ନୂଆଦିଲ୍ଲୀ,୦୧/୦୯: ସେ ସମସ୍ତଙ୍କ ଖବର ଦେଉଥିଲା,ଏବେ ତା’ର କୌଣସି ଖବର ନାହିଁ.. ସେ ସମ୍ପର୍କକୁ ସଜାଡ଼ୁଥିଲା..ହେଲେ ଏବେ ତା ସହ କାହା ସମ୍ପର୍କ ନାହିଁ । ଚିଠି... ପ୍ରେମର ବାହକ । ଶେଷ ବସନ୍ତର ଚିଠି ସମ୍ପର୍କର ସେତୁ ସାଜୁଥିଲା । ଚିଠିରେ ଦୁଇପଦ ଲେଖାରେ ଥାଏ ଅଦ୍ଭୂତ ଆବେଗ । ଅସରନ୍ତି ଉତ୍କଣ୍ଠା । ବିରହ ମିଳନର ବାସ୍ନାରେ ମହକି ଉଠେ ଚିଠି । ସେ ଅତି ଆପଣାର । ଶବ୍ଦ ମାଧ୍ୟମରେ ଭାବନାକୁ ପ୍ରକାଶ କରିବାର ମାଧ୍ୟମ ଚିଠି । ଆଜି ବିଶ୍ୱ ପତ୍ର ଲିଖନ ଦିବସ । ପ୍ରତିବର୍ଷ ସେପ୍ଟମ୍ବର ୧ ତାରିଖକୁ ଚିଠି ଦିବସ ଭାବେ ପାଳନ କରାଯାଏ । ସୀମାରେ ଯବାନ ପୁଅର ଚିଠିକୁ ଅପେକ୍ଷା କରୁଥିଲା ମାଆ । ବାପ ଘରୁ ଚିଠି କେବେ ଆସିବ ଅପେକ୍ଷା କରୁଥିଲା ଝିଅ । ଶାଶୂଘରେ ଚୁଲି ମୂଳେ ରୋଷେଇ କରୁ ଡାକବାଲାର ଚିଠି..ଚିଠି ଡାକକୁ ଚାହିଁ ବସିଥାଏ । ହେଲେ ଏବେ ଆଉ ସେ ଚିଠି ଆସୁନି । ଧୀରେ ଧୀରେ ଚିଠି ଲେଖିବାର ପୁରୁଣା କଳା ରୂପ ହରାଉଛି । କାରାଣ ତା ଜାଗା ମେସେଜ ଓ ଇମେଲ୍ ନେଇଛି । ନୂଆ ପୀଢି ପାଇଁ ଚିଠି ଇତିହାସ ହେବାକୁ ବସିଛି ।
ସତରେ, ଚିଠି କଥା ମନେ ପଡିଲେ ଅନେକ ସ୍ମୃତି ସାମ୍ନାକୁ ଚାଲି ଆସେ । ଡାକସେବା ପ୍ରଚଳନ ହେଲା ପରେ ଚିଠିର ଆଦାନ ପ୍ରଦାନ ସହଜ ହେଲା । ପୋଷ୍ଟଅଫିସ୍ ଦିନେ ଚଳଚଞ୍ଚଳ ହୋଇ ପଡୁଥିଲା । ପୋଷ୍ଟବକ୍ସଟିଏ ଦେଖିଲେ ମନରେ ଆନନ୍ଦ ଆସୁଥିଲା । ହେଲେ ଏ ସବୁ ଏବେ ଅନାଦର । ସ୍ମାର୍ଟ ଫୋନ୍, ମେସେଜ ଓ ଇମେଲର ବ୍ୟବହାର ଚିଠିକୁ ହଜାଇ ଦେଇଛି । ସେକାଳ ଚିଠିରେ ଆଉ ସେ ଆନ୍ତରିକତା ନାହିଁ । ଆଜି ହଜି ଯାଇଛି ସେ ଚିଠି । ହେଲେ ଆଜି ବି ଚିଠିର ମହକ, ଡାକଘର, ଡାକବାଲା ପୁରୁଣା ସ୍ମୃତି ବଖାଣୁଛି ।

ଚିଠି ଦିବସର ମହତ୍ତ୍ୱ- ମେସେଜ୍ ଏବଂ ଇମେଲ୍ର ଡିଜିଟାଲ୍ ଯୁଗରେ, ଏହି ପ୍ରାଚୀନ ଯୋଗାଯୋଗ ପ୍ରକ୍ରିୟାକୁ ମନେ ପକାଇବାକୁ ଚିଠି ଲେଖା ଦିବସ ପାଳନ କରାଯାଏ । ସମୟ ସହିତ ଚିଠି ସହ ସମ୍ପର୍କ ହରାଇଥିବା ଲୋକଙ୍କୁ ପୁଣି ସଂଯୋଗ ସ୍ଥାପନ କରିବାର ସୁଯୋଗ ଦିଏ । ମେସେଜ ଏବଂ ଇମେଲ୍ରେ ଉତ୍ତର ଦେବା ପରିବର୍ତ୍ତେ ଆପଣ ଚିଠିରେ କଣ ଲେଖୁଛନ୍ତି ସେ ବିଷୟରେ ଚିନ୍ତା କରିବାକୁ ସହାୟକ ହୁଏ । ବିଶ୍ୱ ପତ୍ର ଲିଖନ ଦିବସ ୨୦୧୪ ମସିହାରେ ଅଷ୍ଟ୍ରେଲୀୟ ଲେଖକ, କଳାକାର ଏବଂ ଫଟୋଗ୍ରାଫର ରିଚାର୍ଡ ସିମ୍ପକିନ୍ ଦ୍ୱାରା ଆରମ୍ଭ କରାଯାଇଥିଲା । ୧୯୯୦ ଦଶକର ଶେଷ ଭାଗରେ, ରିଚାର୍ଡ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ବୋଲି ଭାବୁଥିବା ଲୋକମାନଙ୍କୁ ଚିଠି ଲେଖୁଥିଲେ । ତାଙ୍କୁ ଉତ୍ତର ମିଳୁଥିଲା। ୨୦୦୫ ମସିହାରେ, ସେ 'ଅଷ୍ଟ୍ରେଲୀୟ କିମ୍ବଦନ୍ତୀ' ନାମକ ଏକ ପୁସ୍ତକରେ ଚିଠି ଲେଖିବାର ତାଙ୍କର ଅଭିଜ୍ଞତା ବିଷୟରେ ଲେଖିଥିଲେ ।