ବିଞ୍ଝାରପୁର,୧୨/୧୨: ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପିହୁର ମା’ଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ପୁଲିସ ତଦନ୍ତ ବଳରେ ବାଲେଶ୍ୱରରୁ ଅଭିଯୁକ୍ତ ବାଲେଶ୍ୱର ଅଞ୍ଚଳର ରାକେଶ ମଲ୍ଲିକକୁ ଗିରଫ କରିବା ସହ ମୋବାଇଲ ଜବତ କରିଥିବା ଜଣାପଡ଼ିଛି ।
ସୂଚନାଥାଉକି, ୨୦୨୦ ଅଗଷ୍ଟ ୯ ତାରିଖରେ ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର କୁନି ଝିଅ ପିହୁ ଗାଁଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପିହୁର ମା’ ମୋନାଲିସା ନାୟକ ନିଖୋଜ ଝିଅର ସନ୍ଧାନ ପାଇଁ ଦୀର୍ଘ ବର୍ଷ ଧରି ସରକାରଙ୍କ ନିକଟରେ ଦାବି କରି ଆସୁଥିବା ବେଳେ ତାଙ୍କ ମୋବାଇଲ୍କୁ ଦୁଇ ତିନୋଟି ଭିନ୍ନ ନମ୍ବରରୁ ଧମକ ପୂଣ୍ଣ ଫୋନ ଆସୁଛି । ଫୋନର ବିପରୀତ ଦିଗରେ ରହିଥିବା ବ୍ୟକ୍ତି ମୋନାଲିସାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଉଛନ୍ତି । ଘଟଣାକୁ ନେଇ ମୋନାଲିସା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ କେସ୍ ନଂ. ୫୭୭/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତଦନ୍ତ ବଳରେ ପୁଲିସ ଧମକ ଦେଉଥିବା ଅଭିଯୁକ୍ତ ରାକେଶକୁ ବାଲେଶ୍ୱରରୁ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି ।