ମାଲକାନଗିରି, ୩/୮ (ଆପ୍ର ) : ମାଲକାନଗିରି ଜିଲ୍ଲା ମୋଟୁ ଥାନା ସ୍ଥ ଏମଭି ୮୧ ଗ୍ରାମ ରେ  ଜଣେ ଠିକାଦାରଙ୍କ ଘର ଆଗରେ ଜଣେ ଶ୍ରମିକର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କାଲିମେଳା ଥାନା ସ୍ଥ ଏମଭି ୬୪/ଏମପିଭି୧୦ ଗ୍ରାମର ବାପି ମଣ୍ଡଳ। ଏହାକୁ ନେଇ ବାପିଙ୍କ ପରିବାର ଲୋକ ଅପହରଣ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ।  ପୁଲିସ ତଦନ୍ତ କରି ଥାନାରେ ଦୁଇ ଜଣଙ୍କୁ  ଅଟକ ରଖି  ପଚରା ଉଚରା କରୁଛି।

ଏମଭି ୮୧ ଗ୍ରାମର ଅନନ୍ତ  ହାଲଦାର  ବାହାର ରାଜ୍ୟ ରେ ଠିକାଦାର କାମ କରନ୍ତି।  କାଲିମେଳା ଥାନା ସ୍ଥ ଏମଭି ୬୪/ଏମପିଭି୧୦ ଗ୍ରାମର ବାପି ମଣ୍ଡଳଙ୍କୁ ତାଙ୍କ ସହିତ ନେଇ ଶ୍ରମିକ ଭାବେ କାମ କରାଉଥିଲେ। ଗତ କିଛି ଦିନ ତଳେ ଉଭୟ ଗ୍ରାମକୁ ଆସିଥିଲେ। ଠିକାଦାରଙ୍କ ଘର ଆଗରେ ବାପି ମଣ୍ଡଳର ସନ୍ଦେହ ଜନକ ଅବସ୍ଥାରେ ମୃତ ଶରୀରକୁ ପୁଲିସ ଉଦ୍ଧାର କରିଛି।  ଏହାକୁ ବାପିଙ୍କର ପରିବାର ଲୋକେ ଯୋଜନା ବଦ୍ଧ ଭାବେ ହତ୍ୟା କରା ଯାଇଥିବାର ମୋଟୁ ଥାନାରେ ଅଭିଯୋଗ କରିଛନ୍ତି।  ମାତ୍ର ୫ ହଜାର ଟଙ୍କା ପାଇଁ ଠିକାଦାର ବାପିଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା  ମୋଟୁ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଘଟଣାସ୍ଥଳରେ  ପହଁଚି ମୃତ ଶରୀର ଜବତ କରି  ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଠିକାଦାର ଓ ତାଙ୍କର ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି  ।      

ଏ ସମ୍ପର୍କରେ ମୋଟୁ ଥାନା ଅଧିକାରୀ ଅର୍ଜୁନ କଅଁରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଜଣେ ଯୁବକର ମୃତଦେହ ଜବତ ହୋଇ ବ୍ୟବଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସନ୍ଦେହ ଜନକ ମୃତ୍ୟୁ ହୋଇଥିବାରୁ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସେ କହିଛନ୍ତି।