ନିସ୍ତେଜ ଓ ଫିକା ହୋଇପଡିଥିବା ତ୍ୱଚାର କାରଣ କେବଳ ବୟସ ବା କ୍ରୀମ୍‌ ନୁହେଁ, ବରଂ ଆପଣଙ୍କ ନିୟମିତ ଖାଦ୍ୟପାନୀୟ ଅଭ୍ୟାସ ମଧ୍ୟ ଅନେକ ମାତ୍ରାରେ ଦାୟୀ । ପାଣିର ଅଭାବ, ଅଧିକ ମିଠା ଓ ପୋଷଣର ଅଭାବ ଅନ୍ୟତମ କାରଣ । ଅନେକ ଲୋକଙ୍କ ତ୍ୱଚାରେ ଥକ୍କାପଣ ଓ ନିସ୍ତେଜତା ଦେଖିବାକୁ ମିଳିଥାଏ । ଯାଞ୍ଚ କରିବା ପରେ ଜଣାପଡିଥାଏ ସାଧାରଣ ଖାଦ୍ୟପାନୀୟର ଅଭ୍ୟାସ ତ୍ୱଚାର ପ୍ରାକୃତିକ ଚମକକୁ ନଷ୍ଟ କରିଦେଇଥାଏ । ଡାଇବେଟୋଲୋଜିଷ୍ଟ ଡାକ୍ତର ଏମ୍‌.ଶୀତଲ୍‌ କୁମାରଙ୍କ ମତରେ... 

କମ୍‌ ପାଣି ପିଇବା: ଶରୀରରେ ପାଣିର ଅଭାବ ହେଲେ ତ୍ୱଚା ଖାଉଁଳି ପଡିଥାଏ । ଅଧିକ ଚା’, କଫି ବା ମିଠା ପାନୀୟ ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଅଭାବ ଦେଖିବାକୁ ମିଳିଥାଏ । ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିଥାଏ । ଫଳରେ ତ୍ୱଚାର କୋଷିକାଗୁଡିକ ପୂର୍ଣ୍ଣ ହୋଇଥାଏ । ନିୟମିତ ୩/୪ ଲିଟର ପାଣି ପିଇବା ଜରୁରି । ପାଣିରେ ଲେମ୍ବୁ ଓ କାକୁଡି ମିଶାଇପାରିବେ । ଏହି ପାଣି ଶରୀରକୁ କ୍ଷତି ପହଞ୍ଚାଉଥିବା ତ୍ୱଚାର କୋଷିକା ସହ ଲଢିବାରେ ସହଯୋଗ କରିବ । 

 ଅଧିକ ମିଠା ଖାଇବା​​​​​​​: ଅଧିକ ମିଠା ଖାଇବା ଦ୍ୱାରା ତ୍ୱଚାକୁ କ୍ଷତି ପହଞ୍ଚିଥାଏ । ଫଳରେ ତ୍ୱଚା ହଳଦିଆ ଓ ଢିଲା ଦେଖାଯାଏ । ମିଠା ପରିବର୍ତ୍ତେ ଫଳମୂଳ ଓ ପନିପରିବା ଖାଇଲେ ତ୍ୱଚା ମଜଭୁତ ଓ ସୁସ୍ଥ ରୁହେ । 

 ଓମେଗା-୩ ଫ୍ୟାଟି ଏସିଡ୍‌ର ଅଭାବ: ଯଦି ଆଖରୋଟ, ଅଳସୀ ବୀଜ ବା ମାଛ ପରି ଖାଦ୍ୟ ଖାଉ ନଥାନ୍ତି, ତେବେ ତ୍ୱଚାର ଉପରେ ଆସ୍ତରଣର ସୁରକ୍ଷା କ୍ରମଶଃ କମିଚାଲେ । ଫଳରେ ତ୍ୱଚା ରୁକ୍ଷ ଓ ଫିକା ଲାଗିଥାଏ । ଏପରିକି ଶରୀରରେ ପ୍ରଦାହ ବଢିଚାଲେ ।

 ଆଣ୍ଟିଅକ୍ସିଡାଣ୍ଟକୁ ଅଣଦେଖା: ଖରା ଓ ପ୍ରଦୂଷଣରୁ ହେଉଥିବା କଣିକା ସହ ଲଢିବା ପାଇଁ ସବୁଜ ଓ ରଙ୍ଗିନ୍‌ ପନିପରିବା ଖାଇବା ଜରୁରି । ପାଳଙ୍ଗ, ଗାଜର ଓ ଟମାଟୋ ପରି ପରିବା ନ ଖାଇବା ଦ୍ୱାରା ତ୍ୱଚାର ରଙ୍ଗ ପାଉଁଶିଆ ଓ ନିସ୍ତେଜ ଦେଖା ଯାଇଥାଏ । ତେଣୁ ନିୟମିତ ଭୋଜନରେ ଏସବୁ ସାମିଲ୍‌ କରିବା ଆବଶ୍ୟକ। 

 ଅଧିକ ଡାଏଟିଂ: ବାରମ୍ବାର ଉପବାସ କରିବା କିମ୍ବା ଅତ୍ୟଧିକ ଡାଏଟିଂ କରିବା ଦ୍ୱାରା ଶରୀରର ପୋଷଣ ସନ୍ତୁଳନ ବିଗିଡି ଯାଇଥାଏ । ଫଳରେ ଚିନ୍ତା ବଢାଉଥିବା ହର୍‌ମୋନ୍‌ ବଢିଯାଇଥାଏ । ଫଳରେ ତ୍ୱଚାକୁ କ୍ଷତି ପହଞ୍ଚିଥାଏ । ତେଣୁ ସନ୍ତୁଳିତ ଭୋଜନ ସାଙ୍ଗକୁ ଭଲ ତେଲ ଓ ଦହି ପରି ପାଚନ ସୁଧାରକ ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରିବା ଆବଶ୍ୟକ । ପାଚନତନ୍ତ୍ର ଠିକ୍‌ ରହିବା ଦ୍ୱାରା ତ୍ୱଚାରେ ଏହାର ଝଲକ୍‌ ଦେଖିବାକୁ ମିଳିଥାଏ । 

 ପ୍ରୋଟିନ୍‌ର ଅଭାବ: ପ୍ରୋଟିନ୍‌ର ଅଭାବ ଯୋଗୁ ତ୍ୱଚାର ମରାମତି ଠିକ୍‌ ଭାବେ ହୋଇପାରେନା । ଡାଲି, ଦୁଧ ଓ ଅଣ୍ଡାରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍‌ ରହିଥାଏ । ପର୍ଯ୍ୟାପ୍ତ ପ୍ରୋଟିନ୍‌ ନ ମିଳିବା ଦ୍ୱାରା ତ୍ୱଚାରେ ଡେଡ୍‌ ସ୍କିନ୍‌ ଆସ୍ତରଣ ପରି ଜମିଚାଲେ ।