ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଚିନ୍ତା ବଢ଼ାଉଛି ନିଯୁକ୍ତି ପରୀକ୍ଷା ବିଭ୍ରାଟ, ପ୍ରଶ୍ନପତ୍ର ପ୍ରଘଟ, ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

Published By : Krishna Priya | October 2, 2024 1:59 PM

ଭୁବନେଶ୍ୱର ୦୨/୧୦: ଦିନକୁ ଦିନ ଚିନ୍ତା ବଢ଼ାଉଛି ନିଯୁକ୍ତି ପରୀକ୍ଷା ବିଭ୍ରାଟ । କେତେବେଳେ ପ୍ରଶ୍ନପତ୍ର ପ୍ରଘଟ ତ ଆଉ କେତେବେଳେ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା । ସେହିପରି ଚାକିରି ବିକ୍ରି ଏବଂ ବ୍ଲାକଲିଷ୍ଟ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ, ନିଯୁକ୍ତି ଆଶାୟୀମାନେ ବାରମ୍ବାର ମାଳମାଳ ଅଭିଯୋଗ ନେଇ ଆନ୍ଦୋଳନ କରୁଥିଲେ ମଧ୍ୟ ସୁଫଳ ମିଳୁନି । ନିଯୁକ୍ତିକାରୀ ସଂସ୍ଥା ବେପରୁଆ ହୋଇଗଲେଣି । କଲ୍ୟାଣ ମଣ୍ଡପ ଏବଂ ସାଇବର କାଫେ ଭଳି ସ୍ଥାନରେ ପରୀକ୍ଷା କରୁଛନ୍ତି । ପରୀକ୍ଷା ଧାର୍ଯ୍ୟ ସମୟର ବିଳମ୍ବରେ ଆରମ୍ଭ ହେଉଛି । ନିଯୁକ୍ତିକାରୀ ସଂସ୍ଥାର ସୁରକ୍ଷା କବଚରେ ବାରମ୍ବାର ଘଳିଆ ମେଲିବାରେ ଲାଗିଛି । ତେଣୁ ଢୋଲ ଭିତର ମୂଷା ନଧରିବା ଯାଏ ଏମିତି ବିଶୃଙ୍ଖଳା ରୋକିବା କଷ୍ଟକର ବୋଲି ଶିକ୍ଷାବିତ୍‌ମାନେ କହୁଛନ୍ତି ।  

ସୋମବାର ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ରାଜସ୍ୱ ନିରୀକ୍ଷକ(ଆର୍‌ଆଇ), ଆଇସିଡଏସ୍‌ ସୁପରଭାଇଜର, ଅମିନ ଓ ଏସ୍‌ଏଫ୍‌ଏସ୍‌ ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଥିଲା । ରାଜଧାନୀର ନୟାପଲ୍ଲୀରେ ଏକ ସେଣ୍ଟର କରାଯାଇଥିଲା, ଯେଉଁଠି ପରୀକ୍ଷା ଦେବା ପାଇଁ ଉପଯୁକ୍ତ ପରିବେଶ ନଥିଲା । ପରୀକ୍ଷାର୍ଥୀଙ୍କୁ ରୋଷେଇ ଘରେ ଯାଞ୍ଚ କରାଯାଇଥିଲା । ସେହି ବିଲ୍ଡିଂରେ କଲ୍ୟାଣ ମଣ୍ଡପ, ରେଷ୍ଟୁରାଣ୍ଟ, ହୋମିଓପାଥି କ୍ଲିନିକ୍‌ ଚାଲୁଛି । ଏପରିକି ଧାର୍ଯ୍ୟ ସମୟର ୧ ଘଣ୍ଟା ବିଳମ୍ବରେ ପରୀକ୍ଷା ହୋଇଥିଲା । ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପାଇଁ ପରୀକ୍ଷା ଏପରି ପରିବେଶରେ କରାଯାଉଛି । ଏହାକୁ ଦେଖି ପିଲାମାନେ ବିରୋଧ କରିଥିଲେ । ହେଲେ ଶୁଣିବ କିଏ?  

