ଭୁବନେଶ୍ବର,୭/୧୨ : ଯାତ୍ରା ଜଗତର ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ବର୍ତ୍ତମାନ ଭଦ୍ରକ ମେଡ଼ିକାଲରେ ଥିବା ସୂଚନା ରହିଛି । ଚଳିତ ବର୍ଷ ଯାତ୍ରା ଇନ୍ଦ୍ରଭୂବନରେ ନିଜ ଅଭିନୟର ଯାତ୍ରା ଜାରି ରଖିଥିଲେ ।
ସୂଚନା ଅନୁସାରେ, ଥିଏଟରରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଗୁରୁ । ଇଂ ଆଶୁତୋଷ ମହାପାତ୍ରଙ୍କ ‘ବଡ଼ ଦାଣ୍ଡର ଭିକାରୀ’ ନାଟକ ତାଙ୍କୁ ଯାତ୍ରା ଦୁନିଆରେ ବେଶ୍ ପରିଚୟ ଦେଇଥିଲା । ସେଥିରେ ଏକ ଚର୍ଚ୍ଚିତ ଡାଇଲଗ୍ ଥିଲା ‘ପଇଡ଼ କିଏ କହିଲା…’ । କଟକରେ ତାଙ୍କ ନିଜ ଘର ହୋଇଥିବାବେଳେ ସେ ସିନେମା କିମ୍ବା ସିରିଏଲରେ ଅଭିନୟ ନ କରି ଯାତ୍ରା ମଞ୍ଚକୁ ଆଦରି ନେଇଥିଲେ । ୨୦୧୯ରେ ଯାତ୍ରାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ପରେ ସେ କେବେ ପଛକୁ ଚାହିଁନାହାନ୍ତି ।
ତାଙ୍କର କମେଡ଼ି ଟାଇମିଂ ଯାତ୍ରା ପ୍ରେମୀଙ୍କୁ ବହୁ ପସନ୍ଦ ଆସିଥାଏ । ସେ ଯାତ୍ରା ମଞ୍ଚରେ ଯେମିତି ଥିଲେ ବାହାରେ ବି ସେମିତି ଥିଲେ । ଯାତ୍ରା ଜଗତ ପାଇଁ ଏହା ଏକ ଦୁଃଖଦ ଘଟଣା ।