ଭୁବନେଶ୍ୱର,୧୩/୧୧: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ  ଭୁବନେଶ୍ୱରୁ ଦୁର୍ଗାପୁର ଯାଏଁ ଚହଳ ପକାଇଛି । ୟା ଭିତରେ  ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି । ମଞ୍ଚେଶ୍ୱର ଚକେଇସିହାଣୀରୁ ପଟିଆ ଆଡ଼କୁ ଲମ୍ବିଥିବା କେନାଲ ରୋଡ୍‌ରେ ଘଟିଥିବା ଘଟଣାକୁ ନେଇ ମଞ୍ଚେଶ୍ୱର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ହେଲେ ଅଭିଯୁକ୍ତମାନଙ୍କ ଟେର ପାଇପାରିନାହିଁ ।  

ପୀଡ଼ିତା ଜଣକ ଶ୍ରୀରାମ ନଗରରେ ଭଡ଼ାସୂତ୍ରରେ ରହୁଛନ୍ତି । ସେ ଥାନାରେ ଦେଇଥିବା ଅଭିଯୋଗ ମୁତାବକ, ଶନିବାର ରାତି ପ୍ରାୟ ସାଢେ ୧୨ଟା ବେଳେ କିଛି ଯୁବକ ମଞ୍ଚେଶ୍ୱର କେନାଲରୋଡରେ ଥିବା ସାଇମନ୍ଦିର ନିକଟରେ ନୂଆ ପାଲ ପକାଇ ବସିଥିଲେ । ସେମାନେ ସମସ୍ତେ ନିଶାରେ  ଚୁର୍‌ ଥିଲେ । ଆଖପାଖରେ କିଛି ମଦ ବୋତଲ, ପ୍ଲାଷ୍ଟିକ୍‌ ଗ୍ଲାସ  ଓ ଚାଖଣା ପଡ଼ିଥିଲା । ପୀଡ଼ିତାଜଣକ ରେଳଷ୍ଟେସନ ପଟୁ ସେହି ରାସ୍ତାରେ ଚାଲିଚାଲି ଘରକୁ ଫେରୁଥିଲେ । ସେଠାରେ ବସିଥିବା ନିଶାସକ୍ତ ଯୁବକମାନେ  ତାଙ୍କୁ ପ୍ରଥମେ ଅଶ୍ଲୀଳ କମେଣ୍ଟ ମାରିଥିଲେ । ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯୁବତୀ ଜଣକ ଏହାକୁ ପ୍ରତିବାଦ କଲେ । ସେମାନଙ୍କ  କାରମାନା ସମ୍ପର୍କରେ ପୁଲିସ କରିବେ ବୋଲି  ଚେତାବନୀ ଦେଇଥିଲେ ।  

ଏତିକିରେ ନିଶାସକ୍ତ ଯୁବକମାନେ  ରାଗିଯାଇଥିଲେ । ସେମାନେ ଯୁବତୀଙ୍କୁ  ବଳପୂର୍ବକ ଏକ ନିଛାଟିଆ ଜାଗାକୁ ଟେକି  ନେଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଯୁବତୀ ଜଣକ ଚିତ୍କାର କରିବାରୁ ସାଇମନ୍ଦିର ପାଖରେ ବସିଥିବା ଅନ୍ୟ ଲୋକମାନେ ଉକ୍ତ ନିଛାଟିଆ ଜାଗାକୁ ଧାଇଁ  ଯାଇଥିଲେ । ଏହା ଦେଖି ନିଶାସକ୍ତ ଯୁବକମାନେ  ଯୁବତୀଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ । ନିଶାସକ୍ତ ଯୁବକମାନଙ୍କ କବଳରୁ ମୁକୁଳିବାକୁ ଚେଷ୍ଟା କରି ଯୁବତୀଜଣକ ଖଣ୍ଡିଆଖାବରା ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ ।  ପୁଲିସ ଖବରପାଇ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପୁଲିସ  ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ପୁଲିସ  ରବିବାର ସକାଳୁ ଘଟଣାସ୍ଥଳକୁ ଯାଇ ତନାଘନା  କରି ଫେରିଛି । ଯୁବତୀଜଣକ ଅଭିଯୁକ୍ତମାନଙ୍କୁ ଚିହ୍ନିନଥିବା ପୁଲିସକୁ କହିଛନ୍ତି । କିନ୍ତୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଚିହ୍ନିଥିବା ବେଳେ ପୁଲିସ ସାମ୍ନାରେ କେହି ପାଟି ଖୋଲୁନାହାନ୍ତି ।  ଏଭଳି ସମ୍ବେଦନଶୀଳ ଘଟଣାକୁ ୨୪ ଘଣ୍ଟା  ପୁରିଥିବା ସତ୍ତେ୍ୱ ପୁଲିସ କାହାରିକୁ ଗିରଫ  କରିପାରିନାହିଁ ।