ନୂଆଦିଲ୍ଲୀ ୦୧/୦୧: ‘ମିଷ୍ଟର ବିଷ୍ଟ୍‌’ ଭାବେ ପରିଚିତ ୟୁଟ୍ୟୁବର୍‌ ଜିମି ଡୋନାଲ୍ଡସନ୍‌ ଏବେ ୟୁଟ୍ୟୁବ୍‌ ପରେ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି ନେଇଛନ୍ତି । ସେ ବିଶ୍ୱର ସବୁଠୁ ମହଙ୍ଗା ରିଆଲିଟି ଶୋ’ ନେଇ ଆସିଛନ୍ତି ଯାହାର ନାଁ ‘ବିଷ୍ଟ୍‌ ଗେମ୍ସ’ । କୋରିଆନ୍‌ ଥ୍ରିଲର ଶୋ’ ‘ସ୍କ୍ୱିଡ୍‌ ଗେମ୍ସ’ ଭଳି ଏହି ଶୋ’ ମଧ୍ୟ ବିପଜ୍ଜନକ ଥିମ୍‌ ଉପରେ ପର୍ଯ୍ୟବସିତ । ଏଥିରେ ପ୍ରାୟ ୧୦୦୦ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ । ପ୍ରତିଯୋଗୀଙ୍କୁ ବିଭିନ୍ନ ଚାଲେଞ୍ଜ ପୂରଣ କରିବାକୁ ହେବ । ତା’ ବଦଳରେ ଅର୍ଥ ଜିତିବାର ସୁଯୋଗ ରହିଛି । 

ଏହି ଶୋ’କୁ ଡୋନାଲ୍ଡସନ୍‌ ନିଜେ ପ୍ରଯୋଜନା କରିଥିବାବେଳେ ଏଥିଲାଗି ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮୫୬ କୋଟି ୩୭ ଲକ୍ଷ, ୨୧ ହଜାର ଟଙ୍କା ଲଗାଇଛନ୍ତି । ଏହି ଅର୍ଥ ମଧ୍ୟରେ ବିଜେତାଙ୍କୁ ପୁରସ୍କାର ବାବଦରେ ଦିଆଯିବାକୁ ଥିବା ୪୨ କୋଟି ଟଙ୍କା, ଲାମ୍ବୋରଗିନି ଓ ଘରୋଇ ଦ୍ୱୀପର ମୂଲ୍ୟ ସାମିଲ ନାହିଁ । ସେପଟେ ଏହି ଶୋ’ ଲୋକଙ୍କ ମଧ୍ୟରେ ଏତେ ଲୋକପ୍ରିୟ ହୋଇଛି ଯେ ୫୦ଟି ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛି । ଏହା ବିଶ୍ୱର ସବୁଠୁ ମହଙ୍ଗା ରିଆଲିଟି ଶୋ’ ହେବା ନେଇ ରେକର୍ଡ କରିଥିବାବେଳେ ସର୍ବାଧିକ ଅର୍ଥ ପୁରସ୍କାର ଦେଉଥିବା ଶୋ’ ବି ପାଲଟିଛି । 

ଶୋ’ର ଦୁଇଟି ଏପିସୋଡ୍‌ ଡିସେମ୍ବର ୧୯ରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ପ୍ରସାରିତ ହୋଇସାରିଛି । ଏହି ସିରିଜ୍‌ ୧୦ଟି ଏପିସୋଡ୍‌ର । ବାକି ଅଧ୍ୟାୟଗୁଡିକୁ ଧୀରେ ଧୀରେ ଓଟିଟିରେ ଅପଲୋଡ୍‌ କରାଯିବ । ଖାସ୍‌ କଥା ହେଲା ଶୋ’ ଲାଗି ଡୋନାଲ୍ଡସନ୍‌ ପ୍ରତିଯୋଗୀଙ୍କ ପାଇଁ ଯେଉଁ ସେଟ୍‌ ପ୍ରସ୍ତୁତ କରାଇଛନ୍ତି ତାହା ଅତି ବିଳାସପୂର୍ଣ୍ଣ । ତାକୁ ‘ବିଷ୍ଟ୍‌ ସିଟି’ ନାମ ଦିଆଯାଇଛି । କେବଳ ସେଟ୍‌ ଲାଗି ୧୧୯ କୋଟି ଖର୍ଚ୍ଚ ହୋଇଛି । ସୂଚନାଥାଉକି, ଏହା ପୂର୍ବରୁ ଟିଭି ସିରିଜ୍‌ ‘ସ୍କ୍ୱିଡ୍‌ ଗେମ୍‌’ ୨୨ ନିୟୁତ ଡଲାର, ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ୫୦ ନିୟୁତ ଡଲାର ଓ ‘ଦ ଲାଷ୍ଟ ଅଫ୍‌ ଅସ୍‌’କୁ ୯୦ ନିୟୁତ ଡଲାର ବ୍ୟୟରେ ପ୍ରସ୍ତୁତ କରାଯାଇଥିଲା ।