ନୂଆଦିଲ୍ଲୀ,୧୬/୧୧: ଭିଡିଓ ଓ ଲୋକେସନ ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ପଠାଇଲା ଆଲର୍ଟ । ୧୨ ମିନଟରେ ୯ କିମି ଦୂରରେ ଥିବା ଏକ ଗାଁକୁ ପହଞ୍ଚି ଯୁବକଙ୍କ ଜୀବନ ବଞ୍ଚାଇଲା ପୋଲିସ । ତେବେ ଉତ୍ତରପ୍ରଦେଶର ଶାହାଜାହାନପୁରରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି । ଜଣେ ୨୪ ବର୍ଷୀୟ ଯୁବକ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯୁବକ ଜଣକ ଇନଷ୍ଟାଗ୍ରାମରେ ଲାଇଭ ଥିବା ସମୟରେ ଏହି ସବୁ କରିଥିଲେ। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ପକ୍ଷରୁ ତୁରନ୍ତ ୟୁପି ପୋଲିସକୁ ଏକ ଆଲର୍ଟ ପଠାଯାଇଥିଲା ।  ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନରେ ଯୁବକଙ୍କ ଜୀବନ ରକ୍ଷା କରିଥିଲା। ୧୨ ମିନିଟ୍ ମଧ୍ୟରେ ପୋଲିସ ୯ କିଲୋମିଟର ଦୂରରେ ଥିବା ଗାଁରେ ପହଞ୍ଚି ଯୁବକଙ୍କୁ ଡାକ୍ତରଖାନାକୁ ନେଇଥିଲା।

ସୂଚନା  ଅନୁଯାୟୀ, ଭୁଡିଆ ଗାଁର ଜଣେ ୨୪ ବର୍ଷୀୟ  ଯୁବକ ଗୁରୁବାର ରାତିରେ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ । ଏହି ସମୟରେ ସେ ନିଦ ବଟିକା ଖାଇ  କଥା ହେବା ଆରମ୍ଭ କରିଥିଲେ। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆ  ପ୍ଲାଟଫ୍ରମ ତୁରନ୍ତ ୟୁପି ପୋଲିସ ମୁଖ୍ୟାଳୟକୁ ଘଟଣା ବିଷୟରେ  ସୂଚନା ଦେଇଥିଲା। ଭିଡିଓ ଏବଂ ଲୋକେସନ ସହିତ ମେଟା ଏହି ଆଲର୍ଟକୁ ରାତି ୧୧:୦୫ ରେ ପୋଲିସକୁ ପଠାଇଥିଲା। ଏହା ପରେ ଶାହାଜାହାନପୁର ପୋଲିସ ରାତି ୧୧:୧୭ ରେ ଏହି ସୂଚନା ପାଇଥିଲା। ଏନେଇ ସୂଚନା ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥାନୀୟ କାଟରା ପୋଲିସ ଟିମ୍ ମାତ୍ର ୧୨ ମିନିଟରେ ୯ କିଲୋମିଟର ଦୂରରେ ଥିବା ଭୁଦିଆ ଗ୍ରାମରେ ପହଞ୍ଚିଥିଲା। 

ଏ ବାବଦରେ ଏସପି ରାଜେଶ ଏସ କହିଛନ୍ତି ଯେ, ଗୁଗୁଲ ଏହି ରାସ୍ତା ପାଇଁ ୧୬ମିନିଟର ଅନୁମାନ ଦେଇଥିଲା ।  କିନ୍ତୁ ଏହା ପୂର୍ବରୁ ଆମ ଦଳ ପହଞ୍ଚିଛି। ପୋଲିସ ଉକ୍ତ ଯୁବକଙ୍କୁ ଘଟଣାସ୍ଥଳରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲା। ତାଙ୍କୁ ତୁରନ୍ତ କଟରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ  (CHC) ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।ପୋଲିସର ସୂଚନାନୁସାରେ, ଯୁବକ ଜଣକ ତାଙ୍କ ପିତାମାତାଙ୍କ ଗାଳିଗୁଲଜ ଯୋଗୁଁ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି କାରଣରୁ ସେ ଏହି ପଦକ୍ଷେପ ନେଇଥିଲେ । ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପାଇଁ ଯୁବକ ଏବଂ ତାଙ୍କ ପରିବାରକୁ ପୋଲିସ ନିର୍ଦ୍ଦେଶ ଦେଇଛି।