ଭୁବନେଶ୍ୱର,୨୧/୬(ମନୋରଞ୍ଜନ ମହାନ୍ତି) : ଓଡ଼ିଆ ରେକର୍ଡ ହେଉ କି ପୁରୁଣା ସିନେମା କିମ୍ବା ଆକାଶବାଣୀ । ସେଠି ବାଜୁଥିବା ଗୀତ ପୁରୁଣା ହେଲେ ବି ଅଭୁଲା, ଅପାସୋରା । କାଳଜୟୀ, ଚିରସବୁଜ... । ଯେତେ ଶୁଣୁଥିବେ ବାରମ୍ବାର ଇଚ୍ଛା ହେଉଥିବ ଶୁଣିବାକୁ । ତା’ର ମାଧୁର୍ଯ୍ୟ, ମୁର୍ଚ୍ଛନା, ସୌନ୍ଦର୍ଯ୍ୟ ଓ ସାହିତ୍ୟ ଏବଂ ଶବ୍ଦ ବିନ୍ୟାସ ଆଜି ଖୋଜିଲେ ବି ମିଳୁନି । ଏବେ ଅସଂଖ୍ୟ ଗୀତ ତିଆରି ହେଉଛି । ଦିନକୁ ଓଡ଼ିଶାର ବିଭିନ୍ନ କୋଣରେ ୨୦ରୁ ଅଧିକ ଗୀତ ରେକର୍ଡ ହେଉଥିବ ବର୍ଷକୁ ଶତାଧିକ ଗୀତ ରିଲିଜ୍ ହେଉଥିବ । କିନ୍ତୁ ଗୀତଗୁଡ଼ିକ ଶ୍ରୁତି ମଧୁର ହେଉନି । ମନେ ରହୁନି କି ମନକୁ ଛୁଉଁନି । ଆମର ଆକର୍ଷଣ ହେଲା, ଗୀତ ଟ୍ରେଣ୍ଡିଂରେ ଅଛି କି ନାହିଁ ଏବଂ କେତେ ଭ୍ୟୁଜ୍ ଗଲା? ସୋସିଆଲ୍ ମିଡିଆରେ ରିଲିଜ୍ ପରେ ଷ୍ଟୁଡିଓ ରେକର୍ଡିଂ କେତେ ଜଣ ଦେଖିଲେ? ମ୍ୟୁଜିକ୍ ଭିଡିଓ ଆସିଲା ପରେ କେତେ ଜଣ ରିଲ୍ସ କଲେ? ବାସ୍ ସେତିକିରେ ଏଭରେଷ୍ଟ ଶୀର୍ଷରେ ପହଞ୍ଚିଲା ପରି ଅଫୁରନ୍ତ ଆନନ୍ଦ । ତେଣିକି ଭାଷା, ସାହିତ୍ୟ ଚୁଲିକି ଯାଉ ।
ଓଡ଼ିଆ ସିନେମାରେ ଗୀତ ଉପରେ ଗବେଷଣା କରୁଥିବା ସୂର୍ଯ୍ୟ ଦେଓ କହନ୍ତି, ସେତେବେଳେ ଗୀତଗୁଡ଼ିକର ବଜାରୀକରଣ ମୁଖ୍ୟ ଥିଲା । ଏକମାତ୍ର ମାଧ୍ୟମ ଥିଲା ରେଡିଓ । ସ୍କୁଲ ଯିବା ସମୟରେ ସକାଳ ୯ଟାରୁ ୧୦ଟା ଏବଂ ରାତିରେ ଏକ ନିର୍ଦ୍ଦିଷ୍ଟ ସମୟରେ ଗୀତ ବାଜୁଥିଲା । ଗୀତ ଶୁଣିବାର ଏକ ଧାର୍ଯ୍ୟ ସମୟ ଥିଲା ଏବଂ ଶୁଣିବାକୁ ଭଲ ଲାଗୁଥିଲା । ଗୀତଗୁଡ଼ିକ ବାରମ୍ବାର ଶୁଣିବା ଦ୍ୱାରା ଲୋକପ୍ରିୟ ହେଇଯାଉଥିଲା । କିଛି ଗୀତ ଭଲ ଲାଗୁନଥିବ, ମାତ୍ର ବାରମ୍ବାର ଶୁଣିଲା ପରେ ଦେଖିବେ ମନରେ ଘର କରିନେବ । ଶ୍ରୀ ଦେଓ ଆଉ କିଛି ଉଦାହରଣ ଦେଇ କହିଥିଲେ, ୫୦-୬୦ ଦଶକ ବେଳକୁ ଓଡ଼ିଆ ସିନେମାରେ ଗୀତ ଠିକ୍ଠାକ୍ ଥିଲା । ୭୦ ଦଶକ ପରେ ଧୀରେ ଧୀରେ ପରିବର୍ତ୍ତନ ଆରମ୍ଭ ହେଲା । ଭଲ ଶବ୍ଦ ରହିଲାନି । ଆଳଙ୍କାରିକ ବ୍ୟବହାର କମ୍ ହେଲା । ୮୦-୯୦ ଦଶକ ବେଳକୁ ପୂରା ହାଲୁକା ଗୀତ ହେଲା । ୨୦୦୦ ପରଠୁ ଅବସ୍ଥା ପୂରା ସାଂଘାତିକ, ଯାହା ଚାଲିଛି । ସବୁ ଶସ୍ତା ହୋଇଗଲା । ସମସ୍ତେ ରେଡିମେଡ୍ ଚାହିଁଲେ । ସମୟ ଆସିଲା, ଗୀତଠୁ ସଙ୍ଗୀତର ପ୍ରଭାବ ଅଧିକ ହେଲା ।
୮୦ ଦଶକରୁ ଆଉ ଗୋଟିଏ ଟ୍ରେଣ୍ଡ୍ ଆରମ୍ଭ ହେଲା, ଦୃଶ୍ୟକୁ ନେଇ ଗୀତ ଚାଲିଲା । ଫଳରେ ଗୀତ ଉପରେ ଦୃଶ୍ୟର ପ୍ରଭାବ ଅଧିକ ହୋଇଗଲା । ସମସ୍ତେ ଦୃଶ୍ୟକୁ ସୁନ୍ଦର କରିବାରେ ଲାଗିଲେ, ଫଳରେ ଗୀତରେ ଭାବରେ ସାମଗ୍ରିକ ଆବେଦନ ରହିଲା ନାହିଁ । ସିନେମାରୁ ନେଇ ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ପର୍ଯ୍ୟନ୍ତ ସମସ୍ତେ ଶୀଘ୍ର ଖୁସି ହେବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ଓଡ଼ିଆ ସଙ୍ଗୀତ ଭିନ୍ନ ସ୍ତରକୁ ଗଲାଣି । ସେଥିଲାଗି କିଛି ଭଲ ଗୀତ ଆସିଲେ ବି ଖରାପ ଭାବି କେହି ଶୁଣୁ ନାହାନ୍ତି । ତା’ମାନେ ସବୁ ଖରାପ ହେଉଛି ଆଉ ଭଲ ହେଉନି । ଆଶା, ଏଇ ରଜରେ ଆସିଥିବା ‘ଅନନ୍ତା’ ଭଳି ସିନେମାରେ ଲୋରି ‘ନୀଳମଣି’ ଏବଂ ପାରମ୍ପରିକ ଲୋକକଳା ଗୀତ "ମଲ୍ଲୀଢପ’ ଭଳି ଓଡ଼ିଆ ଛୁଙ୍କର ମନଛୁଆଁ ଗୀତ ଅଧିକ ହେବା ଦରକାର । ବିଭିନ୍ନ ମ୍ୟୁଜିକ୍ ଭିଡିଓ ଓ ଷ୍ଟୁଡିଓରେ ବି ଭଲ ଗୀତ ରେକର୍ଡିଂ ହେଉଛି । ତା’ର ସଂଖ୍ୟା ବଢ଼ିବା ଦରକାର । ସେଥିପାଇଁ ନୂଆପିଢ଼ିକୁ ଦାୟିତ୍ୱ ନେବାକୁ ହେବ । ତାହେଲେ ଯାଇ ଗୀତର ଭାବ ସହ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତା ସୁରକ୍ଷିତ ରହିପାରିବ ।