କଟକ ୦୬/୦୯: ପାର୍ବଣ ପୂର୍ବରୁ ରକ୍ତ ରଞ୍ଜିତ ହେଲା ସିଲଭର ସିଟି। ବାଦାମବାଡ଼ ରାସ୍ତାରେ ଯୁବକଙ୍କୁ  ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଦୁର୍ବୃତ୍ତ। ମଝି ରାସ୍ତରେ ଯୁବକଙ୍କ ଗୋଡକୁ ଧାରୁଆ ଅସ୍ତ୍ରରେ ହାଣି ଛିଣ୍ଡାଇ ଦେଇଛନ୍ତି। ସାମାନ୍ୟ ବଚସାରୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ।ଆହତ ଯୁବକ ଜଣକ ରାଜେଶ କୁମାର ପ୍ରଧାନ ବୋଲି ଜଣାପଡ଼ିଛି। ସେ କଟକରେ ଫୁଲ ବ୍ୟବସାୟ ବ୍ୟବସାୟୀ ।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାଜେଶ ଫୁଲ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ସେ ଘରକୁ ଫେରିବା ବାଟରେ ଏକ ପେଟ୍ରୋଲ ପମ୍ପରେ ତେଳ ପକାଇଥିଲେ। ସେଠାରୁ ଫେରିବା ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ଅରୁଣୋଦୟ ମାର୍କେଟ ନିକଟ ଆକ୍ରମଣ କରିଥିଲେ। ରାଜେଶଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କ ଗୋଡ଼ାକୁ ହାଣି ଛିଣ୍ଡାଇ ଦେଇଥିଲେ। ସ୍ଥାନୀୟଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ତେବେ ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ କଟକ ଡିସିପି, ଏସିପି ଓ ବାଦାମବାଡ଼ି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି। ସେଠାରେ ଲାଗିଥିବା ସିସିଟିଭିରୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଛି। ଉଭୟ ନାବାଳକ ହୋଇଥିବା ଜଣାପଡିଛି। ଉଭୟଙ୍କୁ ଧରିବାକୁ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି।