ଭୁବନେଶ୍ବର, ୧୫।୭ : ଚିଲିକା ବକ୍ଷରେ ଅବସ୍ଥିତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଆଜି ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ଆଧ୍ୟାତ୍ମିକ କେନ୍ଦ୍ର। ଏକଦା “କାଙ୍କଡ଼ କୁଦା” ନାମରେ ପରିଚିତ ଏହି ନିର୍ଜନ ଦ୍ୱୀପ ଆଜି ଭକ୍ତି, ଇତିହାସ, ପରମ୍ପରା ଓ ପ୍ରକୃତିର ଏକ ଅପୂର୍ବ ସଙ୍ଗମସ୍ଥଳ ଭାବେ ଦେଶ-ବିଦେଶର ଜଗନ୍ନାଥ ପ୍ରେମୀଙ୍କୁ ଆକର୍ଷିତ କରୁଛି। ମାଦଳାପାଞ୍ଜିର ଐତିହାସିକ ବର୍ଣ୍ଣନା, ହରିହରେଶ୍ୱର ପୀଠ ସହ ଏହାର ସମ୍ପର୍କ ଏବଂ ଚିଲିକାର ଜଳବକ୍ଷରେ ପାଳିତ ଅନନ୍ୟ ଜଳ ରଥଯାତ୍ରା ଏହି କ୍ଷେତ୍ରକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି ଯେ, ୧୭୩୧ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଶତ୍ରୁ ଆକ୍ରମଣରୁ ସୁରକ୍ଷା ପାଇଁ ଚିଲିକା ଅଞ୍ଚଳକୁ ବିଜେ କରିଥିଲେ। ସେହି ସମୟରେ କାଙ୍କଣଶିଖରୀରେ ମହାପ୍ରଭୁଙ୍କ ଚାରି ମାସ ଷୋହଳ ଦିନ ବିରାଜମାନ ରହିଥିବାର ଉଲ୍ଲେଖ ଏହି ଭୂମିକୁ ଜଗନ୍ନାଥ ଇତିହାସରେ ଏକ ବିଶେଷ ସ୍ଥାନ ପ୍ରଦାନ କରିଛି। ସେହି ସମୟରେ ନଈରୀର ହରିହରେଶ୍ୱର ପୀଠ ମହାପ୍ରଭୁଙ୍କ ଅସ୍ଥାୟୀ ଶ୍ରୀମନ୍ଦିର ଭାବେ ପରିଚିତ ଥିଲା ଏବଂ ସେଠାରୁ ନୀତିକାନ୍ତି ସମ୍ପନ୍ନ ହେଉଥିଲା। ଏହି ଐତିହାସିକ ଘଟଣା କାଙ୍କଣଶିଖରୀକୁ ଏକ ଲୀଳାଭୂମିର ମର୍ଯ୍ୟାଦା ପ୍ରଦାନ କରିଛି।
ସ୍ଥାନୀୟ ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ଏହି ଅବସ୍ଥାନ ସମୟରେ ଦ୍ୱୀପରେ ଉତ୍ପନ୍ନ କାଙ୍କଡ଼ ଫଳ ହିଁ ନୈବେଦ୍ୟ ଭାବେ ଅର୍ପଣ କରାଯାଉଥିଲା। ଚିଲିକାର ଚତୁଃପାର୍ଶ୍ୱରେ ଲୁଣିଆ ଜଳ ଥିଲେ ମଧ୍ୟ, ମାତ୍ର କିଛି ଦୂରରେ ଅବସ୍ଥିତ ଯମୁନା ନିର୍ଝରିଣୀର ଜଳ ସମ୍ପୂର୍ଣ୍ଣ ମଧୁର ଥିବାରୁ ମହାପ୍ରଭୁଙ୍କ ସେବାରେ ସେହି ଜଳ ବ୍ୟବହୃତ ହେଉଥିଲା ବୋଲି ଜନବିଶ୍ୱାସ ।
