ମଥୁରାନଗରୀ,୨୬/୧୨:ଜମୁଛି ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ଗୁରୁବାର ଦ୍ୱିତୀୟ ଦିବସରେ ଏକାଧିକ ଦୃଶ୍ୟ ମଞ୍ଚସ୍ଥ ହୋଇଛି । ଦ୍ୱିତୀୟ ଦିବସରେ ମହାରାଜା ଉଗ୍ରସେନଙ୍କ ବନ୍ଦୀ, ଯୁବରାଜ କଂସଙ୍କ ସିଂହାସନ ଆରୋହଣ, ଦେବକୀ-ବସୁଦେବଙ୍କୁ କାରାବନ୍ଦୀ, ଦେବକୀଙ୍କ ୬ ଶିଶୁପୁତ୍ରଙ୍କୁ ହତ୍ୟା, ଦେବକୀଙ୍କ ସପ୍ତମ ଗର୍ଭହରଣ ଓ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ, କଂସଙ୍କ ଦ୍ୱାରା ଦୁର୍ମିଳାସୁର ବଧ ଆଦି ନୃତ୍ୟାଭିନୟ ମଞ୍ଚସ୍ଥ ହୋଇଥିଲା ।

ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁରକୁ ଯାଇଥିବା ବସୁଦେବ ଯଶୋଦାଙ୍କ କୋଳରେ ନବଜନ୍ମିତା ଶିଶୁକନ୍ୟାଙ୍କୁ ଧରି ମଥୁରା କାରାଗାରକୁ ଫେରିଛନ୍ତି । ଶୁକ୍ରବାରଠାରୁ ଗୋପାଲୀଳା ଆରମ୍ଭ ହେବ । ଏହାକୁ ନେଇ ଗୋପପୁର (ଅମ୍ବାପାଲି) ଚଳଚଞ୍ଚଳ ହୋଇ ଉଠିଛି । ନିଶାମଣି ପଡ଼ିଆସ୍ଥିତ ଲୋକମଣ୍ଡପ ପଡ଼ିଆରେ ନିର୍ମିତ ରଙ୍ଗମହଲ ଓ ସମଲେଶ୍ୱରୀ ମଣ୍ଡପରେ କାରାଗାର ଦୃଶ୍ୟ ଅଭିନୀତ ହୋଇଥିଲା । ବସୁଦେବ-ଉଗ୍ରସେନଙ୍କ ଭେଟ ଯମୁନା ନଈ କୂଳ ଅର୍ଥାତ ବରଗଡ଼ ନଦୀପଡ଼ାରେ ସମ୍ପାଦିତ ହୋଇଥିଲା । ୧୪ଟି ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।