ନୂଆଦିଲ୍ଲୀ,୨୭/୧୧:ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନାଡା  ୪ ବର୍ଷ ବାସନ୍ଦ କରିଛି । ଗତ ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଟ୍ରାଏଲ୍‌ରେ ଡୋପ୍‌ ନମୂନା ଦେବାକୁ ସେ ମନା କରିଥିଲେ । ତେଣୁ ଏପ୍ରିଲ ୨୩ ତାରିଖରେ ନାଡା ତାଙ୍କୁ ସସ୍‌ପେଣ୍ଡ୍‌ କରିଥିଲା । ବଜରଙ୍ଗ୍‌ ଏହା ବିରୋଧରେ ଏଡିଡିପି  ନିକଟରେ ଆବେଦନ କରିଥିଲେ । ମେ’ ୩୧ ତାରିଖରେ ଏଡିଡିପି ସସ୍‌ପେଣ୍ଡ୍‌କୁ ପ୍ରତ୍ୟାହୃତ କରିଥିଲେ । 

କିନ୍ତୁ ପରେ ନାଡା ଜୁନ ୨୩ ତାରିଖରେ ପୁଣି ଥରେ ବଜରଙ୍ଗଙ୍କୁ ନୋଟିସ ଜାରି କରିଥିଲା । ଏହାପରେ ସେ ଲିଖିତ ଭାବେ ନୋଟିସର ଜବାବ ରଖିଥିଲେ । ସେପ୍ଟେମ୍ବର ଓ ଅକ୍ଟୋବରରେ ମାମଲାର ଶୁଣାଣି ହୋଇଥିଲା । ଶେଷରେ ବଜରଙ୍ଗ୍‌ ଧାରା ୧୦.୩.୧ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେଣୁ ତାଙ୍କୁ ନାଡା ୪ ବର୍ଷ ବାସନ୍ଦ କରିଛି । ବାସନ୍ଦ ହେବା ସହ ବଜରଙ୍ଗଙ୍କର ପୁଣି କୁସ୍ତିକୁ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ଅସମ୍ଭବ । ସେ କଂଗ୍ରେସରେ ଯୋଗ ଦେଇ ଗତ ହରିଆନା ନିର୍ବାଚନରେ ଅଲିମ୍ପିଆନ ଭିନେଶ ଫୋଗଟଙ୍କୁ ସହାୟତା କରିଥିଲେ ।