ମଥୁରାନଗରୀ,୦୩/୦୧: ଭଣଜାଙ୍କ ମୃତ୍ୟୁର କପଟ ଷଡ଼ଯନ୍ତ୍ର ରଚିଥିବା ମାମୁଁଙ୍କ ଡାକରା ପାଇଁ କୃଷ୍ଣ ବଳରାମ ମଥୁରା ପହଞ୍ଚିବା ଖବରରେ ମହାରାଜା କଂସ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ । ଅକ୍ରୂରଙ୍କୁ ଧନ୍ୟବାଦ ପ୍ରଦାନ କରି ତାଙ୍କର ଉତ୍ତମ ଆତିଥେୟ ପାଇଁ ମହାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସସମ୍ମାନେ ବିଦାୟ ଦେଇଥିଲେ । ତାଙ୍କର କପଟ ଗୋଟି ଚାଳନା ନିଶ୍ଚୟ ସାର୍ଥକ ହେବ ବୋଲି ମହାମନ୍ତ୍ରୀଙ୍କୁ ଜଣାଇବା ସହିତ ଦ୍ୱିଗୁଣିତ ଉତ୍ସାହରେ ଦିଗ୍ବିଜୟରେ ବାହାରି ପଡ଼ୋଶୀ ରାଜ୍ୟକୁ ଜୟ କରିଥିଲେ । ଏବଂ ଆଖପାଖର ଅନେକ ରାଜାଙ୍କୁ ବନ୍ଦୀ କରି ରାଜଜେମାକୁ ନିଜ ଅନ୍ତପୁରକୁ ନେଇ ଆସିଥିଲେ । ଯୁଦ୍ଧରେ ଜୟଲାଭ କରି ମହାରାଜା କଂସ ଅଟ୍ଟହାସ୍ୟ ସହିତ ନିଜର ସାମର୍ଥ୍ୟ ପ୍ରତିପାଦନ କରି ସୈନ୍ୟ ସାମନ୍ତଙ୍କୁ ବଳ ପ୍ରଦାନ କରିଥିବା ସହିତ ମଥୁରାବାସୀଙ୍କ ମନରେ ଆଶଙ୍କା ଭର୍ତ୍ତି କରିଦେଇଥିଲେ। ଆଉ ନିଜର ଇଚ୍ଛା ଫଳବତୀ ହୋଇଯାଇଥିବାରୁ ରାଜ ଦରବାରରେ ସୁରାରେ ମତୁଆଲା ହୋଇ ମହାରାଜା କଂସ ନିଜର ଖୁସି ଜାହିର କରିଥିଲେ ମଧ୍ୟ ତାହା ଦୀର୍ଘ ସ୍ଥାୟୀ ହୋଇନଥିଲା । ଦରବାର ଚାଲିଥିଲେ ମଧ୍ୟ କୃଷ୍ଣ ଭୟ ରହି ରହି ତାଙ୍କୁ ଅସ୍ଥିର କରୁଥିଲା । ସ୍ୱପନେ ଜାଗରଣେ କୃଷ୍ଣକୁ ଦେଖୁଥିବା କଂସ କେତେବେଳେ ସ୍ୱପ୍ନରେ କୃଷ୍ଣଙ୍କୁ ଦେଖି କଂସଙ୍କ ଆର୍ତ୍ତ ଚିତ୍କାର ଅଟ୍ଟହାସ୍ୟ କରୁଥିଲେ ତ ଆଉ କେତେବେଳେ ଭୟାତୁର ହୋଇଉଠୁଥିଲେ । କୃଷ୍ଣ ସହିତ ମିଛ କଥା ହେଉଥିବାର ଜାଣି ମଧ୍ୟ ଭୟଭୀତ ହୋଇ ଆର୍ତ୍ତଚିତ୍କାର କରିଥିଲେ । କୃଷ୍ଣ ଓ ଛାୟାକଂସଙ୍କ ଅଭିନୟ ବେଶ ଆକର୍ଷଣୀୟ ହୋଇପାରିଥିବା ବେଳେ ସ୍ୱପ୍ନ ଦୃଶ୍ୟ ଦର୍ଶକମଣ୍ଡଳୀରେ ଶିହରଣ ଖେଳାଇ ଦେଇଥିଲା । ଯାହାକି ଦର୍ଶକଙ୍କ ନୀରବତାରୁ ବେଶ ପଢ଼ି ହୋଇଥିଲା । ବିଳାଶବ୍ୟସନକୁ ରାଜକୀୟ ଠାଣୀ ଭାବୁଥିବା କଂସ ଚିରାଚରିତ ଅଟ୍ଟହାସ୍ୟରେ ମହାମନ୍ତ୍ରୀ ଶକ୍ରାଜିତଙ୍କୁ ନୃତ୍ୟଗୀତର ଆୟୋଜନ ପାଇଁ ଆଦେଶ ଦେଇଥିଲେ । ଛାୟା କଂସ ଭୂମିକାରେ ସାମ୍ବାଦିକ ରଞ୍ଜନ ଦେବତା ଅଭିନୟ କରିଥିଲେ ।

