ନୂଆଦିଲ୍ଲୀ ୦୮/୦୬: ଅନୁସନ୍ଧାନ ଓ ବିଜ୍ଞାନ ମୁତାବକ ସମଗ୍ର ବିଶ୍ୱର ୭୧ ପ୍ରତିଶତ ଜଳାର୍ଣ୍ଣବ । ସେଥିରୁ ପୁଣି ୯୬ ଭାଗରୁ ବି ଉର୍ଦ୍ଧ୍ୱ ଜଳ ମହାସାଗରରେ ରହିଛି । ଗଭୀର ନୀଳ ସାଗର ଯେ ନିଜ ମଧ୍ୟରେ କେବଳ ରହସ୍ୟ ଲୁଚାଇ ରଖିଛି ସେପରି ନୁହଁ, ନୀଳ ସାଗରର ଅତଳ ଜଳ ତଳେ ଲୁଚିଯାଉଛି ଟନ୍‌ ଟନ୍‌ ପ୍ରଦୂଷକ । ମହାସାଗରର ପ୍ରାଚୁର୍ଯ୍ୟ ଓ ସୁନ୍ଦରତାକୁ ପାଳନ କରିବା ତଥା ଏହା ଉପରକୁ ଆସୁଥିବା ବିପତ୍ତି ଉପରେ ଆଲୋକପାତ କରିବାର ଯଥାର୍ଥ ଆବଶ୍ୟକତା ରହିଛି । ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସ ୮ ତାରିଖରେ ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ । ଏହି ଦିବସ ପ୍ରତ୍ୟେକଙ୍କ ଜୀବନରେ ମହାସାଗରର ଗୁରୁତ୍ୱ ମନେ  ପକାଇଦିଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସକୁ ପାଳନ କରାଯାଉଥିବାରୁ ଏହାକୁ ୟୁଏନ୍‌ ମହାସାଗର ଦିବସ ମଧ୍ୟ କୁହାଯାଏ ।

ଚଳିତ ବର୍ଷ ଫ୍ରାନ୍ସଠାରେ ମହାସାଗର  ଦିବସ ପାଳିତ ହେଉଛି । ୮ ଜୁନ ରୁ ୧୩ ଜୁନ ଯାଏ ବିଶ୍ୱବ୍ୟାପୀ  ବିଭିନ୍ନ ଦେଶମାନଙ୍କୁ ଏହି ଅବସରରେ ଆୟୋଜିତ ହେଉଥିବା କନଫରେନ୍ସରେ ଭାଗ ନେବାକୁ ଆହ୍ୱାନ ଦିଆଯାଇଛି । ଚଳିତ ବର୍ଷ ପାଇଁ ‘ୱାଣ୍ଡର୍‌: ସଷ୍ଟେନ୍‌ ହ୍ୱାଟ୍‌ ସଷ୍ଟେନ୍‌ ଅସ୍‌’ ବିଷୟବସ୍ତୁ ରଖାଯାଇଛି । ୧୯୯୨ରେ ପ୍ରଥମ ଥର ପାଇଁ ମହାସାଗର ଦିବସ ପାଳନ କରାଯାଇଥିଲା । ୨୦୦୮ରୁ ଏହାକୁ ଜାତିସଂଘ ତରଫରୁ  ପୃଷ୍ଠପୋଷକତା ମିଳିଥିଲା । ୨୦୦୯ରେ ଆମ ସମୁଦ୍ର ଆମ ଦାୟିତ୍ୱ  ନାମକ ଏକ ସ୍ଲୋଗାନ ସହ ଜାତିସଂଘ ତରଫରୁ ପ୍ରଥମ ଥର  ବିଶ୍ୱସ୍ତରୀୟ ମହାସାଗର ଦିବସ ପାଳନ କରାଯାଇଥିଲା ।