ଭୁବନେଶ୍ୱର,୧୬/୦୫: ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗୋଟିଏ ପଟେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ଷକୁ ୬୦ହଜାର ରୋଗୀ ବାହାରୁଛନ୍ତି । ସେଠି ଡେଙ୍ଗୁ ରୋଗୀ ସଂଖ୍ୟା କମୁଛନ୍ତି । ଗତ ୨୦୨୪ ତୁଳନାରେ ୨୦୨୫ରେ କମ୍ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୨୪ରେ ଡେଙ୍ଗୁ ପଜିଟିଭିଟି ହାର(ଟିପିଆର) ୫. ୬୧ ପ୍ରତିଶତ ଥିଲା । ୨୦୨୫-୨୬ରେ ଏହି ହାର ୧.୮୩ ପ୍ରତିଶତକୁ ହ୍ରାସ ପାଇଛି । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୪୦ ହଜାର ୪୭୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଖୋର୍ଦ୍ଧା, ବାଲେଶ୍ୱର, କଟକ ଓ ମୟୂରଭଞ୍ଜ ଜିଲ୍ଲା ଅଧିକ ଡେଙ୍ଗୁ ପ୍ରବଣ ।

ସ୍ୱାସ୍ଥ୍ୟ ବିଭାଗ ତଥ୍ୟ କହୁଛି, ଗତ ୫ବର୍ଷରେ ଡେଙ୍ଗୁରେ ଜଣେ ମରିଛନ୍ତି । ୨୦୨୫ ଶେଷ ସୁଦ୍ଧା ଖୋର୍ଦ୍ଧାରେ ୧୮ ପ୍ରତିଶତ, ବାଲେଶ୍ୱରରେ ୧୧ ପ୍ରତିଶତ, କଟକ ଓ ମୟୂରଭଞ୍ଜରେ ୭ ପ୍ରତିଶତ ଲେଖାଏଁ ରୋଗୀ ଥିଲେ । ତେଣୁ ଏହି ସବୁ ଜିଲ୍ଲାରେ ପରୀକ୍ଷା ଓ ସଚେତନତା ବ୍ୟାପକ କରାଯାଇଛି । ରାଜଧାନୀ ଗତ ୩ ବର୍ଷରେ ଭୁବନେଶ୍ୱରରେ ୫୮୦୦ ରୋଗୀ ବାହାରିଛନ୍ତି । ୨୦୨୩ରେ ରୋଗୀ ସଂଖ୍ୟା ୪୦୦୦ ପାର୍ କରିଥିଲା । ସେହିବର୍ଷ ୪୨୫୪ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୪ରେ ୧୨୨୫ ଓ ୨୦୨୫-୨୬ରେ ମାତ୍ର ୩୨୭ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

ଆହୁରି ପଢନ୍ତୁ-ତେଲ ସଙ୍କଟ ମଧ୍ୟରେ ୧୦ ଗୁଣ ବଢ଼ିଲା ଇଭି ବୁକିଂ, ସୋରୁମରେ ଅସମ୍ଭାଳ ଭିଡ଼

ବର୍ଷା ପରେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବରରେ ରୋଗୀ ସଂଖ୍ୟା ବଢୁଛି । ବିଶେଷକରି ରାଜଧାନୀର ପଟିଆ, ଶିଖରଚଣ୍ଡି, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଅଞ୍ଚଳରେ ଅଧିକ ରୋଗୀ ବାହାରୁଛନ୍ତି । ଡେଙ୍ଗୁ ମୂଳୋତ୍ପାଟନ ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଡେଙ୍ଗୁ ଦମନ ପାଇଁ ରାଜଧାନୀରେ ଡ୍ରାଏ ଡେ, ଘରକୁ ଘର ବୁଲି ସ୍ଥିତି ଯାଞ୍ଚ, ଧୂଆଁ ଗାଡ଼ି ବୁଲିବା, ସଫେଇ, ସ୍କୁଲ, କଲେଜରେ ସଚେତନ ଆଦି କରାଯାଉଛି । ସେହିପରି ଭୁବନେଶ୍ୱର ଏମ୍ସ ଓ ଆରଏମ୍ଆରସିକୁ ଆପେକ୍ସ ରେଫରାଲ ଲାବୋରେଟୋରୀ ଭାବେ ପରିଣତ କରାଯାଇ ଡେଙ୍ଗୁ ପରୀକ୍ଷଣ ପାଇଁ ଲାବୋରେଟୋରୀ ଟେକ୍ନିସିଆନ(ଏଲଊଟି) ଙ୍କ ଦକ୍ଷତା ବୃଦ୍ଧି କରାଯାଉଛି ।