ନୂଆଦିଲ୍ଲୀ ୧୮/୦୬: ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରେ ନେତାଙ୍କ ଅନୌପଚାରିକ ବାର୍ତ୍ତାଳାପ ମାଇକ୍ରୋଫୋନ୍‌ରେ ରେକର୍ଡ ହୋଇଛି । ବିଶ୍ୱନେତାଙ୍କୁ ସିଗାରେଟ୍, ଫୁଟ୍‌ବଲ, ଉପହାର ଭଳି କଥାରେ ମଜା କରୁଥିବା ଶୁଣିବାକୁ ମିଳିଛି । ଏହି କ୍ରମରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସିଗାରେଟ୍ ଛାଡ଼ିବା କଥା ଚର୍ଚ୍ଚାର ବିଷୟ ହୋଇଛି ।

ବୈଠକ ଆରମ୍ଭ ହେବା ପୂର୍ବରୁ ମେଲୋନି ନେତାଙ୍କ ସହ ଆଲୋଚନା ବେଳେ କହିଲେ, ଆଜି ସେ ୩ କପ୍ କଫି ପିଇଛନ୍ତି । ଏହା ଶୁଣି ୟୁରୋପୀୟ ସଂଘର ମୁଖ୍ୟ ଉର୍ସଲା ଭନ୍ ଡେର ଲେୟେନ ଆଶ୍ଚର୍ଯ୍ୟଚକିତ ହୋଇ ପଚାରିଲେ- କ’ଣ ଆଜି ସକାଳେ ଉଠିବା ପାଇଁ?’ ଏ କଥାରେ ଜର୍ମାନୀ ଚାନ୍ସଲର ଫ୍ରେଡରିକ୍ ମତ୍‌ର୍ଜ ମଜାରେ କହିଲେ- ଆଉ କେତେ ସିଗାରେଟ୍ ଟାଣିଲେ?

ଏହାର ପ୍ରତିକ୍ରିୟାରେ ମେଲୋନି କହିଲେ, ଗତ ୧ ମାସ ହେଲା ସେ ସିଗାରେଟ୍ ଟାଣିନାହାନ୍ତି । ଏହା ଶୁଣିବା ମାତ୍ରେ କାନାଡା, ବ୍ରିଟେନ, ଜାପାନ ଓ ୟୁରୋପୀୟ ସଂଘର ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଲେ । ମେଲୋନି ଖୁସିରେ ଦୁଇ ହାତ ଉପରକୁ ଉଠାଇଦେଲେ । ଏହା ପରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ ମଜାଳିଆ ଅନ୍ଦାଜ୍‌ରେ ନିଜ ହାତକୁ ଇଙ୍ଗିତ କରି ପଚାରିଲେ ‘ଆପଣ କ’ଣ ନିକୋଟିନ୍ ପ୍ୟାଚ୍ ଲଗାଇଛନ୍ତି? ଏହା ଶୁଣି ଆଖପାଖ ଲୋକ ହସିବାକୁ ଲାଗିଲେ ।

ନିକୋଟିନ୍ ପ୍ୟାଚ୍ ତ୍ୱଚାରେ ଲଗାଯାଏ । ଏହା ଧୀରେ ଧୀରେ ଶରୀରକୁ ନିକୋଟିନ୍‌ମୁକ୍ତ କରେ । ଫଳରେ ସିଗାରେଟ୍, ବିଡ଼ି କିମ୍ବା ତମାଖୁ ସେବନ କରୁଥିବା ଲୋକଙ୍କୁ ଏହାର ନିଶା କମ୍ ହୁଏ ଏବଂ ଛାଡ଼ିବା ସହଜ ହୁଏ ।

 

ଆହୁରି ପଢ଼ନ୍ତୁ...G-7 ଶିଖର ସମ୍ମିଳନୀରୁ ବାଦ୍ ପଡିଲା ଚୀନ୍, ରାଗରେ ଏବେ ତିଆରି କରିବ ନୂଆ ଗ୍ରୁପ୍: କେଉଁ ସବୁ ଦେଶକୁ କରିବ ନିମନ୍ତ୍ରଣ ?

ଘଡ଼ି ଭୁଲିଗଲେ ମାକ୍ରନ୍ :

ସମ୍ମିଳନୀ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ନିଜ ଘଡ଼ି ଛାଡ଼ିଦେଲେ । ନେତାମାନେ ଦ୍ୱିପ୍ରହର ଭୋଜନ ପାଇଁ ଯିବା ବେଳେ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ କହିଲେ, ମାକ୍ରନ୍ ନିଜ ଘଡ଼ି ଛାଡ଼ିଦେଇଛନ୍ତି । ଆମ ପାଖରେ ତାଙ୍କ ଘଡ଼ି ଅଛି । ଏ ନେଇ ଟ୍ରମ୍ପ୍ ମଜାରେ କହିଲେ, ସେ ଘଡ଼ି ମୋତେ ଦିଅନ୍ତୁ । ଏହା ଶୁଣି ସେଠାରେ ଉପସ୍ଥିତ ନେତାମାନେ ହସିବାକୁ ଲାଗିଲେ । ଏ ଅବସରରେ ଉପହାର ଆଦାନପ୍ରଦାନ ମଧ୍ୟ ହେଲା । ମାକ୍ରନ୍ ଜି-୭ ନେତାଙ୍କୁ ସାଇକେଲ ଉପହାର ଦେଲେ ।