ଚମ୍ପୁଆ,୨/୬(ଆପ୍ର): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ କୃଷ୍ଣପୁର ଶାଳ ଜଙ୍ଗଲ ନିକଟରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ମୟୁରଭଞ୍ଜ ଜିଲ୍ଲା ରରୁଁଆ ଥାନା ଅନ୍ତର୍ଗତ ଅଙ୍ଗାରପଦା ପଞ୍ଚାୟତ ବାଉଁଶପୁର ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତଙ୍କ ପୁଅ ମାନସ କୁମାର ମହାନ୍ତ (୨୫) ବୋଲି ଜଣାପଡିଛି | 

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାତ ଘଟିକା ସମୟରେ ତିନି ଜଣ ଯୁବକ ଏକ ବାଇକରେ କୃଷ୍ଣପୁରରୁ ଅଙ୍ଗାରପଦା ଅଭିମୁଖେ ଯାଉଥିଲେ। ଏହି ସମୟରେ ହଠାତ୍ ଭାରସ୍ୟାମ ହରାଇ ବାଇକଟି ଶାଳ ଜଙ୍ଗଲ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ କୃଷ୍ଣପୁର ଗ୍ରାମବାସୀ ଆହତମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ। ତେବେ ଡ଼ାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମାନସଙ୍କ ମୃତ୍ୟୁ ଘଟିଥିଲା । 

ମାନସଙ୍କ ପିତା ଖିଚିଙ୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ମାନସ ଆଉ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଉଚ୍ଚ ଶିକ୍ଷା ବିଭାଗରେ ଯୋଗ ଦେଇଥାନ୍ତେ। ଖବର ପାଇ ଚମ୍ପୁଆ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।