ଦୀର୍ଘ ସମୟ ଧରି ଅବହେଳିତ ରହିଥିବା ଏହି ପବିତ୍ର ସ୍ଥାନର ପୁନରୁଦ୍ଧାର ୨୦୧୫ ମସିହାରେ ଆରମ୍ଭ ହେଲା। ଶ୍ରୀମନ୍ଦିର ପ୍ରଶାସନଙ୍କ ଅନୁଦାନ ସ୍ୱରୂପ ପ୍ରାପ୍ତ ୨୦୧୫ ନବକଳେବରର ନନ୍ଦିଘୋଷ ରଥର ପବିତ୍ର ରଥଚକ ଏଠାରେ ସ୍ଥାପନ କରାଯିବା ପରେ ଭକ୍ତମାନଙ୍କ ବିଶ୍ୱାସରେ ଏହି ଭୂମି ନୂତନ ଆଧ୍ୟାତ୍ମିକ ମହତ୍ତ୍ୱ ଲାଭ କଲା। ଏହା ପରେ ଏଠାର ପ୍ରସାଦ ଲୀଳାକ୍ଷେତ୍ର କୈବଲ୍ୟ, ପ୍ରାଚୀନ ବଟବୃକ୍ଷ କଳ୍ପବଟ ଏବଂ ସମଗ୍ର ପରିସର ଲୀଳାକ୍ଷେତ୍ର କାଙ୍କଣଶିଖରୀ ଭାବେ ପରିଚିତ ହେଲା।
ଏହି ବିକାଶ ଯାତ୍ରାରେ ସମ୍ପ୍ରତି ଶ୍ରୀକ୍ଷେତ୍ର ପୁରୀର ପବିତ୍ର ବାଇଶି ପାହାଚର ଆଦର୍ଶରେ ନୂତନ ଭାବେ ବାଇଶି ପାହାଚ ନିର୍ମାଣ କରାଯାଇଛି। ୨୦୧୮ ମସିହାରେ ପୂଜ୍ୟ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ବିଜେ ଏହି ପବିତ୍ର କ୍ଷେତ୍ରର ଗୌରବକୁ ଆହୁରି ବୃଦ୍ଧି କରିଥିଲା।
ଲୀଳାକ୍ଷେତ୍ର କାଙ୍କଣଶିଖରୀର ସବୁଠାରୁ ବଡ଼ ପରିଚୟ ହେଉଛି ଏହାର ଅନନ୍ୟ ଜଳ ରଥଯାତ୍ରା। ଚିଲିକାର ଜଳରାଶି ଉପରେ ମହାପ୍ରଭୁଙ୍କ ନୌକାବିହାର ସହ ରଥଯାତ୍ରା ବିଶ୍ୱରେ ଏକ ବିରଳ ପରମ୍ପରା ଭାବେ ପରିଚିତ। କିଛି ଐତିହାସିକ ମତ ଅନୁଯାୟୀ, ପୂର୍ବେ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡ ମଧ୍ୟରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା ଏବଂ ମହାପ୍ରଭୁଙ୍କୁ ଗୁଣ୍ଡିଚା ଯାତ୍ରା ସମୟରେ ଜଳପଥ ଅତିକ୍ରମ କରିବାକୁ ପଡ଼ୁଥିଲା। କାଙ୍କଣଶିଖରୀର ଜଳ ରଥଯାତ୍ରାକୁ ସେହି ପରମ୍ପରାର ସ୍ମୃତିର ଏକ ପ୍ରତୀକ ଭାବେ ଅନେକେ ଦେଖନ୍ତି।
ଚଳିତ ବର୍ଷ ୧୨ତମ ଜଳ ରଥଯାତ୍ରା ଆହୁରି ଭବ୍ୟ ଭାବେ ପାଳିତ ହେବ। ନୂତନ ଭାବେ ନିର୍ମିତ ଗରୁଡଧ୍ୱଜ ଓ ପଦ୍ମଧ୍ୱଜ ନୌକା ମହାପ୍ରଭୁଙ୍କ ମଣିମା ବିଜେର ଅପେକ୍ଷାରେ ସଜ୍ଜିତ। ଚିଲିକାର ନୀଳ ଜଳରାଶି ମଧ୍ୟରେ ହରିବୋଲ ଧ୍ୱନି, ଘଣ୍ଟ, କାହାଳୀ, ମୃଦଙ୍ଗର ନାଦ ଓ ହଜାର ହଜାର ଭକ୍ତଙ୍କ ସମାଗମରେ ଏହି ଦିବ୍ୟ ଉତ୍ସବ ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ଅଧ୍ୟାୟ ରଚନା କରୁଛି।
ଆହୁରି ପଢନ୍ତୁ : ଲଘୁଚାପ ସକ୍ରିୟ : ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