ନୂଆଦିଲ୍ଲୀ ୦୫/୧୨:  ମହିଳାମାନଙ୍କର ଘର କାମ ସରିବା ପରେ ସେମାନେ  କିଛି ସମୟ ପାଇଁ ନିଜକୁ ରିଲାକ୍ସ କରିବାକୁ  ପସନ୍ଦ କରିଥାନ୍ତି। ଏହି ସମୟରେ ସେମାନେ ପ୍ରାୟତଃ ଗପସପ କରିଥାନ୍ତି । କେବେ କେବେ ଗପସପ କରି ନିଜକୁ ଭାରାକ୍ରାନ୍ତ ମଧ୍ୟ କରିଥାନ୍ତି ।  ଫଳରେ ମାନସିକ ସ୍ଥିତି ଅସ୍ଥିର ହୋଇପଡେ । ଜାଣନ୍ତି  କି ଏହି ସମୟକୁ ଆପଣ ଚାହିଁଲେ ଯେକୌଣସି ବହି ପଢିବାରେ ବ୍ୟବହାର କରିପାରିବେ ? ଏହା ଏକ  ଖୁବ୍‌ ଭଲ ବ୍ୟାୟାମ ମଧ୍ୟ, ଯାହା ମାନସିକ ସ୍ଥିତିକୁ  ସୁସ୍ଥ ରଖିଥାଏ । ଚିନ୍ତା ଓ ଅଯଥା ଗପସପରୁ ଦୂରେଇ ରହିବା  ପାଇଁ ଏହା ଶ୍ରେଷ୍ଠ ବିକଳ୍ପ ।  ବହି ପଢିବା ଦ୍ୱାରା ଜ୍ଞାନ  ଅର୍ଜନ ସହ ଆତ୍ମବିଶ୍ୱାସ ଓ  ଏକାଗ୍ରତା ମଧ୍ୟ ବଢିଥାଏ ।  ଆଉ ମାନସିକ ସ୍ଥିତି ସ୍ଥିର ରହିଥାଏ । 

ଭଲ ନିଦ ପାଇଁ ପଢିବା ଜରୁରି ପଢିବା ଏକ ଭଲ ଅଭ୍ୟାସ, ଯାହା ସ୍ୱାସ୍ଥ୍ୟ ସହ ବ୍ୟକ୍ତିତ୍ୱରେ  ମଧ୍ୟ ସୁଧାର ଆଣିଥାଏ । ପଢିବା ଦ୍ୱାରା ଚିନ୍ତା ଓ ଅବସାଦ ଦୂର ହୋଇଥାଏ । ଫଳରେ ନିଦ ନ ଆସିବା  ସମସ୍ୟା ଦୂର ହୋଇ ଭଲ ନିଦ ହୋଇଥାଏ ।  

ଚିନ୍ତାରୁ ମୁକ୍ତି ଆମ ଶରୀର ସହ ଚିନ୍ତାର ସିଧାସଳଖ ସମ୍ପର୍କ ରହିଛି ।  ତେଣୁ ଅଧିକ ଚିନ୍ତା କରିବା ଦ୍ୱାରା ଶାରୀରିକ ଓ  ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଥାଏ ।  ଏଥିରୁ ନିସ୍ତାର ପାଇବା ପାଇଁ ବହି ପଢିବା ଶ୍ରେଷ୍ଠ  ବିକଳ୍ପ, ସହଜ ସମାଧାନ ମଧ୍ୟ ।  

ସୃଜନଶୀଳତା ଓ ଜ୍ଞାନ ବଢାଏ ପଢିବା ଦ୍ୱାରା ଜ୍ଞାନ ବଢିବା ସହ ସୃଜନଶୀଳତା ମଧ୍ୟ  ବଢିଥାଏ । ଫଳରେ ଆତ୍ମବିଶ୍ୱାସ ବଢିବା ସ୍ୱାଭାବିକ୍‌ । ଏପରିକି ଭାବିବା ଓ ବୁଝିବାରେ ମଧ୍ୟ ସୁଧାର  ଆସିଥାଏ ।