ଭୁବନେଶ୍ୱର ୩୦/୦୩: ଆଜି ବିଶ୍ୱ ଶୂନ୍ୟ ବର୍ଜ୍ୟ ଦିବସ।  ଭୁବନେଶ୍ୱର ମହାନଗର ନିଗମ ନିଜସ୍ୱ  ମୁଖ୍ୟ କାର୍ଯ୍ୟାଳୟକୁ ଜିରୋ ୱେଷ୍ଟ(ଶୂନ୍ୟ  ବର୍ଜ୍ୟ) କରିବା ପାଇଁ ସଂକଳ୍ପ ନେଇଛି । ଏହାକୁ କାର୍ଯ୍ୟକାରୀ କରିବା  ପାଇଁ ଟିମ୍‌ ବିଏମ୍‌ସି ପକ୍ଷରୁ ବିଭିନ୍ନ  ପଦକ୍ଷେପ ନିଆଯାଇଛି । ପ୍ରତି ମହଲା  ଏବଂ ଉପବିଭାଗରେ ଜିରୋ ୱେଷ୍ଟ କମିଟି  ଗଠନ, ନିୟମିତ ପ୍ରଶିକ୍ଷଣ, ଆତ୍ମ ସମୀକ୍ଷା,  ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ, ଖାଦ୍ୟ ନଷ୍ଟକୁ ନା, ଏବଂ ପ୍ରତି କର୍ମଚାରୀ ନିଜର  ଜିରୋ ୱେଷ୍ଟ ପାସ୍‌ ବୁକ୍‌ ନିୟମିତ କରିବା,  ପ୍ଲାଷ୍ଟିକ ବଦଳରେ ଷ୍ଟିଲ ବା କାଚ  ବୋତଲ ବ୍ୟବହାର କରିବା ଇତ୍ୟାଦି  ଅଭ୍ୟାସଗୁଡିକୁ କଡ଼ାକଡ଼ି ଭାବେ ପାଳନ  ହେବ । କାର୍ଯ୍ୟାଳୟରୁ ବାହାରୁଥିବା ବିଭିନ୍ନ  ଟୁକୁଡ଼ା କାଗଜ ଏବଂ ଅନ୍ୟାନ୍ୟ ଅଦରକାରୀ  ପଦାର୍ଥକୁ ଡଷ୍ଟ୍‌ବିନ୍‌ରେ ନ ଫୋପାଡି  ତାହାର ପୁନଃଚକ୍ରଣ କରାଯାଉଛି । 

କେବଳ  ବିଏମ୍‌ସି ମୁଖ୍ୟାଳୟ ନୁହେଁ, ଜୋନ୍‌ ଅଫିସ ଗୁଡ଼ିକୁ ମଧ୍ୟ ଜିରା ୱେଷ୍ଟ କରିବା ପାଇଁ  ଯୋଜନା ଆରମ୍ଭ ହୋଇଛି । ଅନ୍ୟାନ୍ୟ କାର୍ଯ୍ୟାଳୟ ଓ ଘରେ ଘରେ ଜିରୋ ୱେଷ୍ଟ  ଅଭ୍ୟାସକୁ ଅନୁସରଣ କରିବା ପାଇଁ  ବିଏମ୍‌ସି କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।