ନୂଆଦିଲ୍ଲୀ,୧୫/୧୨: ଆଜି ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ତୃତୀୟ ସଂସ୍କରଣ ପାଇଁ ଖେଳାଳି ନିଲାମ କରାଯିବ । ବେଙ୍ଗାଲୁରୁ ସହରରେ ହେବ ନିଲାମ କାର୍ଯ୍ୟକ୍ରମ । ମୋଟ୍ ୧୨୦ ଜଣ ଖେଳାଳି ନିଲାମ ଡାକରେ ସାମିଲ ହେବେ । ଏଥିରେ ୯୧ଜଣ ଭାରତୀୟ ଓ ୨୯ଜଣ ବିଦେଶୀ ଖେଳାଳି ରହିଛନ୍ତି । ଭାରତୀୟ ସମୟ ଅପରାହ୍ଣ ୩ଟାରେ ନିଲାମ କାର୍ଯ୍ୟ ଆରମ୍ଭ ହେବ । ଟେଲିଭିଜନରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ ।
୫ଟି ଯାକ ଫ୍ରାଞ୍ଚାଇଜଙ୍କ ନିକଟରେ ୧୯ଟି ସ୍ଥାନ ଖାଲି ପଡ଼ିଛି । ଏଥି ମଧ୍ୟରେ ବିଦେଶୀ ଖେଳାଳିଙ୍କ ପାଇଁ ୫ଟି ସ୍ଥାନ ଖାଲି ରହିଛି । ୧୨୦ଜଣିଆ ଖେଳାଳି ତାଲିକାରେ ୮୨ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନଥିବା ଭାରତୀୟ ଓ ୮ଜଣ ବିଦେଶୀ ଖେଳାଳି ରହିଛନ୍ତି । କିଛି ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ । ଏହି ତାଲିକାରେ ଆଗରେ ରହିଛନ୍ତି ୱେଷ୍ଟ ଇଣ୍ଡିଜର ଦୁର୍ଦ୍ଧର୍ଷ ଅଲ୍ରାଉଣ୍ଡର ଡିଆଣ୍ଡ୍ରା ଡଟିନ, ଲାଉରେନ ବେଲ୍, ରାଘବୀ ବିଷ୍ଟ, ତନିଶା ସିଂହ, ଜି କମଳିନୀ, ପ୍ରତିକା ରାୱଲ୍ ।
ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଡଟିନ୍ ପ୍ରଥମ ସଂସ୍କରଣ ଖେଳିପାରି ନଥିଲେ । ଦ୍ୱିତୀୟ ସଂସ୍କରଣରେ ତାଙ୍କୁ କେହି କିଣିନଥିଲେ । ମାତ୍ର ଏଥର ସେ ନିଲାମର ମୁଖ୍ୟ ଆକର୍ଷଣ ସାଜିବେ ବୋଲି ଅନୁମାନ କରାଯାଉଛି । ଚମତ୍କାର ଫର୍ମରେ ରହିଥିବା ଡଟିନ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ୧୬୨.୧୬ ଷ୍ଟ୍ରାଇକ ରେଟ୍ରେ ୧୨୦ ରନ୍ ସଂଗ୍ରହ କରିଥିଲେ । ଗତ ମହିଳା ବିଗ୍ ବାସ ଲିଗ୍ରେ ମଧ୍ୟ ସେ ୧୧ଟି ମ୍ୟାଚ୍ରୁ ୧୫୧.୦୨ ଷ୍ଟ୍ରାଇକ ରେଟ୍ରେ ୧୪୮ ରନ୍ ସଂଗ୍ରହ କରିବା ଫଳରେ ମେଲବର୍ଣ୍ଣ ରେନେଗେଡ୍ସ ଚାମ୍ପିଅନ୍ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସେ ୧୦ଟି ୱିକେଟ୍ ମଧ୍ୟ ନେଇଥିଲେ । ସେହିପରି ପେସ୍ ବୋଲର ବେଲଙ୍କୁ ୟୁପି ୱାରିୟର୍ସ ଏଥର ବାଦ ଦେଇଥିଲା । କିନ୍ତୁ ତାଙ୍କୁ କିଣିବା ପାଇଁ ବହୁ ଫ୍ରାଞ୍ଚାଇଜ୍ ଆଶାବାଦୀ ରହିଛନ୍ତି ।
ଭାରତୀୟ ଖେଳାଳି ରାଘବୀ ଗତ ଅଷ୍ଟ୍ରେଲିଆ ବିପକ୍ଷ ଏ’ ସିରିଜରେ ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦିଲ୍ଲୀ ପକ୍ଷରୁ ଖେଳୁଥିବା ତନିଶା ଗତ ସିନିୟର ଟି-ଟ୍ୱେଣ୍ଟିରେ ଆସାମ ବିପକ୍ଷ ମ୍ୟାଚ୍ରେ ୫୦ଟି ବଲ୍ରୁ ୯୪ରନର ପାଳି ଖେଳି ଚର୍ଚ୍ଚାକୁ ଆସିଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସେ ୩୫୯ ରନ୍ ସଂଗ୍ରହ କରିଥିଲେ ।
ଦିଲ୍ଲୀରୁ ଖେଳୁଥିବା ପ୍ରତିକା ଗତ ସିନିୟର ଦିନିକିଆ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ରେ ୧୬୧ ରନ୍ର ମାରାଥନ ଇନିଂସ ଖେଳି ନଜରକୁ ଆସିଥିଲେ । ସେହିପରି କମଳିନୀଙ୍କ ଉନ୍ନତ ପ୍ରଦର୍ଶନ ବଳରେ ତାମିଲନାଡୁ ୧୯ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସେ ୮ଟି ମ୍ୟାଚ୍ରୁ ୩୧୧ ରନ୍ କରିଥିଲେ ।