ନୂଆଦିଲ୍ଲୀ,୦୮/୧୧: ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲାଣି । ଏହାଯୋଗୁ ମରୁଭୂମିରେ ତୁଷାରପାତ, ଅଦିନିଆ ବୃଷ୍ଟିପାତ, ଅଚାନକ ବନ୍ୟା ଓ ମରୁଡ଼ି ଭଳି ଘଟଣା ଘଟୁଛି । ଏହି କ୍ରମରେ  ୨୦୨୪ ଏ ପର୍ଯ୍ୟନ୍ତ ସବୁଠୁ ଉତ୍ତପ୍ତ ବର୍ଷ ହେବାକୁ ଯାଉଛି ।  ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରା ୨୦୨୩ ତୁଳନାରେ  ବି ଅଧିକ ହେବ । ଗୁରୁବାର ବିଶ୍ୱ ପାଣିପାଗ ସଙ୍ଗଠନ  (ଡବ୍ଲ୍ୟୁଏମ୍‌ଓ) ଏହି ପୂର୍ବାନୁମାନ କରିଛି । 

ରିପୋର୍ଟ ମୁତାବକ,  ପ୍ୟାରିସ ଜଳବାୟୁ ଚୁକ୍ତିରେ ହାରାହାରି ତାପମାତ୍ରାକୁ ଯେଉଁ  ମାନଦଣ୍ଡ (୧.୫ ଡିଗ୍ରୀ ସେଲସିୟସ୍‌) ରଖାଯାଇଥିଲା, ବର୍ଷ  ୨୦୨୪ ତାହାକୁ ଅତିକ୍ରମ କରିଯିବ । ବର୍ତ୍ତମାନ ପର୍ଯ୍ୟନ୍ତ  ରେକର୍ଡରେ ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ସାଜିଥିଲା ।  ଏହି ସମୟରେ ହାରାହାରି ବିଶ୍ୱ ତାପମାତ୍ରା ୧.୪୫ ଡିଗ୍ରୀ  ସେଲସିୟସ ରହିଥିଲା । 

ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର  ପର୍ଯ୍ୟନ୍ତ ହୋଇଥିବା ବିଶ୍ଳେଷଣକୁ ଆଧାର କରି ଡବ୍ଲ୍ୟୁଏମ୍‌ଓ  ଏହି ଅନୁମାନ ଲଗାଇଛି । ଏଥିରେ ୬ଟି ଅନ୍ତର୍ଜାତୀୟ  ତଥ୍ୟକୁ ଅବଲୋକନ କରାଯାଇଥିଲା । ସଂସ୍ଥା ଏହି ଆକଳନ  କରିବା ପରେ ଏ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ  ଗୁଟେରସଙ୍କୁ ଅବଗତ କରାଇଛି । ଆଗକୁ ଆଜରବୈଜାନର  ବାକୁଠାରେ ହେବାକୁ ଥିବା ଜାତିସଂଘର ଜଳବାୟୁ ପରିବର୍ତ୍ତନ  ସମ୍ମିଳନୀ (ସିଓପି୨୯) ପୂର୍ବରୁ ଡବ୍ଲ୍ୟୁଏମ୍‌ଓର ଏହି ଆକଳନ  ବେଶ୍‌ ଗୁରୁତ୍ୱ ବହନ କରୁଛି । 

ଚଳିତମାସ ୧୧ରୁ ୨୨ ତାରିଖ  ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ବିଶ୍ୱ ତାପନ  ପ୍ରମୁଖ ପ୍ରସଙ୍ଗ ପାଲଟିବା ନେଇ ଆଶା କରାଯାଉଛି । ସେପଟେ  ୟୁରୋପୀୟ ଜଳବାୟୁ ପରିବର୍ତ୍ତନ ଏଜେନ୍ସି କୋପରନିକସ୍‌  ମଧ୍ୟ ସମାନ ପୂର୍ବାନୁମାନ କରିଛି । ଏହା ମୁତାବକ, ପ୍ରଥମ ଥର  ପାଇଁ ହାରାହାରି ତାପମାତ୍ରା ପ୍ରାକ୍‌ ଶିଳ୍ପାୟନ ସ୍ତର ୧.୫ ଡିଗ୍ରୀ  ସେଲ୍‌ସିୟସଠାରୁ ଅଧିକ ହୋଇଯିବ । ଏଜେନ୍ସି ମୁତାବକ,  ୨୦୨୩ ପରେ ୨୦୨୪ ଅକ୍ଟୋବର ବୈଶ୍ୱିକ ସ୍ତରରେ ଦ୍ୱିତୀୟ  ସର୍ବାଧିକ ଉତ୍ତପ୍ତ ମାସ ହୋଇଛି।