ନୂଆଦିଲ୍ଲୀ ୦୫/୦୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ । ଜାପାନର ଟୋମିକୋ ଇଟୂକାଙ୍କର ୧୧୬ ବର୍ଷ ବୟସରେ ହ୍ୟୋଗୋ ପ୍ରିଫେକ୍ଚର ସ୍ଥିତ ଆଶିୟା ସିଟି ନର୍ସିଂହୋମ୍ରେ ଦେହାନ୍ତ ହୋଇଛି । ଅଗଷ୍ଟ, ୨୦୨୪ରେ ସ୍ପେନ୍ର ମାରିଆ ବ୍ରାନ୍ୟାସ୍ଙ୍କର ୧୧୭ ବର୍ଷ ବୟସରେ ମୃତ୍ୟୁ ହେବା ପରେ ଇଟୂକା ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିର ମାନ୍ୟତା ପାଇଥିଲେ । ୧୯୦୮ ମସିହାରେ ଇଟୂକା ଜନ୍ମଗ୍ରହଣ କରିଥିଲେ । ସେହି ବର୍ଷ ଆମେରିକାରେ ଫର୍ଡ ମଡେଲ ଟି କାର୍ ଲଞ୍ଚ୍ ହୋଇଥିଲା । ସେପ୍ଟେମ୍ବର, ୨୦୨୪ରେ ଇଟୂକା ଗିନିଜ୍ ବିଶ୍ୱ ରେକର୍ଡସ ଦ୍ୱାରା ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିର ଟାଇଟଲ ପାଇଥିଲେ । ୩ ଭାଇଭଉଣୀଙ୍କ ମଧ୍ୟରେ ଅନ୍ୟତମ ଇଟୂକା ୨ ବିଶ୍ୱଯୁଦ୍ଧ, ଅନେକ ମହାମାରୀ ଏବଂ ଅନେକ ବୈଷୟିକ କ୍ରାନ୍ତି ଦେଖିଛନ୍ତି ।
Sad news today that the world's oldest person Tomiko Itooka has died at the age of 116. Our thoughts are with her family.https://t.co/2UNvdrGFse
— Guinness World Records (@GWR) January 4, 2025
ବୃଦ୍ଧାବସ୍ଥାରେ ସେ କଦଳୀ ଓ ଜାପାନରେ ଲୋକପ୍ରିୟ ଦୁଗ୍ଧଜାତୀୟ ପାନୀୟ କାଲପିସ୍ ଖାଉଥିଲେ । ୨୦ ବର୍ଷ ବୟସରେ ସେ ବିବାହ କରିଥିଲେ । ତାଙ୍କର ୨ ଝିଅ ଓ ୨ ପୁଅ ଥିଲେ । ୧୯୭୯ ମସିହାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଇଟୂକା ଏକାକୀ ରହୁଥିଲେ । ମୃତ୍ୟୁ ପୂର୍ବରୁ ସେ ଗୋଟିଏ ପୁଅ, ଗୋଟିଏ ଝିଅ ଓ ୫ ନାତିନାତୁଣିଙ୍କ ସହ ରହୁଥିଲେ । ଗତ ସେପ୍ଟେମ୍ବର ସୁଦ୍ଧା, ଜାପାନରେ ୯୫ ହଜାର ଲୋକ ୧୦୦ କିମ୍ବା ତଦୁଦ୍ଧ୍ୱର୍ ବୟସ୍କ ଥିଲେ । ତନ୍ମଧ୍ୟରେ ୮୮ ପ୍ରତିଶତ ମହିଳା ଥିଲେ । ବ୍ରାଜିଲ୍ର ନନ୍ ଇନାହ କାନାବରୋ ଲୁକାସ୍ଙ୍କର ବର୍ତ୍ତମାନ ବୟସ ୧୧୬ ବର୍ଷ । ସେ ଇଟୂକାଙ୍କଠୁ ୧୬ ଦିନ ବଡ଼ । ତାଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିର ଟାଇଟଲ୍ ମିଳିପାରେ ।