ଲାଠୋର, ୨୬।୬ : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ ରେଳ ଷ୍ଟେସନ ନିକଟରେ ବୁଧବାର ରାତିରେ ଟ୍ରେନ ଧକ୍କାରେ ଜଣେ ଯୁବକ ମୃତ ହୋଇଛି। ସଂପୃକ୍ତ ଯୁବକ ଜଣକ ଲାଠୋର ଗ୍ରାମର ବାଗ ପଡ଼ାର ମହେନ୍ଦ୍ର ଭଇଁସାଲଙ୍କ ସାନ ପୁଅ କ୍ରିଷ୍ଣା ଭଇଁସାଲ ।
କ୍ରିଷ୍ଣା ବୁଧବାର ରାତି ୮ ଟାରେ ଘରୁ କୁଆଡେ ଚାଲି ଯାଇଥିଲେ l ରାତିରେ ପରିବାର ବର୍ଗ ନିଜ ସମ୍ପର୍କୀୟଙ୍କ ଘରେ ଖୋଜା ଖୋଜି କରି ତାଙ୍କର କୌଣସି ଖବର ପାଇ ନଥିଲେ l ସଂପୃକ୍ତ ଯୁବକ ରେଳ ଧାରଣା ପଟକୁ ଆସିଥିବା ବେଳେ କୌଣସି ଟ୍ରେନ ତାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି l ମୃତଦେହ ହରିଶଙ୍କର ରୋଡ ରେଳ ଷ୍ଟେସନ ଏବଂ ପିପଲବାହାଲ ରେଳ ଫାଟକ ମଝି ଏକ ପୋଲ ନିକଟରେ ପଡ଼ିଥିଲା l ଗୁରୁବାର ସକାଳେ ପରିବାର ବର୍ଗ ଖବର ପାଇ ଶବ ଚିହ୍ନଟ କରିଥିଲେ l ପରେ କଣ୍ଟାବାଞ୍ଜି ଜିଆରପି ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇଥିଲା l ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି l