କୋଣାର୍କ,୧୫/୧୦: କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରୁ ଚଳନ୍ତା କାର୍‌ରୁ ଯୁବକଙ୍କୁ ଅପହରଣ ଅଭିଯୋଗ ହୋଇଛି। କୋଣାର୍କ ନିମାପଡା ମୁଖ୍ୟ ରାସ୍ତାର ବନାଖଣ୍ଡି ନିକଟରେ ଏଭଳି ଘଟଣା ଘଟିଛି । ଖବର ପାଇ କୋଣାର୍କ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣାକୁ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ରହିଛି

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ନିଜ ସାଙ୍ଗ ସହ ଏକ କାର୍‌ରେ କୋଣାର୍କ ବୁଲିବାକୁ ଆସିଥିଲେ । ବୁଲାବୁଲି ସାରିବା ପରେ ରାତିରେ ଭୁବନେଶ୍ୱର ଅଭିମୁଖେ ଯିବା ସମୟରେ ବନାଖଣ୍ଡି ଛକ ନିକଟରେ ଥିବା ଏଚ୍‌ପି ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ମୁଖ୍ୟ ରାସ୍ତାକୁ ଆସିବା ସମୟରେ ପୂର୍ବରୁ ଏକ କାର୍‌ରେ ପିଛା କରୁଥିବା ଦୁଇ ଯୁବକ ହଠାତ୍ ତାଙ୍କ କାର୍‌କୁ ଅଟକାଇଥିଲେ । ଜୟ ଚକ୍ରବର୍ତ୍ତୀଙ୍କୁ କାର୍‌ ଭିତରୁ ଜୋର ଜବରଦସ୍ତ ଉଠାଇ ନେଇ ନିଜ କାର୍‌ରେ ବସାଇ ଫେରାର୍ ହୋଇ ଯାଇଥିଲେ । ଏସମ୍ପର୍କରେ ଖବର ପାଇ କୋଣାର୍କ ପୁଲିସ ଓ ପୁରୀ ଜିଲ୍ଲା ଅତିରିକ୍ତ ଏସ୍‌ପି ବିଭିନ୍ନ ସ୍ଥାନରେ ଛାନଭିନ୍‌ କରିଛନ୍ତି । ତେବେ ଟଙ୍କା କାରବାରକୁ ନେଇ ଅପହରଣ ହୋଇଥିବା ଅନୁମାନ କରାଯାଉଛି ।