍ର ଏହି ରୋଗରୁ ମୁକ୍ତି ପାଇପାରିବେ ବୋଲି ସେ କହିଥିଲେ।

ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ପଲ୍‌ମୋନାରୀ ମେଡିସିନ୍‌ ବିଭାଗର ମୁଖ୍ୟ ପ୍ରଫେସର(ଡାକ୍ତର) ବନାନୀ ଜେନା ଯୋଗଦେଇ କହିଥିଲେ ଯେ ଭାରତ ବର୍ଷରେ ୩୭.୮ ନିୟୁତ ଲୋକ ସିଓପିଡି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ମୁଖ୍ୟତଃ ଧୂମ୍ରପାନ ଓ ପ୍ରଦୂଷଣ ଦ୍ୱାରା ହୋଇଥାଏ । ଆଜିକାଲି ସିଓପିଡି ରୋଗୀମାନଙ୍କର ସଂଖ୍ୟାବୃଦ୍ଧିରେ   ହେବାକୁ ଲାଗିଛି ।  ସେମାନେ ପ୍ରଦୂଷିତ ସ୍ଥାନକୁ ଯିବା ସମୟରେ ମାସ୍କ ବ୍ୟବହାର କରିବା ଜରୁରୀ। 

ସାରା ବିଶ୍ୱର ଏକ ତୃତୀୟାଂଶ ଲୋକ ଏହି ରୋଗରେ ପୀଡିତ ହେଉଛନ୍ତି । ସାରା ବିଶ୍ୱରେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ସିଓପିଡିରେ ପୀଡିତ ଥିବା ରୋଗୀମାନଙ୍କର ସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତିଦିନ ବ୍ୟାୟାମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ ଫଳରେ ଏହି ରୋଗରୁ ମୁକ୍ତି ମିଳି ପାରିବ ବୋଲି ପ୍ରଫେସର (ଡାକ୍ତର) ଜେନା କହିଥିଲେ । ଆମେ ପ୍ରଦୂଷଣକୁ ପ୍ରଶମିତ କରିବାକୁ ହେଲେ ଯଥା ସମ୍ଭବ ବୃକ୍ଷରୋପଣ କରିବା ଜରୁରୀ। 

ଏହି ଅବସରରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଇନ୍‌ଚାର୍ଜ ଡିନ୍‌ ପ୍ରଫେସର (ଡାକ୍ତର) ସୌମ୍ୟରଂଜନ ଦାସ, ପଲ୍‌ମୋନାରୀ ମେଡିସିନ୍‌ ବିଭାଗର ପ୍ରଫେସର (ଡାକ୍ତର) ରାକ୍ଷୀ ଲୁଦାମ୍‌, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର, ପଲ୍‌ମୋନାରୀ ମେଡିସିନ୍‌ ବିଭାଗର ପ୍ରଫେସର, ଡାକ୍ତର, ନର୍ସ ଓ ପୋରାମେଡିକ୍‌ ଷ୍ଟାଫ୍‌ ଉପସ୍ଥିତ ଥିଲେ।