ମଥୁରାନଗରୀ,୦୯/୦୧:  ଜୀବନ ହାରିବୁ ପଛେ, ଶତୃ ମାରିବ । ରଙ୍ଗ ସଭାରେ କରଦ ରାଜାମାନେ ଏଭଳି ଦମ୍ଭୋକ୍ତି ଦେଇ କଂସ ମହାରାଜଙ୍କୁ  ସମର୍ଥନ ଜଣାଇଛନ୍ତି । ଧନୁଯାତ୍ରାର ଷଷ୍ଠ ଦିବସରେ ମହାରାଜା କଂସ ନିଜର ଆସୁରିକ ଶକ୍ତି  ସାହାଯ୍ୟରେ କୃଷ୍ଣ ବଳରାମଙ୍କ ନିଧନ ପାଇଁ ମନ୍ତ୍ରଣା ଜାରୀ ରଖିଥିବା ବେଳେ  ତାରି ପ୍ରତାପରେ ମଥୁରାବାସୀ  ଥରହର ହୋଇ ଉଠିଥିଲେ । ନିଜର  ମୃତ୍ୟୁ ଭୟରେ କଂସାସୁର ପ୍ରଜାଙ୍କ ଉପରେ ବିଭିନ୍ନ ପ୍ରକାର କର ଲଗାଇ ଅନାବଶ୍ୟକ ଭାବେ ଦଣ୍ଡବିଧାନ କରିଥିଲେ ।  

ଭଗିନୀ ପୁତନା ଓ ଅଷ୍ଟମଲ୍ଲଙ୍କର ମୃତ୍ୟୁ ହେବା ପରେ ସବୁ ଦିଗରୁ ହତାଶ କଂସ ନିରୀହ ମଥୁରାବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ପୂର୍ବରୁ ଡ଼କେଇଥିବା କରଦ ରାଜାମାନଙ୍କ ସହିତ  ସାକ୍ଷାତ ଉଦ୍ଦେଶ୍ୟରେ ରାଜଦରବାରରେ ପହଞ୍ଚି ରଙ୍ଗ  ସଭାର ଆୟୋଜନ କରିଥିଲେ। ଆଗକୁ ଯୁଦ୍ଧର ଆଶଙ୍କା  କରି ଦରବାରରେ ଦେବ ଦେବ ମହାଦେବଙ୍କୁ  ସ୍ମୃତି କରିବା ସହ କରଦ ରାଜାମାନଙ୍କଠାରୁ ତାଙ୍କର ସୈନ୍ୟବଳର ସହାୟତା ଲୋଡ଼ିଥିଲେ। ଚିଟାଉ ପାଇ  ମଗଧର ରାଜା ଜରାସନ୍ଧ, ଜ୍ୟୋତିଷପୁର ନାରକାସୁର, ଚେଦିର ଶିଶୁପାଳ, ସାକଲ୍ୟ ରାଜା ସାଲ୍‌ୱ, କରୁସ  ଦେଶର ଦନ୍ତବକ୍ର, କଠୱାର ନରେଶ ଦ୍ୱିବୀଦ, କରୀନ୍ଦ୍ର  ନରେଶ ପୌଣ୍ଡ୍ରୁକ, କଳିଙ୍ଗର ରାଜା ବଜ୍ରସେନ, ମଣିକୁଣ୍ଡଳର ରାଜା ସୌଦାସ, ଶୋଣିତପୁରର  ରାଜା ବାଣାସୁର, କାଳକେୟ ରାଜା ନିର୍ବାଦକବଚ, ଉଡ୍ର ଦେଶର ରାଜା ମାର୍ତଣ୍ଡ, ବଙ୍ଗରାଜା ସୁନାଭ, କର୍ଣ୍ଣାଟ(ଜମ୍ବୁଦ୍ୱୀପ) ରାଜା କର୍ଣ୍ଣାଟକେଶ୍ୱର ପ୍ରମୁଖ ରାଜାମାନେ କଂସ ଦରବାରରେ ଉପସ୍ଥିତ ହୋଇଥିଲେ  ା 

