ନୂଆଦିଲ୍ଲୀ ୦୬/୧୨: ବିଶ୍ୱର ସବୁଠୁ ବୟସ୍କ ପକ୍ଷୀ ୭୪ ବର୍ଷ ବୟସରେ ଅଣ୍ଡା ଦେଇଛି । ଗତ ୪ ବର୍ଷରେ ଏହା ତା’ର ପ୍ରଥମ ଅଣ୍ଡା, ଯାହା ବୈଜ୍ଞାନିକଙ୍କ ଖୁସିକୁ ବହୁଗୁଣିତ କରିଛି । ୱିଜ୍‌ଡମ୍‌ ନାମକ ଲେସାନ୍‌ ଅଲ୍‌ବାଟ୍ରୋସ୍‌ ପକ୍ଷୀକୁ ଗତ ସପ୍ତାହ ମିଡ୍‌ୱେ ଆଟଲ୍‌ ନ୍ୟାସ୍‌ନାଲ ୱାଇଲ୍ଡଲାଇ୍‌ ରିଫ୍ୟୁଜିରେ ନିଜର ନୂଆ ସାଥୀ ଓ ଏକ ଅଣ୍ଡା ସହିତ ଚିହ୍ନଟ କରାଯାଇଥିଲା । ଏହା ଏକ ଦ୍ୱୀପପୁଞ୍ଜ ଅଭୟାରଣ୍ୟ, ଯାହା ହୱାଈ ଉପଦ୍ୱୀପର ସୁଦୂର ଉତ୍ତରରେ ଅବସ୍ଥିତ । 

ୱାଇଲ୍ଡଲାଇଫ୍‌ ରିଫ୍ୟୁଜିର ବନ୍ୟଜୀବ ବିଜ୍ଞାନୀ ଜନ୍‌ ପ୍ଲିସ୍‌ନର କହିଛନ୍ତି, ୱିଜ୍‌ଡମ୍‌ ଅଣ୍ଡା ଦେବ ବୋଲି ସେ ଓ ତାଙ୍କ ଟିମ୍‌ ବେଶ ଆଶାବାଦୀ ଥିଲେ । ସେ ଆଉ ଏକ ଛୁଆ ଜନ୍ମ ପାଇଁ ଫିଟ୍‌ ହେବ ବୋଲି ସେମାନଙ୍କର ବିଶ୍ୱାସ ଥିଲା । ଏହା ଏକ ସ୍ୱତନ୍ତ୍ର ଖୁସି ଏବଂ ୱିଜ୍‌ଡମ୍‌ର ଉପଲବ୍ଧି ବୋଲି ସେ କହିଛନ୍ତି । ବନ୍ୟଜୀବ ଅଭୟାରଣ୍ୟର ଫେସ୍‌ବୁକ ପେଜ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରାଯାଇଛି । ଏଥିରେ ନୂଆ ସାଥୀ ଅଣ୍ଡାରୁ ଛୁଆ ଜନ୍ମ ପାଇଁ ତା’ଉପରେ ବସିବା ପୂର୍ବରୁ ୱିଜ୍‌ଡମ୍‌ ନିଜ ମୁଣ୍ଡକୁ ତା’ ମୁଣ୍ଡରେ ରଗଡୁଥିବା ଦେଖିବାକୁ ମିଳିଛି । 

ଜୀବବିଜ୍ଞାନୀମାନେ ୨୦୦୧ ମସିହାରେ ମିଡ୍‌ୱେ ଆଟଲ୍‌ଠାରେ ୱିଜ୍‌ଡମ୍‌କୁ ଚିହ୍ନଟ କରିଥିଲେ । ତା’ର ଗୋଡ଼ରେ ଏକ ଲାଲ୍‌ ରଙ୍ଗର ବ୍ୟାଣ୍ଡ୍‌ ଥିଲା । ସେମାନେ ପରେ ଜାଣିବାକୁ ପାଇଲେ, ଦିବଂଗତ ପ୍ରସିଦ୍ଧ ଅର୍ନିଥୋଲୋଜିଷ୍ଟ୍‌ ଚାଣ୍ଡଲର୍‌ ରବିନ୍ସଙ୍କ ଦ୍ୱାରା ୧୯୫୬ ମସିହାରେ ତାକୁ ସେଠାକୁ ନିଆଯାଇଥିଲା । ବନ୍ୟଜୀବ ଅଭୟାରଣ୍ୟ ଅନୁସାରେ, ୱିଜ୍‌ଡମ୍‌ ନିଜ ଜୀବନକାଳ ମଧ୍ୟରେ ୬୦ଟି ଅଣ୍ଡା ଦେଇଛି ଏବଂ ୩୦ ଛୁଆର ମା’ ହୋଇଛି । ଲେସାନ ଅଲ୍‌ବାଟ୍ରୋସ୍‌ ପକ୍ଷୀ ୧୨ରୁ ୪୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି । ଏମାନଙ୍କ ମଧ୍ୟରୁ ଅନେକ ରଙ୍ଗୀନ୍‌ ପ୍ଲାଷ୍ଟିକ୍‌କୁ ସମୁଦ୍ରରେ ଖାଦ୍ୟ ଭାବି ଗିଳି ପ୍ରାଣ ହରାଇଥାନ୍ତି । ତେବେ, ୱିଜ୍‌ଡମ୍‌ ନିଜର ଦୀର୍ଘ ଜୀବନ ଓ ଛୁଆ ଜନ୍ମ ଦେବାର ସାମର୍ଥ୍ୟ ପାଇଁ ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ପ୍ରତି ବର୍ଷ କୋଟି କୋଟି ଅଲ୍‌ବାଟ୍ରୋସ୍‌ ବାସସ୍ଥଳୀ ପାଇଁ ଓ ଛୁଆ ଦେବାକୁ ମିଡ୍‌ୱେ ଆଟଲ୍‌କୁ ଫେରନ୍ତି ।