ଚାନ୍ଦବାଲି, ୧।୯ : ବଜାରରୁ ପରିବା କିଣି ଘରକୁ ଫେରୁଥିବା ବେଳେ ବସ ଚକା ତଳେ ପଡିଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି। ସାମନ୍ତରାୟପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।ଯୁବକ ଜଣକ ହେଲେ ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅନ୍ତର୍ଗତ ତାରାଚାନ୍ଦବିନ୍ଧା ଗ୍ରାମର ଜଗନ୍ନାଥ ସାହୁ। ସେ ବସ୍ ହେଲପର ଭାବେ କାମ କରନ୍ତି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।
ଗଦି ବଜାରରୁ ଜଗନ୍ନାଥ ପରିବାର କିଣି ଏକ ବସରେ ପୀରହାଟ ଫେରୁଥିଲେ। ସାମନ୍ତରାୟପୁର ଗାଁ ନିକଟରେ କିଛି ଯାତ୍ରୀ ଗାଡିରେ ଚଢିବାରୁ ସେ ତଳକୁ ଓହ୍ଲାଇ ଥିଲେ। ତେବେ ପୁଣି ବସରେ ଚଢିବା ବେଳେକୁ ଡ୍ରାଇଭର ଗାଡିକଟି ଗଡାଇ ଦେବାରୁ ପଛ ଚକା ତଳେ ଜଗନ୍ନାଥ ଚାପି ହୋଇଯାଇଥିଲେ। ଲୋକେ ପାଟି କରିବାରୁ ବସଟି ରହିଯାଇଥିଲା। ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ତିହିହି ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବ୍ୟବଛେଦ ପରେ ମୃତଦେହକୁ ସାମନ୍ତରାୟପୁର ଗ୍ରାମ ନିକଟରେ ରଖି କ୍ଷତିପୂରଣ ଦାବିରେ ଗ୍ରାମବାସୀ ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ତିହିଡି ବିଡିଓ ନିରଞ୍ଜନ ବାରିକ ଓ ପୀରହାଟ ଥାନା ଅଧିକାରିଣୀ ଲୋଜାଲିନ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।