ନନ୍ଦାହାଣ୍ଡି/ନବରଙ୍ଗପୁର,୧୧/୧୦(ଆପ୍ର):   ଦିନ ଦ୍ବିପ୍ରହରରେ ଘରେ ପଶି ଯୁବକକୁ ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଥାନା ନନ୍ଦାହାଣ୍ଡି ବ୍ଳକର ସିନ୍ଧିଗୁଡା ଗାଁର ହରିଜନ ସାହିରେ। ମୃତ ଯୁବକ ଜଣକ ହେଲେ  ଧନୁର୍ଜୟ ହରିଜନ (୩୦)।

ଶନିବାର ଦ୍ବିପହରରେ ଧନୁର୍ଜୟ ଘରେ ଶୋଇଥିଲେ।  ଧନୁର୍ଜୟଙ୍କ ସ୍ତ୍ରୀ କମଳି ହରିଜନ ପର ଘରେ କୁଲିକାମ କରିବାକୁ ଯାଇଥିଲେ। ଅପରାହ୍ନ ଗୋଟାଏ ବେଳେ  ଘରକୁ ଫେରିବା ପରେ ଧନୁର୍ଜୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିବା ଦେଖିବାକୁ ପାଇଥିଲେ ।  ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ୱାମୀର ଶବକୁ ଦେଖି କମଳିର ପାଦତଳୁ ମାଟି ଖସି ଯାଇଥିଲା। ସ୍ଵାମୀର ଶବକୁ ଧରି କମଳି ଚିତ୍କାର କରିଥିଲେ। ଘଟଣାସ୍ଥଳରେ ପଡୋଶୀ ପହଞ୍ଚିଥିଲେ। ପରେ  ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏସଡିପିଓ କୃଷ୍ଣ ଚନ୍ଦ୍ରଭତ୍ରା, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ଵେହେରା, ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଗୁଣନିଧି ବାଘ ପ୍ରମୁଖ ସାଇଟିଫିକ୍ ଟିମ୍ କୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପଠାଇଛନ୍ତି। ଅନ୍ୟପକ୍ଷରେ ମୃତକ ଭାଇକୁ ସନ୍ଦେହ କରି ପଚରାଉଚରା ପାଇଁ ପୁଲିସ ଅଟକ ରଖିଛି। କାରଣ ଦୁଇଦିନ ତଳେ ଦୁଇଭାଇଙ୍କର ମଧ୍ୟରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ତେବେ  ଯୁବକଙ୍କୁ କିଏ ହତ୍ୟା କରିଛି। କେଉଁ କାରଣ ପାଇଁ ହତ୍ୟା କରାଯାଇଛି ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ସମ୍ବିତ ବେହେରା କହିଛନ୍ତି।