ନୂଆଦିଲ୍ଲୀ,୦୩/୦୨; ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍ । ୪୨ଥର ଚାମ୍ପିଅନ୍ ମୁମ୍ବାଇ ଏଥର କର୍ଣ୍ଣାଟକକୁ ସାମ୍ନା କରିବ । କ୍ୱାର୍ଟର ଫାଇନାଲ୍ ମୁକାବିଲା ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ମୁମ୍ବାଇର ଚୟନକର୍ତ୍ତାମାନେ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କର ଦୁଇ ଷ୍ଟାର ଖେଳାଳିଙ୍କ ନାମ ଦେଇଛନ୍ତି । ଭାରତୀୟ ଦଳର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍ ଏହି ମ୍ୟାଚ ଖେଳିବେ । କର୍ଣ୍ଣାଟକ ବିପକ୍ଷ ମ୍ୟାଚ୍ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ୧୬ ଜଣିଆ ଦଳରେ ସ୍ଥାନ ଦିଆଯାଇଛି ।
ଜୈସ୍ୱାଲ୍ ମୁମ୍ବାଇର ଶେଷ ଦୁଇଟି ଏଲିଟ୍ ଗ୍ରୁପ୍ ଲିଗ୍ ମ୍ୟାଚ ଖେଳିପାରି ନଥିଲେ । ସେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଦଳରେ ସ୍ଥାନ ପାଇ ନଥିବାରୁ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତି ଚଳାଇଛନ୍ତି । ମୁମ୍ବାଇ ଅଧିନାୟକ ସୁର୍ଦଲ ଠାକୁର ମଧ୍ୟ ଫିଟ୍ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୁମ୍ବାଇର ଷ୍ଟାର ବ୍ୟାଟର ଅଜିଙ୍କ୍ୟ ରାହାଣେ ଦଳରେ ସ୍ଥାନ ପାଇ ନାହାନ୍ତି । ସେ ଲମ୍ବା ଫର୍ମାଟ୍ କ୍ରିକେଟରୁ ସାମୟିକ ବିରତି ନେଇଥିବା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ସେହିପରି ଶ୍ରେୟାସ ଆୟର ମଧ୍ୟ ଲମ୍ବା ଫର୍ମାଟ୍ କ୍ରିକେଟ୍ରୁ ବିରତି ନେଇଛନ୍ତି ।
ଜୈସ୍ୱାଲ୍ ଚଳିତ ରଣଜୀ ଟ୍ରଫି ସିଜିନରେ କେବଳ ଗୋଟିଏ ମ୍ୟାଚ୍ ଖେଳିଛ ନ୍ତି। ସେ ସେହି ମ୍ୟାଚ୍ରେ ୨୨୩ ରନ୍ କରିଥିଲେ । ସେ ପ୍ରଥମ ଇନିଂସରେ ଗୋଟିଏ ଶତକ ଏବଂ ଦ୍ୱିତୀୟ ଇନିଂସରେ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ଏବେ ନକଆଉଟ୍ ମ୍ୟାଚ୍ ଗୁଡ଼ିକରେ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି ।
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ ଓ୍ୱାର୍ମ ଅପ୍; ତିଳକ ବର୍ମାଙ୍କ କମବ୍ୟାକ, ୟୁଏସ୍ଏକୁ ୩୮ରନ୍ରେ ହରାଇଲା ଭାରତ
ଦଳ: ସାର୍ଦୁଲ ଠାକୁର(ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍, ମୁସିର ଖାନ, ଅଖିଲ ହେରୱାଦକର, ସିଦେ୍ଧଶ ଲାଡ, ସର୍ଫରାଜ ଖାନ, ଆକାଶ ଆନନ୍ଦ, ହାର୍ଦ୍ଦିକ ତାମୋରେ, ସାଇରାଜ ପାଟିଲ, ସାମ୍ସ ମୁଲାନି, ତନୁଶ କୋଟିଆନ, ତୁଷାର ଦେଶପାଣ୍ଡେ, ମୋହିତ ଅୱସ୍ତି, ଓମକାର ତର୍ମାଲେ, ଦିବ୍ୟେଶ ସାକସେନା, ସୂର୍ୟାଂଶ ସେଡଗେ ।