ଭୁବନେଶ୍ୱର,୨୧/୧୧: ବାରିପଦାରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି କଳାବାଘ ସଫାରୀ । ବହୁ ଦିନର ପ୍ରତୀକ୍ଷା ପରେ ବାରିପଦାର ମଞ୍ଚାବେଡ଼ା ଠାରେ ବିଶ୍ୱର ପ୍ରଥମ କଳା ବାଘ ସଫାରୀ ଖୋଲିବା ପାଇଁ ବାଟ ଫିଟିଛି । କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡଏ)ଙ୍କ ସବୁଜ ସଂକେତ ମିଳି ସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଙ୍କ ଅନୁମତି ମଧ୍ୟ ମିଳିସାରିଥିଲା । ହେଲେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଦୀର୍ଘଦିନ ଧରି କଳାବାଘ ସଫାରୀ ଖୋଲିବାରେ କଣ୍ଟା ସାଜିଥିଲା ।
ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବି ଆର ଗଭାଇ ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅଣ-ଜଙ୍ଗଲ ଜମି କିମ୍ବା ବଫର ଏରିଆର ଅବନତି ହେଉଥିବା ଜଙ୍ଗଲ ଜମିରେ ବାଘ ସଫାରୀ କରାଯାଇ ପାରିବ । କିନ୍ତୁ ବାଘ ସଫାରୀ ଯୋଗୁଁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପରେ କୌଣସି ପ୍ରଭାବ ନ ପଡିବ ଦରକାର । କୌଣସି ଅଭୟାରଣ୍ୟର ବଫର ଜୋନରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରାଗଲେ, ପରିବେଶ (ସଂରକ୍ଷଣ) ଆଇନ ୧୯୮୬ର ଇସିଜେଡ ବିଜ୍ଞପ୍ତିକୁ ମାନିବାକୁ ପଡ଼ିବ । ବନ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ କହିବା ମୁତାବକ, ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବାରିପଦାର ମଞ୍ଚାବେଡ଼ାରେ କଳାବାଘ ସଫାରି ଖୋଲିବାକୁ ବାଟ ଫିଟିଛି । କାହିଁକି ନା, ବାରିପଦାର ମଞ୍ଚାବେଡ଼ାରେ ପ୍ରସ୍ତାବିତ କଳାବାଘ ସଫାରୀ ଶିମିଳିପାଳ ଜଙ୍ଗଲର ସୀମାଠାରୁ ୧୦ କିମି ଦୂରରେ ଅବସ୍ଥିତ । ଏହାଦ୍ୱାରା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।
ପୂର୍ବରୁ ମଞ୍ଚାବେଡ଼ା ଠାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇ ସାରିଛି । ପାଖାପାଖି ୧୦୦ ହେକ୍ଟରରେ ହେବ ବାଘଙ୍କ ରହଣି ସ୍ଥଳ । ବାକି ୧୦୦ ହେକ୍ଟରରେ ଉଦ୍ଧାରକେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସାଳୟ କରାଯିବ । ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ବାଘ ଓ ରାଞ୍ଚି ଚିଡ଼ିଆଖାନାରୁ ୨ଟି କଳା ବାଘଙ୍କୁ ଆଣି ଏଠାରେ ଛଡ଼ାଯିବ । ଆସନ୍ତା ୬ ମାସ ମଧ୍ୟରେ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।
ଏଭଳି ସଫାରୀ ଓଡ଼ିଶାର ବନ୍ୟପ୍ରାଣୀ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ଯାଉଛି । ଏହି ପଦକ୍ଷେପ ଦ୍ୱାରା ସଂରକ୍ଷକ,ଗବେଷକ ଓ ଉତ୍ସାହୀ ଏବଂ ସାଧାରଣ ଜନତା ଏହି ବିରଳ କଳା ବାଘଙ୍କୁ ଅତି ନିକଟରୁ ଦେଖିପାରିବେ । ବାଘଙ୍କ ସଂରକ୍ଷଣ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିପାରିବେ । ଜାତୀୟ ରାଜପଥ ଓ ବାରିପଦା ସହର ନିକଟରେ ଅବସ୍ଥିତ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହେବ । ଏହା ବ୍ୟତୀତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଅତିରିକ୍ତ ଆକର୍ଷଣ କେନ୍ଦ୍ର ପାଲଟିବ ।
ସୂଚନା ଥାଉକି, ଶିମିଳିପାଳର ଗର୍ବ ପାଲଟିଥିବା ମେଲେନାଷ୍ଟିକ୍ ପ୍ରଜାତିର ‘ଟି-୧୨’ ମହାବଳର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ଝରଣାକୂଳରେ ବୁଲୁଥିବା ଏହି କାଳିଆ ମହାବଳଟି ଶିମିଳିପାଳରେ ନଥିଲେ, ହୁଏତ ଶିମିଳିପାଳରେ ଆଶାନୁରୂପକ ଭାବେ ବାଘ ବଂଶ ବୃଦ୍ଧି ହୋଇ ନଥାନ୍ତା । ନ୍ୟାସନାଲ ଜିଓଗ୍ରାଫିକ୍ ପତ୍ରିକାର ଗତ ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ କଳାବାଘ ଫଟୋ ସ୍ଥାନିତ ହୋଇଥିଲା । ନ୍ୟାସନାଲ ଜିଓଗ୍ରାଫିକ୍ ଏକ୍ଲପ୍ଲୋରର୍ ତଥା ଫଟୋଗ୍ରାଫର ପ୍ରସନ୍ନଜିତ ଯାଦବ ଜିନ୍ଗତ ରୋଗ ଇନ୍ବ୍ରିଡିଂର ଶିକାର ଏହି କଳାବାଘର ଦୁଃଖଦ କାହାଣୀକୁ ବିସ୍ତୀର୍ଣ୍ଣ ଭାବେ ଏହି ଆନ୍ତର୍ଜାତୀୟ ପତ୍ରିକାରେ ରଚନା କରିଥିଲେ । ଯାହାକି, ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟିଥିଲା । ଯେଉଁଥିପାଇଁ ବାରିପଦାରେ ଏହି କଳାବାଘ ସଫାରୀ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ବନବିଭାଗ ଆଶା ରଖିଛି ।