ମେଲବର୍ଣ୍ଣ,୨୮/୧୧: ଭାରତର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ ଦିନେ ବିଶ୍ୱର  ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେବେ ।  କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ଭଙ୍ଗ କରିବେ । ମୁଖ୍ୟତଃ ଟେଷ୍ଟ କ୍ରିକେଟ୍‌ରେ ସେ  ଅତି କମ୍‌ରେ ୪୦ଟି ଶତକ ଅର୍ଜନ କରିବେ । ଏଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ । ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର  ପ୍ରଥମ ଟେଷ୍ଟରେ ଜୈସ୍ୱାଲଙ୍କ ଶତକ ତାଙ୍କୁ ପ୍ରଭାବିତ କରିଥିବା ମ୍ୟାକ୍ସୱେଲ୍‌ ପ୍ରକାଶ  କରିଛନ୍ତି । 

ସେ କହିଛନ୍ତି, ଜୈସ୍ୱାଲଙ୍କ  ୧୬୧ ରନ୍‌ର ମାରାଥନ ଇନିଂସ ବେଶ୍‌  ଚମକପ୍ରଦ ରହିଥିଲା । ପ୍ରଥମ ଇନିଂସରେ  ଖାତା ଖୋଲିପାରି ନଥିଲେ। ମାତ୍ର ଦ୍ୱିତୀୟ  ଇନିଂସରେ ଦୃଢ଼ତାର ସହ ଅଷ୍ଟ୍ରେଲିଆ  ବୋଲରଙ୍କୁ ସାମ୍ନା କରିଥିଲେ । ୧୫ଟି  ଟେଷ୍ଟ ମଧ୍ୟରେ ସେ ୪ଟି ଶତକ ଅର୍ଜନ କରିସାରିଛନ୍ତି । ଏଥିରେ ୨ଟି ଦ୍ୱିଶତକ ମଧ୍ୟ  ରହିଛି । ୫୮.୦୭ ହାରରେ ସେ ୧୫୬୮  ରନ୍‌ ସଂଗ୍ରହ କରିସାରିଛନ୍ତି । ଏଭଳି  ବ୍ୟାଟିଂ ଜାରି ରଖିଲେ ସେ ସବୁ ବ୍ୟାଟିଂ ରେକର୍ଡ ଭାଙ୍ଗିଦେବେ । ଆଗକୁ ତାଙ୍କର  ଲମ୍ବା କ୍ୟାରିୟର ପଡ଼ିଛି । ଅତି କମରେ  ସେ ୪୦ଟି ଟେଷ୍ଟ ଶତକ ଅର୍ଜନ କରିବେ  ବୋଲି ମ୍ୟାକ୍ସୱେଲ୍‌ କହିଛନ୍ତି ।