ସୁନ୍ଦରଗଡ,୨୧/୧୧ : ଲେଫ୍ରିପଡ଼ା ଥାନା ପୁଲିସ ଆଜି ଧରୁଆଡିହି ଗ୍ରାମ ନିକଟସ୍ଥ କେନାଲରୁ ଜଣେ ଯୁବତୀଙ୍କ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଗଳିତ ଶବ ଉଦ୍ଧାର କରିଛି । ତାଙ୍କ ଆନୁମାନିକ ବୟସ ପ୍ରାୟ ୨୦ରୁ ୨୫ବର୍ଷ ହେବ । ସେହିପରି ବାମ ହାତରେ ଏକ ଷ୍ଟିଲର ସରୁ ବଳା ଲାଗିଛି । ପ୍ରାୟ ଏକ ସପ୍ତାହ ତଳର ଶବ ବୋଲି ଅନୁମାନ କରା ଯାଉଛି । ବଡ଼ବଙ୍ଗା ସରପଂଚ ସନ୍ତୋଷ ସୋରେନଙ୍କ ସୂଚନା କ୍ରମେ ଥାନା ସବ୍ ଇନ୍ସପେକ୍ଟର ଲିଲି ସ୍ୱାଇଁ ସଦଳବଳ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଛନ୍ତି । ପ୍ରାଥମିକ ତଦନ୍ତ ପରେ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ ତଥା ଲେଫ୍ରିପଡ଼ା ତହସିଲଦାର ଇଜୁସ୍ କୁଲୁଙ୍କ ଉପସ୍ଥିତିରେ ଶବ ଜବତ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମର୍ଗ ହାଉସରେ ସଂରକ୍ଷିତ ରଖାଯାଇଛି । ଯୁବତୀ ଜଣଙ୍କ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି । ବ୍ୟବଚ୍ଛେଦ ରିପୋର୍ଟ ଓ ଶବ ଚିହ୍ନଟ ପରେ କିଛି ଖିଅ ମିଳିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ଘଟଣାସ୍ଥଳରୁ ଅନତି ଦୂର ଜବାହର ନବୋଦୟ ବିଦ୍ୟାଳୟ ପଛପଟ ପଡ଼ିଆରୁ ଏକ ପୋଡ଼ା ସ୍କୁଟି ଓ ମଣିଷ ହାଡ଼ ପାଉଁଶ ଜବତ ଘଟଣାର ଅଦ୍ୟାବଧି ପର୍ଦ୍ଦାଫାଶ ହୋଇନାହିଁ । ଉକ୍ତ ଚାଂଚଲ୍ୟକର ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଉଲଗ୍ନ ଅବସ୍ଥାରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ଉଭୟ ଘଟଣାର ପର୍ଦ୍ଦାଫାଶ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି ।