କଣ୍ଟାବାଞ୍ଜି, ୨୬/୦୯: ଘରକୁ ସାପ ପଶିଥିଲେ ଖୋଜା ପଡୁଥିଲେ ସନ୍ତୋଷ । ଶହ ଶହ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ୁଥିଲେ । ହେଲେ ସାପ ଧରାଳିଙ୍କ ପାଇଁ କାଳ ହେଲା ବିପଦପୂର୍ଣ୍ଣ ଷ୍ଟଣ୍ଟ । ସାପ କାମୁଡ଼ାରେ ଚାଲିଗଲା ସାପ ଧରାଳୀଙ୍କ ଜୀବନ । ମୃତକ ହେଉଛନ୍ତି ସିନ୍ଧେକେଲାର ସନ୍ତୋଷ ଚାନ୍ଦ । ବଲାଙ୍ଗୀର ଜିଲ୍ଲା ବକାଗୁରା ଗାଁରେ ଏବଳି ଘଟଣା ଘଟିଛି ।
ସୂଚନା ମୁତାବୂକ, ବକାଗୁରା ଗାଁରେ ସାପ ପଶିଥିବା ନେଇ ଖବର ପାଇବା ପରେ ଗାଁରେ ପହଞ୍ଚିଥିଲେ ସନ୍ତୋଷ । ନାଗ ସାପକୁ ଉଦ୍ଧାର କରି ଲୋକଙ୍କ ସାମ୍ନାରେ ବିଭିନ୍ନ ଖେଳ ଦେଖାଉଥିଲେ । ସାପକୁ ମୁହଁ ସାମ୍ନାରେ ରଖି ଖେଳ ଦେଖାଉଥିବା ବେଳେ ତାଙ୍କ ଜିଭକୁ ସାପ କାମୁଡି ଦେଇଥିଲା । ଏହାର କିଛି ସମୟ ମଧ୍ୟରେ ହିଁ ତାଙ୍କ ଦେହରେ ବିଷ ଚରିଯାଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସା ପରେ ତାଙ୍କ ମୃତ୍ୟୁ ହୋଇଛି ।