ସେଞ୍ଚୁରିୟନ : ଦକ୍ଷିଣ ଆଫ୍ରିକା ଆକର୍ଷଣୀୟ ପ୍ରଦର୍ଶନ କରି ୱାର୍ଲ୍ଡ ଟେଷ୍ଟ ଚମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ୨୦୨୩-୨୫ର ଫାଇନାଲରେ ସ୍ଥାନ ବଜାୟ ରଖିଛି। ଟେମ୍ୱା ବାଭୁମାଙ୍କର ତତ୍ତ୍ୱାବଧାନରେ ଦକ୍ଷିଣ ଆଫ୍ରିକା ସେଞ୍ଚୁରିୟାନ ଟେଷ୍ଟରେ ପାକିସ୍ତାନକୁ ୨ଟି ୱିକେଟ୍‌ରୁ ହରାଇ ଏହି ଉପଲବ୍ଧି ହାସଲ କରିଛି। ମୁକାବିଲାରେ ଆଫ୍ରକା ଟିମ୍‌କୁ ବିଜୟ ପାଇଁ ୧୪୮ରନ୍‌ର ଟାର୍ଗେଟ୍‌ ମିଳିଥିଲା, ଯେଉଁଥିରେ ସେ ଖେଳର ୪ର୍ଥ ଦିନ ( ୨୯ ଡିସେମ୍ୱର)ର ଦ୍ୱିତୀୟ ପର୍ଯ୍ୟାୟରେ ହାସଲ କରି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଡବ୍ଲ୍ୟୁଟିସି ଫାଇନାଲରେ ପହଞ୍ଚିଛି। 

ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ଗୋଟେ ସମୟରେ ୯୯ରନ୍‌ରେ ହିଁ ୮ଟି ୱିକେଟ୍‌ ହରାଇ ଦେଇଥିଲା। ଏଠାରୁ ମାର୍କୋ ଜାନସେନ ଓ କଗିସୋ ରବାଡା ୫୧ ରନ୍‌ର ଅପରାଜେୟ ପାର୍ଟନରସିପ୍‌ କରି ଦକ୍ଷିଣ ଆଫ୍ରିକାକୁ ବିଜୟର ଶିଖର ଯାଏ ପହଞ୍ଚାଇ ଦେଇ ଥିଲେ। ରବାଡା ୩୧ ଓ ଜାନସେନ ୧୬ରନ୍‌ରେ ନଟଆଉଟ୍‌ ରହିଥିଲେ। ଦ୍ରୁତ ବୋଲର ମହମ୍ମଦ ଅବାସ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ୍‌ ନେଇ ପାକିସ୍ତାନକୁ ବିଜୟ ଦେବାକୁ ଚେଷ୍ଟା କରିଥିଲେ , କିନ୍ତୁ ଜାନସେନ-ରବାଡା ତାଙ୍କର ପରିଶ୍ରମକୁ ନିଷ୍ଫଳ କରିଦେଇ ଥିଲେ। ଏବେ ଦୁଇ ଟିମ୍‌ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ଶେଷ ମୁକାବିଲା ୩ ଜାନୁୟାରୀରୁ କେପଟାଉନରେ ଖେଳାଯିବ। 


ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନସିପ୍‌ ୨୦୨୩-୨୫ରେ ଫାଇନାଲରେ ଦକ୍ଷିଣ ଆଫ୍ରିକାର ତ ଏଣ୍ଟ୍ରି ହୋଇ ଯାଇଛି, ହେଲେ ଦ୍ୱିତୀୟ ଟିମ୍‌ର ଅପେକ୍ଷା ଜାରି ରହିଛି। ଏବେ ଗୋଟିଏ ସ୍ପଟ୍‌ ପାଇଁ ୩ଟି ଟିମ୍‌ ଦୌଡ଼ରେ ରହିଛନ୍ତି। ଏଥିରେ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ସାମିଲ ଅଛି। ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ , ପାକିସ୍ତାନ , ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ଫାଇନାଲର ଦୌଡ଼ ପୂର୍ବରୁ ଆଉଟ୍‌ ହୋଇ ସାରିଛନ୍ତି। ଡବ୍ଲ୍ୟୁଟିସିର କରେଣ୍ଟ ସାଇକଲର ଫାଇନାଲ ଆସନ୍ତା ବର୍ଷ ୧୧-୧୫ ଜୁନ ଯାଏ କ୍ରିକେଟ୍‌ର ମକ୍କା ଲର୍ଡସରେ ଖେଳାଯିବ।