ପାରାଦୀପ, ୨୫/୦୨: ପାରାଦୀପ ତାରେଣୀଗଡାସ୍ଥିତ ଏକ ଚାରି ମହଲା କୋଠାରୁ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ଘଟଣା ଘଟଣାରେ ପୁଲିସକୁ ସେଭଳି ଆଖିଦୃଶିଆ ସଫଳତା ମିଳିପାରି ନାହିଁ । ପୁଲିସ ହାତରେ ଏକ ସିସିଟିଭି ଫୁଟେଜ୍ କେବଳ ଲାଗିଛି । ଉକ୍ତ ଫୁଟେଜଟି ପରିଷ୍କାର ଦେଖାଯାଉ ନଥିଲେ ମଧ୍ୟ ଜଣେ ଯୁବତୀ ଓ ଯୁବକ ଠିଆ ହୋଇଥିବା ବାରି ହେଉଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ ବର୍ମାଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ମୁଖ୍ୟାଳୟ ଡିଏସପି ରଶ୍ମି ରଞ୍ଜନ ଦାଶ ଘଟଣା ସ୍ଥଳକୁ ଆସି ଛାନଭିନ୍ କରିଥିବା ସୂଚନା ମିଳିଛି । ତାରେଣୀଗଡାର ଉକ୍ତ ଚାରିମହଲା କୋଠା ଘରକୁ ଯାଇ ପରିଦର୍ଶନ କରିବା ସହ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ କରିଥିବା ସୂଚନା ମିଳିଛି । କିନ୍ତୁ ପୁଲିସ ହାତରେ ଲାଗିନି ସୁରାକ । ପୁଲିସ ଜବତ କରିଥିବା ହାର୍ଡ ଡିସ୍କର ପାସ୍ ୱାର୍ଡ ଭୁଲି ଯାଇଛନ୍ତି ଘର ମାଲିକ । ପ୍ରମାଣ ନଷ୍ଟ ପାଇଁ ଷଡ଼ଯନ୍ତ୍ର ହେଉଥିବା ମଧ୍ୟ ଆଲୋଚିତ ହେଉଛି । ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି । ଏବେ ପୁଲିସର ଶେଷ ସମ୍ବଳ ଜବତ ହାର୍ଡ ଡିସ୍କ ।
ଯୁବତୀଙ୍କ ମୃତଦେହକୁ ଫ୍ରିଜରରେ ରଖାଯଇଛି । ପରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯିବ । ସେ ପର୍ଯ୍ୟନ୍ତ ପୁଲିସ ହାତରେ ଏବେ ବି ସମୟ ଅଛି । ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିର୍ଭର କରୁଛି ଏହି ହାର୍ଡ ଡିସ୍କ ଉପରେ । ହାର୍ଡ ଡିସ୍କର ପାସ୍ ୱାର୍ଡ ଘର ମାଲିକ ଶମ୍ଭୁ ଖୁଣ୍ଟିଆ ଭୁଲି ଯାଇଥିବା କହିବା ପରେ ପୁଲିସ ହାର୍ଡ ଡିସ୍କ ଏକ୍ସପର୍ଟଙ୍କ ସାହାଯ୍ୟ ନେଇଛି । ସେଥିରୁ ଯଦି କିଛି ବଡ ସୁରାକ୍ ନ ମିଳିଲା ପୁଲିସ ପୁଣି ନୂଆ ଢଙ୍ଗରେ ଗ୍ରାଉଣ୍ଡ୍ ଜିରୋରୁ ତଦନ୍ତ ଆରମ୍ଭ କରିବ । ଘଟଣା ଘଟିଥିବା ସ୍ଥାନକୁ ଯିବ । ଆଖପାଖରେ କେତେ ଘର ଭଡ଼ା ଲାଗିଛି । କେତେ ସ୍ଥାନୀୟ ଲୋକ ରହୁଛନ୍ତି । ବାହାର ଲୋକ କେତେ କମ୍ପାନୀରେ କାମ କରନ୍ତି ନା’ ଟାଇମ୍ ପାସ୍ କରିବାକୁ ରହିଛନ୍ତି । ଏସବୁ ଦିଗକୁ ମଧ୍ୟ ତଦନ୍ତ ପରିସରକୁ ନେଇପାରେ ପୁଲିସ ।
