ଭୁବନେଶ୍ୱର, ୨୭/୦୫ : ଶନି..ଶନି... ବୋଲି ଡାକି ତା’ ପଛରେ ଗୋଡ଼ାଉଥିଲା । ଖାଇବାକୁ ଦେଉଥିଲା । ବୁଲେଇ ନେଉଥିଲା । ଗେଲ କରୁଥିଲା । ହେଲେ ଏସବୁ କେବଳ ଉପର ଠାଉରିଆ । ସତରେ ଯିଏ ଭାବିବ, ଆଃ କି ପ୍ରେମ! ମିଛିମିଛିକା ସ୍ନେହ ଭିତରେ ଲୁଚିଥିଲା ବିଷ । ନିଶାସକ୍ତ ଅବସ୍ଥାରେ ଆସି ଶନିକୁ ଅମାନବିକ ଭାବରେ ପିଟିଥିଲା । ରକ୍ତାକ୍ତ ଅବସ୍ଥାରେ ତା’ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା, ମନ ଶାନ୍ତି ନହେବାରୁ ତାର ଆଖିକୁ ବି ଫୁଟେଇ ଦେଲା । କାଳେ କିଏ ଧରିନେବ, ସେଥିପାଇଁ ଦ୍ୱିମହଲା କୋଠା ଉପରୁ ଶନିକୁ ଫୋପାଡ଼ି ଦେଇ ଫେରାର ମାରିଛି ଆକ୍ରମଣକାରୀ । ସେପଟେ ଶନି(ପୋଷା ମାଈ କୁକୁର)କୁ ନ୍ୟାୟ ଦେବାକୁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ମାଲିକାଣୀ । କେବଳ ସେତିକି ନୁହେଁ, ଓୟୁଏଟି ସ୍ଥିତ ଭେଟେରନାରୀ ହସ୍ପିଟାଲରେ ଶନିର ଚିକିତ୍ସା କରାଯାଇଛି ।
ଘଟଣାଟି ଏମିତି, ପୁରୁଣା ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗିର ବାସିନ୍ଦା ତୁଲିକା ମହାନ୍ତିଙ୍କ ପାଳିତ ମାଈ କୁକୁର ହେଉଛି ଶନି । ଶନି ଡାଲମାସିଆନ୍ ପ୍ରଜାତିର କୁକୁର ହୋଇଥିବା ବେଳେ ତା’ ବୟସ ମାତ୍ର ୬ ମାସ । ପିଲାଟି ବେଳୁ ତୁଲିକାଙ୍କ ପରିବାର ଲୋକେ ତାକୁ ଭାରି ସ୍ନେହ କରନ୍ତି, ନିଜ ପରିବାରର ସଦସ୍ୟ ଭଳି ଦେଖନ୍ତି । ବାରଙ୍ଗରେ ତୁଲିକାଙ୍କ ଏକ ଫାର୍ମହାଉସ ଥିବା ବେଳେ ଶନି ଓ ଅନ୍ୟ ଦୁଇଟି ପୋଷା କୁକୁର ସେଠାରେ ହିଁ ରହିଆସୁଛନ୍ତି । ଫାର୍ମ ହାଉସରେ ବାଲେଶ୍ୱର ଜିଲ୍ଲା ସାବିରା ଗ୍ରାମର ଅନିଲ ମହାନ୍ତି ଦୀର୍ଘବର୍ଷ ହେବ ରୋଷେଇଆ ଭାବରେ କାମ କରିଆସୁଛି । ଅନିଲ ହିଁ କୁକୁରମାନଙ୍କ ଦେଖାଶୁଣା କରେ । ସେଥିପାଇଁ ମାଲିକାଣୀ ବେଫିକର ହୋଇ ଅନ୍ୟ କାମ କରନ୍ତି ।
ଏହି ଖବରଟିକୁ ପଢନ୍ତୁ- Save Birds : ପକ୍ଷୀଙ୍କ ପାଇଁ ବ୍ୟାକୁଳ ବିକିଜି, ଲଗାଇଲେଣି ୫ହଜାର ଚଢ଼େଇ ବସା, ସାଇକେଲରେ ବୁଲି ଦିଅନ୍ତି ପାଣି
ତୁଲିକାଙ୍କ ଅଭିଯୋଗ ଅନୁସାରେ, ଗତ ୧୫ ତାରିଖରେ ଅନିଲ ନିଶାଶକ୍ତ ଅବସ୍ଥାରେ ଫାର୍ମହାଉସକୁ ଆସି ଅନ୍ୟ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲା । କର୍ମଚାରୀମାନେ ଭୟରେ ସେଠାରୁ ପଳାଇବା ପରେ ଅନିଲ ଫାର୍ମହାଉସରେ ଥିବା କୁକୁର ଶନି ପାଖକୁ ଯାଇଥିଲା । ଗୋଟିଏ ଘରେ ତାକୁ ପୂରାଇ କବାଟ ଦେଇଥିଲା । ତାକୁ ମାଡ଼ ମାରିଥିଲା । ଆଖି ଫୁଟେଇଦେଇ ସେଠାରୁ ଚମ୍ପଟ ମାରିଥିଲା । ଦରମରା ହୋଇ ଶନି ଏକ ଗଛତଳେ ପଡ଼ିଥିଲା । ପ୍ରାୟ ୬ଦିନ ପରେ ଶନିକୁ ଉଦ୍ଧାର କରାଯାଇଛି । ଶନିର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲାବେଳେ ଏବଂ ଡାହାଣ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆକ୍ରମଣ ହୋଇଥିବା କୋଠରୀରେ ରକ୍ତ ଦାଗ ଦେଖିବାକୁ ମିଳିଛି । କୁକୁରଟି ବର୍ତ୍ତମାନ ଚିକିତ୍ସାଧୀନ ଅଛି ଏବଂ ବଞ୍ଚିବା ପାଇଁ ସଂଘର୍ଷ କରୁଛି ବୋଲି ତୁଲିକା କହିଛନ୍ତି । ଏନେଇ ସେ ଚନ୍ଦକା ଥାନାରେ ଏତଲା ବି ଦେଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ ବର୍ତ୍ତମାନ ଫେରାର ଥିବା ବେଳେ ତାକୁ ଖୋଜା ଚାଲିଥିବା ପୁଲିସ ସୂଚନା ଦେଇଛି ।