ବରଗଡ଼ ଧନୁଯାତ୍ରାର ଶୁକ୍ରବାର ଦଶମ ଦିବସରେ ସାଂସ୍କୃତିକ କମିଟି ତରଫରୁ ଆବାହକ ଗୋପାଳକୃଷ୍ଣ ଦାଶଙ୍କ ସଂଯୋଜନାରେ ଏବଂ କମିଟିର ସଦସ୍ୟମାନଙ୍କ ସହଯୋଗରେ ଉଭୟ ରାଜଦରବାର ଓ ରଙ୍ଗମହଲ ଦରବାରରେ ରାୟଗଡାର ଗାୟତ୍ରୀ କଲଚରାଲ ଏସୋସିଏସନ, ଭୁବନେଶ୍ୱରର ତ୍ରିଭଙ୍ଗ କଳାନିକେତନ, କନବାରର ବ୍ରଜେଶ୍ୱରୀ ଶବ୍ଦନୃତ୍ୟ, ଟିଟିଲାଗଡର ଝାରମଲି, ବଲାଙ୍ଗିରର ମୃଣ୍ମୟୀ ଡେନ୍ସ ଏକାଡେମୀ, ବଲାଙ୍ଗିରର ସାଇ ଶରଣ କଳାପରିଷଦ, ବଲାଙ୍ଗିରର ଢ଼ୋଲମୁହୂରୀ, ତୁଷରାର ସାନବଡ଼ ଘୁଡ଼କା ଡେନ୍ସ, ଅତାବିରାର କୁରେଫୁଲ, ବରଗଡ଼ର ପଂଚଭାୟା କଳାପରିଷଦର କଳାକାରମାନେ ନାଚଗୀତ ପରିବେଷଣ କରିଥିଲେ । ସେହିଭଳି ବିଭିନ୍ନ ରାଜ୍ୟରୁ ଆସିଥିବା ଜାତୀୟ ଦଳ ଭିତରୁ ପଞ୍ଜାବ ଗୁରୁଦାସପୁର ଆର୍ଟ ଏଣ୍ଡ କଲଚର, ହିମାଚଳ ପ୍ରଦେଶର ଦେବ ଧର୍ମା ଏଣ୍ଡ ଗୃପ, ଗୁଜୁରାଟର ଟ୍ରାଇବଲ ଡେନ୍ସ, ଆସାମ ତିନସୁକିଆର ନର୍ଥଇଷ୍ଟ କଲଚରାଲ ଏକାଡେମୀର କଳାକାରମାନେ ନୃତ୍ୟଗୀତ ଦ୍ୱାରା ମହାରାଜାଙ୍କ ମନ ମୋହିଥିଲେ ।

ଅପରପକ୍ଷେ ଗତ ୩ ଦିନ ତଳୁ ଆସିଥିବା ଆନ୍ତର୍ଜାତୀୟ ଦଳ ଶ୍ରୀଲଙ୍କାର ରନରଙ୍ଗା ଡେନ୍ସ ଏକାଡେମୀର କଳାକାରମାନେ ଆଜି ମଧ୍ୟ ତାଙ୍କର ନାଚଗୀତ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ଆଜି ଦରବାରେ ରାଜଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହି ମହାରାଜା କଂସଙ୍କ ସହିତ ଭାବ ବିନିମୟ କରିଥିବା ବେଳେ ବରଗଡ଼ ବିଧାୟକ ଅଶ୍ୱିନୀ ଷଢ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବିଜେପୁର ବିଧାୟକ ସନତ ଗଡ଼ତୀୟା ପ୍ରମୂଖ ମଂଚାସୀନ ଥିଲେ । ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ୱର ଶତପଥିଙ୍କ ସଂଯୋଜନାରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲାର ସମସ୍ତ ପ୍ରଶାସନିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।