ମିଳିଥିବା ସୂଚନା ଅନୁସାରେ ପୁଲିସ ହାତରେ ଯେଉଁ ସିସିଟିଭି ଫୁଟେଜ୍ ଲାଗିଛି ସେଥିରେ କିଛି ପରିଷ୍କାର ଦେଖାଯାଉ ନଥିଲେ ମଧ୍ୟ ଜଣେ ଯୁବତୀ ଓ ଯୁବକ ଠିଆ ହୋଇଥିବା ବାରି ହେଉଛି । ସନ୍ଦେହ କରାଯାଉଛି ଯୁବତୀଙ୍କ ସହ ଏ ଯୁବକ ଜଣକ କିଏ? ଏ ଯୁବତୀ ଉକ୍ତ ଚାରି ମହଲା କୋଠା ଘରକୁ ଯାଇ ନାହାନ୍ତି ତ’ । ସେହି କୋଠା ଘରେ ପୂର୍ବରୁ ଏଭଳି ହେଉଥିଲା ନା’ ସେହିଦିନ କେବଳ ସେ ଘରକୁ ଏହି ଯୁବତୀ ଯାଇଥିଲେ । ଯଦି ଯୁବତୀ ଆତ୍ମହତ୍ୟା କଥା ଉଠୁଛି ତେବେ ନଦୀ ନାଳ ସମୁଦ୍ର ଆଦି ଆତ୍ମହତ୍ୟାର ବହୁ ସ୍ଥାନ ରହିଛି । ତେବେ ସେଠାରେ କାହିଁ ଏହି ଯୁବତୀ ଆତ୍ମହତ୍ୟା କରିବେ । ଯଦି ଜଣେ ଆତ୍ମହତ୍ୟା କରିବ ସେ କାହିଁକି ଉଲଗ୍ନ ହେବେ । ଏ ତମାମ ବିଷୟ ଏବେ ମଧ୍ୟ ରହସ୍ୟମୟ ହୋଇରହିଛି । ପୁଲିସ କହିବା ଅନୁସାରେ କିଛି ଭଡାଟିଆଙ୍କୁ ଡାକି ପଚରା ଉଚରା କରୁଛି । କିଛି ସୁରାକ ପାଇବା ଆଶାରେ ଭଡ଼ାଟିଆ ନରୋତ୍ତମ ନାୟକ, ଦୁର୍ଗା ଦାସ, ରାକେଶ କୁମାର ସିଂହ, ଅଜୟ ପ୍ରସାଦ ଯାଦବ, ପ୍ରଭାତ କୁମାର ଶାନ୍ତି, ବିମଳ କୁମାର ମଲ୍ଲିକଙ୍କ ସମେତ ଘର ମାଲିକ ଶମ୍ଭୁ ଖୁଣ୍ଟିଆ ଓ ମିସ୍ତ୍ରୀଙ୍କୁ ଡାକି ହତ୍ୟାକାଣ୍ଡ ବିଷୟରେ ପଚରାଉଚରା କରିଛି ପୁଲିସ । ଚାରି ମହଲା ଛାତ ଉପରେ ଥିବା ଚପଲ ଯଦି ସେହି ମହିଳାଙ୍କର ହୋଇଥିବ ତେବେ ସେହି ଯୁବତୀଙ୍କ ପାଖରେ ଭ୍ୟାନିଟି ବ୍ୟାଗ ମଧ୍ୟ ରହିଥିବ ବୋଲି ସନ୍ଦେହ କରାଯାଉଛି ।
ଆହୁରି ପଢ଼ନ୍ତୁ...ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, ଶବ ହୋଇ ଫେରିଲେ; ହାତୀ ଦଳିଦେବାରୁ ଯୁବକ ମୃତ
ଏ ସମ୍ପର୍କରେ ବିଜୟ ଚନ୍ଦ୍ରପୁର ନାଗରିକ ପରିଷଦ ସହ ସମ୍ପାଦକ ପ୍ରକାଶ ଜେନା କହିଛନ୍ତି ତାରେଣୀଗଡାର ଛବି ଦିନକୁ ଦିନ ମଳିନ ପଡି ଯାଉଛି । ବିଭିନ୍ନ ଘଟଣାକୁ ନେଇ ବଦନାମ ହେଉଛି । ଏନେଇ ୫ ବର୍ଷ ପୂର୍ବରୁ ଆମର ସଦସ୍ୟଙ୍କୁ ସଚେତନ କରାଯାଉଛି । ଉପଯୁକ୍ତ କାଗଜପତ୍ର ରଖିବା ପରେ ଘର ଭଡ଼ା ଦିଅନ୍ତୁ । ଘର ଆଗରେ ସିସିଟିଭି ଲଗାନ୍ତୁ । ଅନୈତିକ କାର୍ଯ୍ୟ ହେବାରୁ କଡ଼ା ନଜର ରଖାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।