କେବଳ ଏତିକି ନୁହେଁ, ଯେଉଁ ବେସରକାରୀ ସଂସ୍ଥାକୁ ସାରା ଦେଶରେ କଳା ତାଲିକା ଭୁକ୍ତ କରାଯାଇଛି, ସେହି ସଂସ୍ଥାକୁ ଓଏସ୍‌ଏସ୍‌ଏସ୍‌ସି ଭଳି ନିଯୁକ୍ତିକାରୀ ସଂସ୍ଥାମାନେ ପରୀକ୍ଷା ଦାୟିତ୍ୱ ଦେଉଛନ୍ତି ।  ଜଣେ ପରୀକ୍ଷାର୍ଥୀଙ୍କ କହିବା କଥା, ଫରେଷ୍ଟର ପରୀକ୍ଷା ପାଇଁ ଦଲାଲ୍‌ ମାତିଛନ୍ତି । ପରୀକ୍ଷା ଅନୁଯାୟୀ ଟଙ୍କା ଆଦାୟ କରୁଛନ୍ତି । ସେହି ଅନୁସାରେ ନିଯୁକ୍ତି ମଧ୍ୟ ମିଳୁଛି । ଏପରିକି ଟଙ୍କା ଦେଲେ ପରୀକ୍ଷା ପୂର୍ବ ଦିନ ପ୍ରଶ୍ନପତ୍ର ମଧ୍ୟ ମିଳିଯାଉଛି ।  ସେହିପରି ଗତବର୍ଷ ଓଏସ୍‌ଏସ୍‌ସି ପରିଚାଳନା କରିଥିବା ଜେଇ ସିଭିଲ୍‌ ମେନ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା । ଏଥିରେ ଅଭିଯୁକ୍ତମାନେ ଗିରଫ ହୋଇଥିଲେ । ସେହିବର୍ଷ ପୁଣି ଏହି ସଂସ୍ଥା ପରିଚାଳିତ ଅର୍ବାନ ଲୋକାଲ ବଡିଜ୍‌ ଆକାଉଣ୍ଟାଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସାମ୍ନାକୁ ଆସିଥିଲା । ଏମିତି ବାରମ୍ବାର ହେଉଛି । ହେଲେ ନିଯୁକ୍ତିକାରୀ ସଂସ୍ଥାମାନେ ସଚେତନ ହେଉନାହାନ୍ତି । ଏପଟେ ଦିନରାତି ପରିଶ୍ରମ କରି ପଢ଼ୁଥିବା ପିଲାମାନେ ହତାଶ ହେଉଛନ୍ତି । ତେଣିକି ଟଙ୍କା ଦେଇ ପିଲାମାନେ ନିଯୁକ୍ତି ପାଉଛନ୍ତି ବୋଲି ନିଯୁକ୍ତି ଆଶାୟୀ ସୁନୀଲ କୁମାର ସାହୁ କହିଛନ୍ତି । 

ଅନ୍ୟପଟେ ଏହି ଘଟଣାରେ ଗଣମାଧ୍ୟମକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବ୍ଲାକ୍‌ଲିଷ୍ଟ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେବା କଥା ନୁହେଁ । ପୂର୍ବ ସରକାର ସମୟରୁ ଏପରି ହେଉଥିବା ଆମେ ଦେଖୁଛୁ । ଏହାର ତର୍ଜମା କରାଯିବ । ପିଲାଙ୍କ ଭବିଷ୍ୟତ ସହ ଖେଳିବୁ ନାହିଁ । ପରୀକ୍ଷାର୍ଥୀ ଆଶ୍ୱସ୍ତ ରୁହନ୍ତୁ ଠିକ୍‌ ନିଷ୍ପତ୍ତି ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.