ମଥୁରା ନରେଶ କଂସ ସମସ୍ତଙ୍କ କୁଶଳମଙ୍ଗଳ ପଚାରି  ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ନିଜନିଜର ବଳ  ସାମର୍ଥ୍ୟ ଓ ପରାକ୍ରମ ବଖାଣିବା ସହ ସାମାନ୍ୟ ଶିଶୁ କୃଷ୍ଣ  ବଳରାମଙ୍କ ପାଇଁ ଏତେ ଭୟ କାହିଁକି ବୋଲି ବାହାସ୍ପୋଟ  ମାରିଥିଲେ । ଏବଂ ତାଙ୍କ ଆଗରେ ଛାର ବାଳକମାନେ  ଦଣ୍ଡେବି ଦଣ୍ଡାୟମାନ ହୋଇପାରିବେ ନାହିଁ, ଧରାଶାୟୀ  ହୋଇଯିବେ ବୋଲି ବାହାସ୍ଫୋଟ ମାରି କୃଷ୍ଣ ବଳରାମଙ୍କୁ  ହତ୍ୟା କରିବା ପାଇଁ ନିଜ ନିଜର ସମର୍ଥନ  ଘୋଷଣା କରି ସାମର୍ଥ୍ୟ ଅନୁଯାୟୀ  କିଏ କେତେ ସଂଖ୍ୟାରେ ଅଶ୍ୱାରୋହୀ,  ଗଜାରୋହୀ, ପଦାତିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର  ଯୋଗେଇ ପାରିବେ ସେ ସମ୍ବନ୍ଧରେ  ସୂଚନା ଦେଇ ଚିନ୍ତିତ ନ ହେବା  ପାଇଁ ରାଜାଧିରାଜ ମହାରାଜା କଂସଙ୍କୁ  ପ୍ରତିଶୃତି ଦେଇ ପ୍ରକାରାନ୍ତରେ କଂସଙ୍କ ମନୋବଳ  ବୃଦ୍ଧି କରିଥିଲେ । 

ମଥୁରା ନରେଶ କଂସ ଏବଂ ତାଙ୍କର  ୧୪ ଜଣ କରଦ ସହଯୋଗୀ ରାଜ୍ୟର ରାଜାମାନଙ୍କ ସମର୍ଥନ ଘୋଷଣା ପରେ ସମ୍ମୁଖ ଯୁଦ୍ଧ ଏକପ୍ରକାର  ଥୟ ହୋଇଯାଇଥିବା ବେଳେ ଦରବାରରେ ହଠାତ  ଆସି ପହଞ୍ଚିଥିଲେ ଦେବର୍ଷି ନାରଦ । ଏବଂ ଯୁଦ୍ଧ ବା  ବାହୁକୁସ୍ତି ନୁହଁ, ବାହୁବଳ ବଦଳରେ ଛଳରେ ହିଁ  ଶ୍ରୀକୃଷ୍ଣଙ୍କୁ ପରାସ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେଥିପାଇଁ କଳେ ବଳେ କୌଶଳେ ବେନିଭ୍ରାତାଙ୍କୁ ମଥୁରା ନିମନ୍ତ୍ରଣ କରି  କୂଟ ଭିଆଇବା ପାଇଁ ପରାମର୍ଶ  ଦେଇଥିଲେ । ଯାହାକୁ ଉଚିତ  ମଣିଥିବା କଂସାସୁର  ଉପସ୍ଥିତ ରାଜାମାନଙ୍କ  ସହିତ ପରାମର୍ଶ କରି  ଷଡ଼ଯନ୍ତ୍ରର ଉତ୍ସବ ଧନୁଯାତ୍ରା  ମହୋତ୍ସବର ଘୋଷଣା କରିଥିଲେ  ା ଧନୁଯାତ୍ରାର ଆୟୋଜନ ପାଇଁ  ମନ୍ତ୍ରୀମଣ୍ଡଳକୁ ନିର୍ଦ୍ଦେଶ ଦେଇ ମୃତ୍ୟୁ  ଭୟରୁ ମୁକ୍ତି ବାଟ ପାଇ ଖୁସିବ୍ୟକ୍ତ କରିଥିଲେ  ା 

ବୁଧବାର ଦିନସାରା ନଗର ଭ୍ରମଣ କରି ପ୍ରଜାଙ୍କ  ଉପରେ ଅକଥନୀୟ ଅତ୍ୟାଚାର କରିବା ସହିତ  ପ୍ରଜାଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ । ପରେ  ରଙ୍ଗମହଲରେ ପହଂଚି ବିଳାସ ବ୍ୟସନରେ  ବୁଡ଼ି ରହି ଅପରାହ୍ନରେ ରାଜଦରବାରକୁ ବିଜେ  ହୋଇ ଉପରୋକ୍ତ ନିଷ୍ପତ୍ତି ନେଇଥିଲେ।  ନୃତଙ୍ଗନାମାନଙ୍କ କଳାଚତୁର୍ଯ୍ୟ,  ଅଙ୍ଗଭଙ୍ଗୀକୁ ଉପଭେଗ କରିଥିଲେ ।