ଭୁବନେଶ୍ୱର ୦୪/୦୪: ଧୂଳି-ମଳିରୁ ଆଲର୍ଜି ହେବା ଖୁବ୍‌ ସାଧାରଣ ସମସ୍ୟା । ଆଜିକାଲି ପ୍ରାୟ ଲୋକଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳୁଛି । ଆପଣ ଚାହିଁଲେ ଏଥିରୁ ଆରାମ ପାଇବା ପାଇଁ କେତେକ ଯୋଗାସନର ସାହାଯ୍ୟ ନେଇପାରିବେ । ଆଜିକାଲି ପ୍ରାୟ ଲୋକଠାରେ ଧୂଳିମଳି ଆଲର୍ଜି ସମସ୍ୟା ବଢୁଛି । ଫଳରେ ସେମାନଙ୍କୁ କାଶ, ଛିଙ୍କ ଓ ଥଣ୍ଡା ହେଉଛି । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ଘର ଭିତରକୁ ସଫା ରଖନ୍ତୁ । ଏହାବ୍ୟତୀତ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାକୁ ପ୍ରୟାସ କରନ୍ତୁ । ଫଳରେ ଆଲର୍ଜିର ଆଶଙ୍କା କମ୍‌ ରହିବ । ସେହିପରି ଆଲର୍ଜିରୁ ଦୂରେଇବା ପାଇଁ ଡାଏଟ୍‌ ଓ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆଣିବା ଜରୁରି । ଏସବୁ ପରେ ଏହି ଆଲର୍ଜିରୁ ଦୂରେଇବା ପାଇଁ କେତେକ ଯୋଗ ମଧ୍ୟ କରିପାରିବେ । ଧୂଳି-ମଳିଜନିତ ଆଲର୍ଜି ପାଇଁ ଖାସ୍‌ ଯୋଗଗୁଡିକ ହେଉଛି । 

ଅନୁଲୋମ-ବିଲୋମ :

ଅନୁଲୋମ-ବିଲୋମ ଦ୍ୱାରା ଆପଣ ଅନେକ ଆଲର୍ଜିକୁ ଦୂର କରିପାରିବେ । ଏହାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ବଢିଥାଏ । ଏହି ଯୋଗ କରିବା ଦ୍ୱାରା ଶରୀରରେ ଅମ୍ଲଜାନ୍‌ର ସ୍ତର ବଢିବା ସହ ରୋଗ ହେବାର ଆଶଙ୍କା କମ୍‌ ରହିଥାଏ । ଏହି ଯୋଗ ଫୁସ୍‌ଫୁସ୍‌କୁ ମଜଭୁତ କରିବା ସହ ଆଲର୍ଜି ସମସ୍ୟାକୁ କିଛି ମାତ୍ରାରେ ଦୂର କରିଥାଏ । ନିୟମିତ ୩୦ ମିନିଟ୍‌ ଯୋଗ ଅଭ୍ୟାସ କରିବା ଉଚିତ୍‌ । ଫଳରେ ଗଳାରେ ଜ୍ୱଳନ, କାଶ ଓ ନାକ ବନ୍ଦ ସମସ୍ୟାରୁ ମୁକ୍ତି ମିଳିଥାଏ । 

କପାଳଭାତି :

ଏହା ଏମିତି ଏକ ପ୍ରାଣାୟାମ, ଯାହା ଶରୀରକୁ ଭିତରୁ ମଜଭୁତ କରିବା ସହ ସକ୍ରିୟତା ବଜାୟ ରଖେ । ଏହାବ୍ୟତୀତ ନିୟମିତ କପାଳଭାତି କରିବା ଦ୍ୱାରା ଶରୀରରେ ଅମ୍ଲଜାନ ସ୍ତର ବଢିବା ସହ ରକ୍ତ ଶୁଦ୍ଧ ହୋଇଥାଏ । ଫଳରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ କୌଣସି ସଂକ୍ରମଣ ବା ଆଲର୍ଜି ହେବାର ଆଶଙ୍କା କମ୍‌ ହୋଇଥାଏ । ଯଦି ଆପଣଙ୍କୁ ଧୂଳି-ମଳି ଆଲର୍ଜି ସମସ୍ୟା ରହିଥାଏ, ତେବେ ନିୟମିତ ୨୦ରୁ ୩୦ ମିନିଟ୍‌ କପାଳଭାତି ପ୍ରାଣାୟାମ କରିବା ଉଚିତ୍‌ । 

ହଳାସନ ଯୋଗ :

ଫୁସ୍‌ଫୁସ୍‌କୁ ମଜଭୁତ କରିବା ପାଇଁ ନିୟମିତ ହଳାସନ ଅଭ୍ୟାସ କରିପାରିବେ । ଧୂଳି-ମଳି ଆଲର୍ଜି ହେବା ଦ୍ୱାରା ପ୍ରଥମେ ନିଶ୍ୱାସ ନେବାରେ ସମସ୍ୟା ଆସିଥାଏ । ପରେ ଛିଙ୍କ ଆରମ୍ଭ ହୋଇଥାଏ । କିନ୍ତୁ ଆପଣ ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ଦ୍ୱାରା ବିଭିନ୍ନ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଆପେ ଆପେ ଦୂର ହୋଇଥାଏ । ଏହାକୁ ନିୟମିତ ୨୦ରୁ ୩୦ମିନିଟ୍‌ କରିପାରିବେ । 

ମତ୍ସାସନ :

ଆଲର୍ଜି ଦୂର କରିବା ପାଇଁ ନିୟମିତ ମତ୍ସାସନ ମଧ୍ୟ ଅଭ୍ୟାସ କରିପାରିବେ । ଫଳରେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରିବ । ଏହା ମାଂସପେଶୀକୁ ମଜଭୁତ କରିବା ସହ ରକ୍ତ ଚାଳନକୁ ତୀବ୍ର କରିଥାଏ । ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ସହ ଆଲର୍ଜି ଆଶଙ୍କାକୁ କମ୍‌ କରିଥାଏ ।