ଢେଙ୍କାନାଳ,୧୦/୦୧: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଫେବ୍ରୁଆରୀ ୧୧  ଓ ୧୨ ତାରିଖ ଦୁଇ ଦିନ ଧରି ହେବ ।  ଏଥିନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ  ଗୁରୁବାର ପୂର୍ବାହ୍ଣରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ  ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାପାଳ  ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  

ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ଓ  ଧାର୍ମିକ ଭାବନା ମଧ୍ୟରେ ଆୟୋଜିତ  ହେବ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କର  ସହଯୋଗ କାମନା କରିଥିଲେ । ବିଶ୍ୱପ୍ରସିଦ୍ଧ  ଯୋରନ୍ଦା ମେଳା ଦୁଇ ଦିନ ସ୍ଥାନୀୟ ସରକାରୀ ଛୁଟି ଦିବସ ଭାବେ ଘୋଷଣା  କରିବାକୁ ଉଭୟ କୌପୀନଧାରୀ ଓ ବକ୍କଳଧାରୀ ସନ୍ନ୍ୟାସୀମାନେ ପ୍ରଶାସନକୁ  ପ୍ରସ୍ତାବ ଦେଇଥିଲେ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି  ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ ।